ETV Bharat / technology

ପୁଣି ଚର୍ଚ୍ଚାରେ ସମ୍ବଲପୁର ଇଞ୍ଜିନିୟର, ଦୃଷ୍ଟିବାଧିତଙ୍କ ପାଇଁ ତିଆରି କଲେ ସ୍ମାର୍ଟ ସେନ୍ସର ଡିଭାଇସ - smart sensor device for blind

author img

By ETV Bharat Odisha Team

Published : Mar 23, 2024, 10:12 AM IST

Etv Bharat
Etv Bharat

Smart Sensor Device For Blind: ଦୃଷ୍ଟିହୀନଙ୍କ ପାଇଁ ସମ୍ବଲପୁରର ଯୁବ ଇଞ୍ଜିନିୟରଙ୍କ ନିଆରା ଉଦ୍ଭାବନ । ଦୁଇଟି ସ୍ମାର୍ଟ ସେନ୍ସର ଡିଭାଇସ ତିଆରି କଲେ ଇଞ୍ଜିନିୟରେ । ଯାହାକି ଦୃଷ୍ଟିବାଧିତ ଲୋକଙ୍କୁ ଦୈନନ୍ଦିନ କାର୍ଯ୍ୟ ପାଇଁ ଖୁବ ସହାୟକ ହେବ । ଅଧିକ ପଢନ୍ତୁ

ସ୍ମାର୍ଟ ସେନ୍ସର ଡିଭାଇସ

ସମ୍ବଲପୁର: ସମ୍ବଲପୁର ଯୁବ ଇଞ୍ଜିନିୟରଙ୍କ ନିଆରା ଉଦ୍ଭାବନ । ଦୃଷ୍ଟିବାଧିତ ଲୋକଙ୍କ ପାଇଁ ତିଆରି କଲେ ସ୍ମାର୍ଟ ସେନ୍ସର ଡିଭାଇସ । ଦୃଷ୍ଟିବାଧିତମାନେ ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି l ଏଥିପାଇଁ ସେମାନଙ୍କୁ ପରିବାରର ଅନ୍ୟ ସଦସ୍ୟଙ୍କ ଉପରେ ନିର୍ଭର କରିବାକୁ ପଡିଥାଏ l ତେବେ ଏହିଭଳି ଦୃଷ୍ଟି ଶକ୍ତି ନଥିବା ଲୋକଙ୍କ ପାଇଁ ସମ୍ବଲପୁରର ଯୁବ ଇଞ୍ଜିନିୟର ଆଶିଷ ମହାନା ଦୁଇଟି ସେନ୍ସର ଡିଭାଇସ ତିଆରି କରିଛନ୍ତି, ଯାହା ଦୃଷ୍ଟିବାଧିତ ଲୋକଙ୍କ କ୍ଷେତ୍ରରେ ବହୁ ସହାୟକ ହେବ ବୋଲି ସେ ଦାବି କରିଛନ୍ତି l

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ରାମ୍ପେଲା ଗାଁର ଆଶିଷ ମହାନା ହୀରାକୁଦର ଏକ ଶିଳ୍ପ ଅନୁଷ୍ଠାନରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି l ବର୍ତ୍ତମାନ ଆଶିଷ ଏମିତି ୨ଟି ଡିଭାଇସ ତିଆରି କରିଛନ୍ତି ଯାହା ଦୃଷ୍ଟିବାଧିତ ଲୋକଙ୍କ କ୍ଷେତ୍ରରେ ବହୁ ସହାୟକ ହେବ ଓ ଅନ୍ୟ ଉପରେ ସେମାନଙ୍କର ନିର୍ଭରଶୀଳତା କମ୍ କରିବ ବୋଲି ଦାବି କରିଛନ୍ତି l ପ୍ରଥମ ଡିଭାଇସଟି ହେଲା "Obstacle sensor Device" । କହିବାକୁ ଗଲେ ଏହା ଏକ ସେନ୍ସର ବାଡ଼ି । ଏଥିରେ ଏମିତି ଏକ ସେନ୍ସର ଲାଗିଛି ଯାହାକୁ ଧରି ଯଦି କୌଣସି ଦୃଷ୍ଟିବାଧିତ ବ୍ୟକ୍ତି ରାସ୍ତାରେ ଚାଲୁଥାଏ ତେବେ ସମ୍ମୁଖରେ କିଛି ବି ଜିନଷ ଥିଲେ ଏହାର ବଜର ବାଜି ଉଠିବ ବା ସୂଚନା ଦେବ l ଯେତେ ନିକଟକୁ ଗଲେ ସେତେ ଅଧିକ ଜୋରରେ ବଜର ବାଜିବ l ଜଣେ ବ୍ୟକ୍ତି ଏହି ବଜରକୁ ପସନ୍ଦ ନକଲେ ଏହାକୁ ଭାଇବ୍ରେସନ ମୋଡ଼ରେ ବି ରଖି ପାରିବେ । ଏହି ସେନ୍ସର ଷ୍ଟିକ ବା ଡିଭାଇସରେ GPS ବ୍ୟବସ୍ଥା ମଧ୍ୟ ରହିଛି l ଏହାଦ୍ୱାରା ବ୍ୟବହାରକାରୀଙ୍କ ଲୋକେସନ ମଧ୍ୟ ସହଜରେ ଠାବ କରାଯାଇପାରିବ l

