ETV Bharat / bharat

26/11 Attack: ଦିନ ଯାଇଛି ଚିହ୍ନ ରହିଛି, ଆତଙ୍କୀ ଆକ୍ରମଣକୁ ଭୁଲିବନି ଦେଶ

author img

By

Published : Nov 25, 2022, 10:29 AM IST

Updated : Nov 26, 2022, 6:42 AM IST

ଆଜି ମୁମ୍ବାଇ ଆକ୍ରମଣକୁ 14 ବର୍ଷ ପୂରିଛି । ଆଜିର ଦିନରେ ପାକିସ୍ତାନରୁ ଆସିଥିବା 10 ଆତଙ୍କୀ ମୁମ୍ବାଇରେ ଆତଙ୍କ ଲୀଳା ରଚିଥିଲେ । ଅଧିକ ପଢ଼ନ୍ତୁ

14 years to mumbai 26  11 attack
26/11 Attack: ମୁମ୍ବାଇ ଆକ୍ରମଣକୁ 14 ବର୍ଷ

ମୁମ୍ବାଇ: ଆଜି ମୁମ୍ବାଇ ଲୋମହର୍ଷଣକାରୀ ଆକ୍ରମଣକୁ (26/11) ପୂରିଛି 14 ବର୍ଷ । 2008 ମସିହା ଆଜିର ଦିନରେ ଆତଙ୍କୀ ଆକ୍ରମଣରେ ଦୋହଲି ଯାଇଥିଲା ମାୟାନଗରୀ । ଗୁଳି ବୋମା ମାଡ଼ରେ ଥରି ଉଠିଥିଲା ମୁ୍ମ୍ବାଇ । ଏହି ଦିନକୁ ମନେ ପକାଇଲେ ଆଜି ବି ଥରି ଉଠୁଛି ଛାତି । ସ୍ବାଧୀନତା ଭାରତ ଇତିହାସରେ ଏହାଥିଲା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ । ସେହି ଛାତିଥରା ଘଟଣା ଆଜି ପ୍ରତିଟି ଲୋକଙ୍କ ମନରେ ତାଜା ହୋଇ ରହିଛି ।

26/11ର ଛାତିଥରା ଘଟଣା

ସମୟ 2008, 26 ନଭେମ୍ବର ସନ୍ଧ୍ୟା । ଜନଗହଳି ପୂର୍ଣ୍ଣ ଥିଲା ମାୟାନଗରୀ ମୁମ୍ବାଇ । ଏହି ସମୟରେ ପାଦ ଥାପିଥିଲେ ପାକିସ୍ତାନର 10 ଜଣ ଆତଙ୍କବାଦୀ । ଆଉ ରଚିଥିଲେ ମୃତ୍ୟୁର ତାଣ୍ଡବ । ସହରର ଛାତି ଉପରେ ଆରମ୍ଭ ହେଲା ଆଖି ବୁଜା ଗୁଳିଚାଳନା । ଘଟଣା ଏତେ ଭୟଙ୍କର ହେବ ବୋଲି କେହି ସ୍ବପ୍ନରେ ସୁଦ୍ଧା ଭାବିନଥିଲେ । ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ଆତଙ୍କବାଦୀମାନେ ପାଖାପାଖି ୪ ଦିନ ଧରି ୧୨ଟି ଭୟଙ୍କର ଆକ୍ରମଣ କରିଥିଲେ । ମୁମ୍ବାଇର ତାଜମହଲ ହୋଟେଲ ପ୍ୟାଲେସ୍, ନରୀମନ୍ ହାଉସ୍, ମେଟ୍ରୋ ସିନେମା ଓ ଛତ୍ରପତି ଶିବାଜୀ ଟର୍ମିନାଲ ସମେତ କେତେକ ସ୍ଥାନ ଉପରେ ଆକ୍ରମଣ କରି ମାଟିରେ ମିଶାଇ ଦେଇଥିଲେ । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ 18 ଜଣ ସୁରକ୍ଷାକର୍ମୀଙ୍କ ସମେତ 166 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 300ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ ।

