ETV Bharat / technology

ଫୋନ ହଜିଗଲେ ବି ଚୋରି ହେବନି ତଥ୍ୟ, ସାଥ ଦେବ ସଞ୍ଚାର ସାଥି - Sanchar Saathi

author img

By ETV Bharat Odisha Team

Published : Apr 21, 2024, 10:39 PM IST

ସଞ୍ଚାର ସାଥି
ସଞ୍ଚାର ସାଥି

Sanchar Saathi Portal: ଯଦି ଆପଣଙ୍କ ଫୋନ ଚୋରି ହୋଇଯାଏ କିମ୍ବା ହଜିଯାଏ ତେବେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଆଶଙ୍କା ରହିଛି । ଏଥିରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ 'ସଞ୍ଚାର ସାଥି' । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଆଜିକାଲିର ମଣିଷଙ୍କ ପାଇଁ ମୋବାଇଲ ଏକ ଅବିଚ୍ଛେଦ ଅଂଶ ପାଲଟି ଯାଇଛି । ମୋବାଇଲ ଫୋନକୁ ଘଡ଼ିଏ ଛାଡି ରହିପାରୁନାହାନ୍ତି ଲୋକେ । କାହା ପାଇଁ ଏହା ମନୋରଞ୍ଜନର ମାଧ୍ୟମ ତ ଆଉ କାହା ପାଇଁ ଯୋଗାଯୋଗର ମାଧ୍ୟ ପାଲଟିଛି । ଏହା ମାଧ୍ୟମରେ ଘରେ ଥାଇ ଦେଶ ବିଦେଶର ଲୋକଙ୍କ ସହ ଯୋଡି ହୋଇପାରୁଛେ । ଧିରେ ଧିରେ ମୋବାଇଲର ଚାହିଦା ବଢ଼ିବା ସାଙ୍ଗକୁ ମୋବାଇଲ ଫୋନ ଚୋରିହେବା ଘଟଣା ମଧ୍ୟ ବଢି ବଢି ଚାଲିଛି । ଯଦି ଆମର ମୋବାଇଲ ହଜିଯାଏ, ଏମିତି ଲାଗେ ଯେ, କେହି ନିଜ ଲୋକ ଆମଠାରୁ ଦୂରେଇ ଯାଇଛି । ଲୋକେ ମୋବାଇଲରେ ନିଜର ଅନେକ ବ୍ୟକ୍ତିଗତ ତଥ୍ୟ ରଖିଥାନ୍ତି । ଯଦି କେବେ ଆମର ମୋବାଇଲ୍ ଚୋରି ହୋଇଯାଏ କିମ୍ବା ଯଦି ଆମେ ଭୁଲରେ ଏହାକୁ ହଜେଇ ଦେଇଥାଉ ତେବେ ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏବେ ଏହି ସମସ୍ୟାକୁ ଦୂର କରିବା ପାଇଁ 'ସଞ୍ଚାର ସାଥି' ଏକ ସହଜ ସମାଧାନ ପାଲଟିଛି ।


'ସଞ୍ଚାର ସାଥି' କଣ?

ସାଧାରଣ ଲୋକମାନଙ୍କୁ ଅନଲାଇନ ଠକାମୀରୁ ରକ୍ଷା କରିବା ପାଇଁ ସଞ୍ଚାର ସାଥି ସହଯୋଗ କରିଥାଏ । ଏହାର ବିଭିନ୍ନ ମଡ୍ୟୁଲ୍ ଅଛି ଯେପରିକି ସିଆଇଆର୍, ଚକ୍ଷୁ, ଟାଫକୋପ୍ (TAFCOP), KYM, RICWIN ଇତ୍ୟାଦି ।

ସିଆଇଆର: ଯଦି ଆପଣଙ୍କର ଫୋନ୍ ହଜିଯାଇଛି କିମ୍ବା ଚୋରି ହୋଇଛି ତେବେ ସେଣ୍ଟ୍ରାଲ ଇକ୍ୟୁପମେଣ୍ଟ ଆଇଡିଣ୍ଟିଟି ରେଜିଷ୍ଟର (CEIR) ମାଧ୍ୟମରେ ମୋବାଇଲକୁ ସଙ୍ଗେସଙ୍ଗେ ବ୍ଲକ କିମ୍ବା ଅଚଳ କରିପାରିବା । କେବଳ ଏହା ନୁହେଁ, ଯଦି ମୋବାଇଲକୁ ଆମେ ପୁଣିଥରେ ଫେରିପାଉ ତେବେ ଏହାକୁ ଅନ୍‌ଲକ କରି ପୁଣିଥରେ ବ୍ୟବହାର କରିପାରିବା । ଏଥିପାଇଁ ମୋବାଇଲ ହରାଇଥିବା ବ୍ୟକ୍ତି IMEI ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଦେଇ ସଞ୍ଚାର ସାଥୀ ପୋର୍ଟାଲରେ ଅଭିଯୋଗ କରିପାରିବେ । ବର୍ତ୍ତମାନ ସୁଦ୍ଧା ଭାରତରେ ପ୍ରାୟ 15,43,666 ଜଣ ବ୍ୟକ୍ତି ଏହା ମାଧ୍ୟମରେ ସେମାନଙ୍କ ଫୋନକୁ ବ୍ଲକ କରିଛନ୍ତି । ଏହା ମଧ୍ୟରୁ 8,47,140 ଜଣ ସେମାନଙ୍କ ଫୋନକୁ ଫେରି ପାଇଛନ୍ତି ।