ଏହା ମଧ୍ୟ ପଢନ୍ତୁ: ନଷ୍ଟରୁ ଶ୍ରେଷ୍ଠ: ୨୦ ହଜାର ପ୍ଲାଷ୍ଟିକ ବୋତଲରେ ବିଶାଳ ମାଛ ପ୍ରତିକୃତି ପ୍ରସ୍ତୁତ କଲା ବ୍ରହ୍ମପୁର ITI



ଆଶିଷ ତିଆରି କରିଥିବା ଅନ୍ୟ ଏକ ଡିଭାଇସଟି ହେଉଛି "Multiple Sensor Device " l ଏହି ଡିଭାଇସକୁ ମୁଖ୍ୟତଃ ଘରେ ଥିବାବେଳେ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ବ୍ୟବହାର କରିପାରିବ l ଏହି ଡିଭାଇସ ଆକାର ଅତି ଛୋଟ ହୋଇଥିବା ବେଳେ ଖୁବ୍ ହାଲୁକା ମଧ୍ୟ l ଏଥିରେ ୫ ପ୍ରକାରର ସେନ୍ସର ଲଗାଯାଇଛି l ନିଆଁ, ବିଦ୍ୟୁତ, ପାଣି, ମେଟାଲ ପାଇଁ ଏଥିରେ ସେନ୍ସର ଥିବା ସହ ଏକ Proximity Sensor ଲାଗିଛି l

ଏହି ଡିଭାଇସ ନିଆଁ ଥିବା ସ୍ଥାନ, ବିଦ୍ୟୁତ ପରିବାହିତ ହେଉଥିବା ସ୍ଥାନ ଅଥବା ଅନ୍ୟ କୌଣସି ରାସ୍ତାରେ ଥିବା ବାଧକକୁ ଆଗୁଆ ବଜର ବଜାଇ ସଙ୍କେତ ଦେଇଦେବ l ଦୃଷ୍ଟିବାଧିତ ଲୋକଙ୍କ ସୁବିଧା ପାଇଁ ଏହାକୁ ସେ ନିଜେ ତିଆରି କରିଥିବା କହିଛନ୍ତି l ଏହି ୨ଟି ଡିଭାଇସ ପାଇଁ ସେ କେବଳ ସେନ୍ସର ବାହାରୁ ମଗାଇ ଥିଲେ ଏବଂ ବ୍ୟାଟେରୀ ଲଗାଇ ନିଜ ଉଦ୍ୟମରେ ପ୍ରସ୍ତୁତ କରିଛନ୍ତି l ଉଭୟ ଡିଭାଇସକୁ ତିଆରି କରିବାକୁ ତାଙ୍କୁ ୩ ହଜାର ଟଙ୍କା ଲେଖାଏଁ ପଡିଛି l ତାଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ଏମିତି ଅନେକ ଡିଭାଇସ ସେ ଦୃଷ୍ଟିବାଧିତଙ୍କ ପାଇଁ ତିଆରି କରିପାରିବେ ବୋଲି ଆଶିଷ କହିଛନ୍ତି l

ଗତ ୧୭ ତାରିଖରେ ସୁନ୍ଦରଗଡ଼ ରାଜଗାଙ୍ଗପୁରର ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ ଇନୋଭେସନ ଉପରେ ଆଧାରିତ ଏକ କର୍ମଶାଳାରେ ଆଶିଷଙ୍କ ଏହି ଡିଭାଇସକୁ ପ୍ରଦର୍ଶନ କରାଯାଇଥିଲା l ବର୍ତ୍ତମାନ ସେ ରାଉରକେଲା NITର ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ହ୍ୱିଲଚେୟାର ଓ ଇଲେକ୍ଟ୍ରିକ ବାଇକ ଆମ୍ବୁଲାନ୍ସ ଉପରେ ହେଉଥିବା ରିସର୍ଚ୍ଚରେ ରିସର୍ଚ୍ଚ ଏକ୍ସପର୍ଟ ଭାବେ କାର୍ଯ୍ୟ କରୁଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.