ଜୟନ୍ତ ଷଡ଼ଙ୍ଗୀଙ୍କ ରିପୋର୍ଟ କାର୍ଡ, ପୁରୀରେ ବିଜେପି ବିପୁଳ ବିଜୟ ହାସଲ ନେଇ ଦୃଢୋକ୍ତି - Puri Assembly constituency

By ETV Bharat Odisha Team

Published : Apr 12, 2024, 9:22 AM IST

thumbnail

Puri Assembly constituency: ପୁରୀ: ନିର୍ବାଚନ ରଣାଙ୍ଗନକୁ ଯିବା ପୂର୍ବରୁ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ପାଇଁ ନିଜର ରିପୋର୍ଟକାର୍ଡ ଉପସ୍ଥାପନ କଲେ ଜୟନ୍ତ ଷଡ଼ଙ୍ଗୀ । ଚଳିତ ନିର୍ବାଚନରେ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ତେବେ ନିର୍ବାଚନ ରଣାଙ୍ଗନକୁ ଯିବା ପୂର୍ବରୁ ସେ ତାଙ୍କର ରିପୋର୍ଟ୍ କାର୍ଡ ଭୋଟରଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରିଛନ୍ତି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୀରେ 40ଟି ବିକାଶମୂଳକ କାର୍ଯ୍ୟ ହେଇଥିବା ନେଇ ସେ ରିପୋର୍ଟ୍ କାର୍ଡରେ ଦର୍ଶାଇଛନ୍ତି ।

ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଆଉ ମଧ୍ୟ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୀ ସହର ସମ୍ପୂର୍ଣ୍ଣ ବଦଳି ଯାଇଛି । ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇ ଅନେକ ପ୍ରକଳ୍ପ ହୋଇଛି । ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ବିକାଶ ହୋଇଛି । ଯାହାକି ପୂର୍ବରୁ କୌଣସି ବିଧାୟକଙ୍କ କାର୍ଯ୍ୟକାଳରେ ହୋଇ ନଥିଲା । ଶିକ୍ଷା କ୍ଷେତ୍ରରେ ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ଥିବା ପ୍ରତ୍ୟେକ କଲେଜ, ସ୍କୁଲରେ ଭିତ୍ତିଭୂମି ବିକାଶରେ ତାଙ୍କର ବିଧାୟକ ପାଣ୍ଠିରୁ ଅନେକ ଟଙ୍କା ଖର୍ଚ୍ଚ ହୋଇଛି । ଭାରତ ସରକାରଙ୍କ ଅର୍ଥରେ ପୁରୀର ରେଲୱେ ଷ୍ଟେସନକୁ ବିଶ୍ଵ ସ୍ତରୀୟ ରେଲୱେ ଷ୍ଟେସନରେ ପରିଣତ କରିବା ନେଇ ନିର୍ମାଣ କାର୍ଯ୍ୟ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ପୁରୀରେ ବିଜେଡି ବିରୁଦ୍ଧରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଲା ବିଜେପି - Violating Model Code Of Conduct

ସେହିଭଳି ସିଦ୍ଧମହାବୀର ରେଲୱେ ଓଭରବ୍ରିଜ ନିର୍ମାଣ, ଅନ୍ତର୍ଜାତୀୟ ବିମାନ ବନ୍ଦର, ଜଗନ୍ନାଥ ମେଡ଼ିକାଲ କଲେଜ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ପୁରୀ ବିଚକୁ ବ୍ଲୁ ଫ୍ଲାଗ ବିଚ୍ କରିବା ପାଇଁ ଓ ନିଳାଦ୍ରୀ ବିଚରେ ଭାରତ ସରକାରଙ୍କ ଅର୍ଥ ଖର୍ଚ୍ଚ କରଯାଇଛି । ପୁରୀ କୋଣାର୍କ ରେଲୱେ ଲାଇନ୍ ମଞ୍ଜୁରୀ ହେଇଛି । ଖୁବ୍ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ । ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ କରାଯାଇଛି । ଗତ 5 ବର୍ଷରେ ପୁରୀ ସହର ଏକ ନୂଆ ରୂପ ପାଇଛି । ଯାହାକି ପୁରୀ ସଦର ନିର୍ବାଚନ ମଣ୍ଡଳୀ ଭୋଟରଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଛି ବୋଲି କହିଛନ୍ତି ଜୟନ୍ତ ଷଡଙ୍ଗୀ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ, ଦୂରଦୃଷ୍ଟି ନେତୃତ୍ଵ, କାର୍ଯ୍ୟଧାରା ସାରା ଭାରତରେ ବ୍ୟାପକ ପ୍ରଭାବ ପକାଇଛି । ଏଣୁ ଆଗାମୀ ନିର୍ବାଚନରେ କେନ୍ଦ୍ରରେ ବିଜେପି 400ରୁ ଅଧିକ ସିଟରେ ଓ ଓଡ଼ିଶାରେ ବିଜେପି ଡବଲ ଇଞ୍ଜିନ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ପ୍ରାର୍ଥୀ । ତେବେ ଆଗାମୀ ନିର୍ବାଚନରେ ପୁରୀରେ ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ବିପୁଳ ବିଜୟ ହାସଲ କରିବ ବୋଲି ପୁରୀ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.