ବର୍ତ୍ତମାନ ସମୟରେ ସାଇବର ଅପରାଧ ଦ୍ରୁତ ବେଗରେ ବଢ଼ିବା ସହ ଏହା ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଲିଙ୍କ୍ ମାଧ୍ୟମରେ ମାଲୱେର୍ ପଠାଇବା, ବ୍ୟାଙ୍କ ଅଧିକାରୀଙ୍କ ନାମରେ ଫେକ ଫୋନ୍ କଲ କରିବା, OTP ଜାଣିବା ଦ୍ବାରା ସାଇବର ଅପରାଧିମାନେ ବ୍ୟକ୍ତିଗତ ତଥ୍ୟ ଚୋରି କରି ଅନେକ ଅପରାଧ କରୁଛନ୍ତି । ବଢ଼ୁଥିବା ଏହି ସାଇବର ଅପରାଧକୁ ଦମନ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏନେଇ ଟେଲି ଯୋଗାଯୋଗ ବିଭାଗ ଅଧୀନରେ ଥିବା 'ସଞ୍ଚାର ସାଥି' ନାମକ ଏକ ପୋର୍ଟାଲ ଉପଲବ୍ଧ କରାଯାଇଛି । ଯେକୌଣସି ବ୍ୟକ୍ତି ଚାହିଁଲେ https://sancharsaathi.gov.in କୁ ଯାଇ ସେଲ ଫୋନ ଓ ସିମ୍‌ କାର୍ଡ ବିଷୟରେ ସୂଚନା ପାଇପାରିବେ । ତେବେ ସାଇବର ଅପରାଧୀଙ୍କ ଜାଲରୁ ବଞ୍ଚିବା ପାଇଁ କେଉଁ ସବୁ ଆବଶ୍ୟକୀୟ ପଦକ୍ଷପ ରହିଛି ଜାଣନ୍ତୁ ।

ଚକ୍ଷୁ: ଯଦି ଆପଣମାନଙ୍କୁ ଲାଗେ କି, ସାଇବର ଅପରାଧୀମାନେ ଫେକ କଲ୍‌, ଏସଏମଏସ କିମ୍ବା ହ୍ବାଟସପ ମାଧ୍ୟମରେ ଆପଣଙ୍କ ଠାରୁ ଠକେଇ କରିବାକୁ ଚେଷ୍ଟା କରୁଛନ୍ତି ତେବେ ତୁରନ୍ତ ଚକ୍ଷୁ ପୋର୍ଟାଲରେ ଅଭିଯୋଗ କରିପାରିବେ । ଏହି ପୋର୍ଟାଲ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ, ପେମେଣ୍ଟ ୱାଲେଟ, ସିମ୍‌, ଗ୍ୟାସ୍ ସଂଯୋଗ, ବିଦ୍ୟୁତ୍ ସଂଯୋଗ, KYC ଅପଡେଟ୍, ଡିଆକ୍ଟିଭେସନ, ଏକ୍ସପାରି କିମ୍ବା ସରକାରୀ କର୍ମଚାରୀଙ୍କ ନାଁରେ ଠକେଇ ସମ୍ବନ୍ଧୀୟ ବିଷୟରେ ଅଭିଯୋଗ କରିପାରିବେ ।

KYM:

ବେଳେବେଳେ ସାଧାରଣ ଲୋକମାନେ ସେକେଣ୍ଡ ହ୍ୟାଣ୍ଡ (ପୂର୍ବରୁ ବ୍ୟବହାର କରାଯାଇଥିବା) ମୋବାଇଲକୁ କମ୍‌ ଟଙ୍କାରେ କିଣି ଦେଇଥାନ୍ତି । ଏଭଳି ସମୟରେ 'ନୋ ୟୋର ମୋବାଇଲ' ଫିଚର ମାଧ୍ୟମରେ ମୋବାଇଲର ପୁରୁଣା ତଥ୍ୟ ବିଷୟରେ ଜାଣିପାରିବେ । ଯେକୌଣସି ମୋବାଇଲର ବୈଧତା ଏହାର IMEI ନମ୍ବର ଦ୍ୱାରା ଜାଣିପାରିବେ । ମୋବାଇଲରେ *#06# ଡାଏଲ କରି IMEI ନମ୍ବର ଜାଣିହେବ । ଯଦି ଆପଣ ଜାଣିବାକୁ ପାଆନ୍ତି ଯେ, ସେହି ଫୋନ ବ୍ଲାକଲିଷ୍ଟେଡ୍‌, ନକଲି ଓ ପୂର୍ବରୁ ବ୍ୟବହାର ହୋଇଛି ତେବେ ସେହି ଫୋନକୁ କିଣନ୍ତୁନାହିଁ ।

