ଜୟଦେବକୁ ଅବହେଳା ହେବ ମୁଖ୍ୟ ମୁଦ୍ଦା, ବିକାଶ ହେବ ପ୍ରସଙ୍ଗ: କୃଷ୍ଣଚନ୍ଦ୍ର ସଗରିଆ - Odisha Assembly Election 2024

By ETV Bharat Odisha Team

Published : Apr 22, 2024, 5:40 PM IST

thumbnail

Odisha Assembly Election 2024: ନିଆଳି/ଜୟଦେବ: ଜୟଦେବ ନିର୍ବାଚନ ମଣ୍ଡଳୀର ମୁଖ୍ୟ ସମସ୍ୟାକୁ ନେଇ ଚଳିତ ନିର୍ବାଚନରେ କଂଗ୍ରେସ ମୁଦ୍ଦା କରିବ ଏବଂ ବିକାଶ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତି କରିଛି ବୋଲି ଜୟଦେବର କଂଗ୍ରେସ ପ୍ରାର୍ଥୀ ତଥା କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଇଟିଭି ଭାରତକୁ ସାକ୍ଷାତକାର ଦେଇ କହିଛନ୍ତି । ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ଭୋଇଙ୍କୁ ପରିବର୍ତ୍ତନ କରାଯାଇ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ପ୍ରାର୍ଥୀ ଘୋଷଣା ପରେ ସଗରିଆ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଦଳୀୟ ସ୍ଥାନୀୟ ନେତୃବୃନ୍ଦ ଏବଂ କର୍ମୀମାନଙ୍କ ସହିତ ଆଲୋଚନା କରିଛନ୍ତି ।

ଜୟଦେବର ସମସ୍ୟା ସମ୍ପର୍କରେ ଅବଗତ ହେବା ସହିତ ଅବହେଳାକୁ ମୁଦ୍ଦା କରିବ କଂଗ୍ରେସ । ଜୟଦେବର କୃଷି, ବେକାରୀ ସମସ୍ୟାର ସମାଧାନ ଏବଂ ବିକାଶ ଦିଗରେ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ । ସଗରିଆ କହିଛନ୍ତି, "ବିଧାୟକ ଥିବା ସମୟରେ ଜୟଦେବର ସମସ୍ୟା ସମ୍ପର୍କରେ ବିଧାନସଭାରେ ଉପସ୍ଥାପନା କରିଛି । ଜୟଦେବର ସମସ୍ୟା ଅନେକ ରହିଛି, ଯେଉଁମାନେ ନେତୃତ୍ବ ନେଇଛନ୍ତି, ସେ ବିକାଶ କରିବା ପରିବର୍ତ୍ତେ ବିନାଶ କରିଛନ୍ତି । ଏଥର ସାଧାରଣ ନିର୍ବାଚନରେ ଜୟଦେବ ଭୋଟର ସଚେତନ ହୋଇଛନ୍ତି । କଂଗ୍ରେସ ଦଳ ଉପରେ ନିଶ୍ଚିତ ଭରସା କରିବେ ।" କୃଷ୍ଣଚନ୍ଦ୍ର ସଗରିଆ ଛାତ୍ର ଜୀବନରୁ ରାଜନୀତି କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ଓଡ଼ିଶାର ବିକାଶ ଏବଂ ମହିଳାମାନଙ୍କ ପାଇଁ ସ୍ବର ଉତ୍ତୋଳନ କରିଥିବା କହିଛନ୍ତି । ୧୯୯୧ ଓ ୧୯୯୨ ମସିହାରେ ରେଭେନ୍ସା କଲେଜରେ ଛାତ୍ର ସଂସଦ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ସଗରିଆ ଏକ କୃଷକ ପରିବାରରୁ ଆସିଛନ୍ତି । ତାଙ୍କ ବାପା ସ୍ବର୍ଗତ ଦାନାରୀ ସଗରିଆ ଲକ୍ଷ୍ମୀପୁର ଅଞ୍ଚଳର ଜଣେ କୃଷକ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...75 ବିଧାନସଭା ଆସନରେ ପ୍ରାର୍ଥୀ ଦେଲା କଂଗ୍ରେସ: ଭଣ୍ଡାରୀପୋଖରୀରୁ ନିରଞ୍ଜନ, ଆନନ୍ଦପୁରରୁ ଜୟଦେବ - Congress announces candidates

କୃଷ୍ଣଚନ୍ଦ୍ର ସଗରିଆ ୨୦୦୯ ମସିହାରେ କୋରାପୁଟ ବିଧାନସଭା ଆସନରୁ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିଲେ । ହେଲେ କେବଳ ୧୧୧୪ ଖଣ୍ତ ଭୋଟରେ ପରାଜିତ ହୋଇଥିଲେ । ପରବର୍ତ୍ତୀ ସମୟରେ ୨୦୧୪ ନିର୍ବାଚନରେ କୃଷ୍ଣଚନ୍ଦ୍ର ସଗରିଆ କୋରାପୁଟରୁ ୪୯୭୭ ଖଣ୍ତ ଭୋଟ ବ୍ୟବଧାନରେ କଂଗ୍ରେସ ବିଧାୟକ ଭାବରେ ବିଜୟୀ ହୋଇଥିଲେ । ସେ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ପ୍ରତିବାଦ କରିବା ସହିତ ମହିଳାମାନଙ୍କ ପାଇଁ ଆଇନ ଦାବି କରିବା ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ନିଜର ବିଧାୟକ ପଦରୁ 6 ମାସ ପାଇଁ ଇସ୍ତଫା ଦେଇ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲେ । 

କୋରାପୁଟ ଠାରୁ ଜୟଦେବ ୫୫୦ କିଲୋମିଟର ରାସ୍ତା ଦୂର ହୋଇଥିଲେ ସୁଦ୍ଧା କଂଗ୍ରେସ ଜୟଦେବରୁ ଭରସା କରି ପ୍ରାର୍ଥୀ କରିଥିବାରୁ ସଗରିଆ ଦଳର ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଶ୍ଚିତ ଜୟଦେବ କଂଗ୍ରେସ କର୍ମୀ, ସ୍ଥାନୀୟ ନେତା ଓ ଭୋଟରଙ୍କୁ ଏକାଠି କରି ସଫଳତା ହାସଲ କରିବା ଲକ୍ଷ୍ୟରେ ଅଛନ୍ତି ବୋଲି ଇଟିଭି ଭାରତକୁ ସାକ୍ଷାତକାରେ କହିଛନ୍ତି ଜୟଦେବ କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ ।

ଇଟିଭି ଭାରତ, ନିଆଳି/ଜୟଦେବ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.