ଘୋଡା ଚଢି ଅଡୁଆରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ, ଥାନାରେ ଏତଲା - BJP MP horse riding controversy

By ETV Bharat Odisha Team

Published : May 17, 2024, 11:32 AM IST

thumbnail
Pratap Sarangi (ETV Bharat Odisha)

Complaint against Pratap Sarangi:  ବାଲେଶ୍ୱର: ଘୋଡା ଚଢି ଅଡୁଆରେ ବିଜେପି ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ  । ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ଅଭିଯୋଗରେ ବିଜେଡି ପକ୍ଷରୁ ତାଙ୍କ ନାମରେ ସହଦେଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଗତ ୧୪ ତାରିଖ ନାମାଙ୍କନ ଦାଖଲ ବେଳେ ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଘୋଡା ଉପରେ ବସି ଶୋଭାଯାତ୍ରା କରି ଜିଲ୍ଲାପାଳ ଅଫିସ ଆସିଥିଲେ  । ତେବେ ଏହାକୁ ନେଇ ବନ୍ୟଜନ୍ତୁ ଆଇନ ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେଡି ।

ବିଜେଡି ପକ୍ଷରୁ କୁହାଯାଇଛି ଯେ,  ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଏତେ ଖରାରେ ଏକ ପଶୁ ଉପରେ ବସି ଶୋଭାଯାତ୍ରା କରିବା ଏବଂ ବ୍ୟାଣ୍ଡ ବାଜା ଭିତରେ ପଶୁ ଉପରେ ଅତ୍ୟାଚାର କରିବା ଶୋଭନୀୟ ନୁହେଁ । ଜଣେ ସାଂସଦ ପ୍ରାର୍ଥୀ ହୋଇ ଏମିତି ଆଚରଣ କରିବା ତାଙ୍କ ପକ୍ଷେ ଶୋଭନୀୟ ନୁହେଁ । ଯେଉଁଥିପାଇଁ ଏନେଇ ଥାନାରେ ଅଭିଯୋଗ କରାଯାଇଛି  ।

ଏହାମଧ୍ୟ ପଢନ୍ତୁ.. ଓଡ଼ିଆର ସ୍ୱାଭିମାନ ଓ ଗୌରବକୁ ଅପମାନିତ କରିଛି ବିଜେଡି ସରକାର: ପ୍ରତାପ ଷଡଙ୍ଗୀ - Pratap Sarangi Slams BJD

ଅନ୍ୟପଟେ ଏହି ଅଭିଯୋଗ ଉପରେ ସାଂସଦ ପ୍ରାର୍ଥୀ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, "ନାମାଙ୍କନ ଶୋଭାଯାତ୍ରା ଚାଲିଥିବା ବେଳେ ସୁସଜ୍ଜିତ ଘୋଡା ନେଇ ଘୋଡା ମାଲିକ ଶୋଭାଯାତ୍ରା ଭିତରେ ପଶିଥିଲେ । ମୋତେ ଘୋଡା ଉପରେ ବସିବା ପାଇଁ ବହୁବାର ଅନୁରୋଧ କରିବା ପରେ ମୁଁ ବସିଥିଲି । ଏଥିରେ କୌଣସି ଆଇନ ଉଲ୍ଲଂଘନ କରାଯାଇ ନାହିଁ ।" ପୁରୀ ସମୁଦ୍ର ବେଳାଭୂମିରେ ଘୋଡାରେ ବସାଇ ଲୋକମାନଙ୍କୁ ଯଦି ମାଲିକ ଦୁଇ ପଇସା ରୋଜଗାର କରୁଛି ତେବେ ଏହି ଶୋଭାଯାତ୍ରାରେ ଘୋଡା ଉପରେ ବସିବା କଣ ଅପରାଧ ବୋଲି ପ୍ରଶ୍ନ କରିବା ସହ ଭୁବନେଶ୍ୱରର ଜଣେ ବିଜେଡି ପ୍ରାର୍ଥୀ ବଳଦ ଗାଡ଼ିରେ ଆସିବା କଣ ଆଇନ ଉଲ୍ଲଂଘନ ନୁହେଁ ବୋଲି ସାଂସଦ ପ୍ରାର୍ଥୀ ଓଲଟା ପ୍ରଶ୍ନ କରିଛନ୍ତି ।

 

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.