ଟିଏଏଫସିଓପି (TAFCOP):

ଅନେକ ସମୟରେ ସାଇବର ଠକମାନେ ଅନ୍ୟ ବ୍ୟକ୍ତିଙ୍କ ନାଁରେ ସିମ କାର୍ଡ ନେଇ ଠକେଇ କରିଥାନ୍ତି । ଏଭଳି ଠକାମୀକୁ ଯାଞ୍ଚ କରିବା ପାଇଁ ଡିଭିଟି ଟେଲିକମ୍‌ ଆନାଲିଟିକ୍ସ ଫର ଫ୍ରଡ ମ୍ୟାନେଜମେଣ୍ଟ ଆଣ୍ଡ କଞ୍ଜ୍ୟୁମର ପ୍ରୋଟେକ୍ସନ (TAFCOP) ଫିଚର ଆଣିଛି । ଏହା ମାଧ୍ୟମରେ ଆମ ଅଜାଣତରେ ଆମ ନାଁରେ ଅନ୍ୟ କେହୁ ସିମ୍ କାର୍ଡ ବ୍ୟବହାର କରୁଛନ୍ତି କି ନାହିଁ ତାହା ସହଜରେ ଜାଣିପାରିବା ।

ଟିଏଏଫସିଓପି ମାଧ୍ୟମରେ କିପରି ଜାଣିବେ :

ପ୍ରଥମେ ଆମକୁ ଟିଏଏଫସିଓପି ଖୋଲି ମୋବାଇଲ୍ ନମ୍ବର ଭରିବା । ନମ୍ବର ଭରିବା ସଙ୍ଗେସଙ୍ଗେ ଏକ OTP ଆସିବ । ପରେ ଏହି ଓଟିପି ଦେଇ ଲଗଇନ୍‌ କରି ଆପଣଙ୍କ ନାଁରେ କେତୋଟି ସିମ୍‌ କାର୍ଡ ଜାରି କରାଯାଇଛି ତାହା ସହଜରେ ଜାଣିହେବ । ଯଦି ଆପଣ ଜାଣିବାକୁ ପାଆନ୍ତି ଯେ, ଆପଣଙ୍କ ଅଜାଣତରେ ଆପଣଙ୍କ ନାଁରେ ସିମ କାର୍ଡ ଅଛି ତେବ ଏହାକୁ ଆପଣ ରିପୋର୍ଟ ମାରି ବ୍ଲକ୍‌ (ଅଚଳ) କରିପାରିବେ । ଏହି ଫିଚର ଉପଲବ୍ଧ ହେବା ପରେ ଭାରତରେ ପ୍ରାୟ 65,23,541ଟି ଅଭିଯୋଗ ଗ୍ରହଣ କରାଯାଇଛି ଏବଂ ଏହା ମଧ୍ୟରୁ 55,57,507ଟି ମାମଲା ସମାଧାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଭାରତରେ ସବୁଠୁ କମନ ପାସୱାର୍ଡ କଣ, ଜାଣନ୍ତି କି ?

ଆରଆଇସିଡବ୍ଲୁଆଇଏନ (RICWIN)

ଅନେକ ସମୟରେ ସାଇବର ଅପରାଧୀ ଅନ୍ୟ ଦେଶରୁ କଲ କରି ଠକେଇ କରୁଥିବା ମାମଲା ଦେଖିବାକୁ ମିଳିଥାଏ । ଭାରତୀୟ କୋଡ୍ ସହିତ ସାଇବର ଠକମାନେ ବିଦେଶରୁ କଲ୍ କରିଥାନ୍ତି ତେବେ ଭାଷା ମାଧ୍ୟମରେ ସେମାନଙ୍କୁ ଚିହ୍ନିବା ସହଜ । ଏହିପରି ଫେକ କଲଗୁଡିକ 'ରିପୋର୍ଟ ଇନକମିଙ୍ଗ ଇଣ୍ଟରନ୍ୟାସନାଲ କଲ୍ ଉଇଥ୍‌ ଇଣ୍ଡିଆନ୍ ନମ୍ବର (REQUIN)' ମାଧ୍ୟମରେ ରିପୋର୍ଟ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.