ସମୁଦ୍ର ପଥ ଦେଇ ମୁମ୍ବାଇ ପହଞ୍ଚିଥିଲେ ଆତଙ୍କବାଦୀ

ପାକିସ୍ତାନର 10 ଜଣ ଆତଙ୍କବାଦୀ ସମୁଦ୍ର ପଥ ଦେଇ ସୀମା ଅତିକ୍ରମ କରିଥିଲେ । ଡଙ୍ଗା ସାହାଯ୍ୟରେ ପାକିସ୍ତାନ କରାଚିରୁ ମୁମ୍ବାଇରେ ପ୍ରବେଶ କରିଥିଲେ । ସନ୍ଧ୍ୟା 8 ସମୟରେ କାଲାବା ନିକଟସ୍ଥ ମାଛ ବଜାରରେ ପହଞ୍ଚିଲେ । କୋଲାବା ଠାରୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଆତଙ୍କ ରଚିଥିଲେ ।

ଆତଙ୍କବାଦୀ କସାବକୁ ଫାଶି ଦିଆଯାଇଥିଲା

ଏହି ବିସ୍ଫୋରଣରେ ଏକମାତ୍ର ଆତଙ୍କୀ ଭାବେ କସାବକୁ ଗିରଫ କରାଯାଇଥିଲା । ସେ ଆତଙ୍କୀ ସମ୍ବନ୍ଧିତ କିଛି ଗୁରୁତ୍ବପୂର୍ଣ୍ଣ ଖୁଲାସା କରିଥିଲା । ପାକିସ୍ତାନରେ ଥିବା ଲସ୍କର ଓ ଅନ୍ୟ ମଡ୍ୟୁଲ୍ ଏହି ଆକ୍ରମଣର ଯୋଜନା, ସଂଯୋଜନା ଓ ଅପରେସନ୍ ପ୍ରସ୍ତୁତ ହୋଇଥିବା କହିଥିଲା କସାବ । ଦେଶର ଗୁଇନ୍ଦା ସଂସ୍ଥାକୁ ଦିଆଯାଇଥିବା ତଥ୍ୟରେ କସାବ କହିଥିଲା ଯେ, ସମସ୍ତ ଆକ୍ରମଣକାରୀ ପାକିସ୍ତାନରୁ ଆସିଥିଲେ । ଏହାପରେ 21 ନଭେମ୍ବର 2012ରେ କସାବକୁ ଫାଶି ଦିଆଯାଇଥିଲା । ଆକ୍ରମଣରେ ସୁରକ୍ଷାକର୍ମୀମାନେ 9 ଜଣ ଆତଙ୍କୀଙ୍କୁ ନିହତ କରିଥିଲେ । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀଙ୍କ ଏହି ଆକ୍ରମଣକୁ ପଣ୍ଡ କରିବାକୁ ୨୦୦ ଏନଏସଜି କମାଣ୍ଡୋ ଓ ସେନାର ୫୦ କମାଣ୍ଡୋଙ୍କୁ ମୁମ୍ବାଇ ପଠାଯାଇଥିଲା ।

ଏହାଛଡା ସେନାର ପାଞ୍ଚ ଫୋର୍ସ ଅପରେସନରେ ନିଯୁକ୍ତ ହୋଇଥିଲେ । ଆକ୍ରମଣରେ ନୌସେନାକୁ ମଧ୍ୟ ସଜାଗ କରାଯାଇଥିଲା । ଜମାତ-ଉଦ-ଦାୱା ମୁଖ୍ୟ ହାଫିଜ ସଇଦଙ୍କ ନେତୃତ୍ବରେ ଲସ୍କର-ଏ-ତୋଏବା 2008 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ଜମାତ । ଲସ୍କର-ଏ-ତୋଏବାର ଟପ କମାଣ୍ଡର ଜକିଉର ରହମାନ ଲଖଭୀକୁ ଏହି ଆକ୍ରମଣ ମାମଲାରେ 15 ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ହୋଇଛି ।

Last Updated :Nov 26, 2022, 6:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.