ETV Bharat / state

ଲାଭବାନ କରୁଛି କ୍ବାରେଣ୍ଟିନା ଓ ଭାଲେଣ୍ଟିନା: ରଙ୍ଗ ବେରଙ୍ଗ ଫୁଲକୋବି ଚାଷ କରି ମାଲାମାଲ ୨ ଭାଇ

author img

By ETV Bharat Odisha Team

Published : Feb 17, 2024, 11:23 AM IST

Colourful Cauliflower: ଭିନ୍ନ ଧରଣର ଫୁଲକୋବି ଚାଷ ଯୁବ ଚାଷୀଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ । ଚର୍ଚ୍ଚାରେ ରହିଛି ଏହି ରଙ୍ଗବେରଙ୍ଗର ଫୁଲକୋବି କ୍ବାରେଣ୍ଟିନା ଓ ଭାଲେଣ୍ଟିନା । ଅଧିକ ପଢନ୍ତୁ

କ୍ବାରେଣ୍ଟିନା ଓ ଭାଲେଣ୍ଟିନା ଚାଷ
କ୍ବାରେଣ୍ଟିନା ଓ ଭାଲେଣ୍ଟିନା ଚାଷ

କ୍ବାରେଣ୍ଟିନା ଓ ଭାଲେଣ୍ଟିନା ଚାଷ

ବୌଦ୍ଧ: ଚର୍ଚ୍ଚାରେ କ୍ବାରେଣ୍ଟିନା ଓ ଭାଲେଣ୍ଟିନା ଭଳି 2 ଟି ନୂଆ ପ୍ରକାରର ଫୁଲକୋବି । ଯୁବଚାଷୀ ଘାସିରାମ ଓ ତାଙ୍କ ଭାଇ ଅଜିତ ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ନୂଆ ଫୁଲକୋବି ଚାଷ କରିଛନ୍ତି । ବଜାରରେ ଏଭଳି ଫୁଲକୋବିର ବେଶ ଚାହିଦା ରହିଥିବାବେଳେ ଉପଯୁକ୍ତ ଦର ଯୋଗୁଁ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ଦୁଇ ଭାଇ । ଭିନ୍ନ ଧରଣର ଫୁଲକୋବି ଚାଷ ଯୁବ ଚାଷୀଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ । ବର୍ତ୍ତମାନ ବଜାରରେ ସାଧାରଣ ଫୁଲକୋବି ଦର କିଲୋ ମାତ୍ର ପାଞ୍ଚ ଟଙ୍କା ରହିଥିବାବେଳେ କ୍ବାରେଣ୍ଟିନା ଓ ଭାଲେଣ୍ଟିନା ଭଳି ଫୁଲକୋବି ଦର ଅଧିକ ରହିଛି।


ଚାଷକୁ ନେଇ ଦିନକୁ ଦିନ ନୂଆ ନୂଆ ଉଦ୍ୟମ ଜାରି ରହିଛି । ଏହାଛଡା ବର୍ତ୍ତମାନ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବିଭିନ୍ନ ଅର୍ଥକାରୀ ଫସଲ ଉପରେ ଗୁରୁତ୍ୱାରୋପ କରାଯାଉଛି । ବର୍ତ୍ତମାନ ଏଭଳି ନୂଆ ପ୍ରକାରର ଫୁଲକୋବି ଚାଷ କରି ଦୁଇ ଭାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ବୌଦ୍ଧ ଜିଲ୍ଲା ବଢିଗା ପଞ୍ଚାୟତ ଅନ୍ତର୍ଗତ ଛତନିଆକଟା ଗ୍ରାମର ଘାସିରାମ ଓ ତାଙ୍କ ସାନ ଭାଇ ଅଜିତ ନିଜର 1 ଏକର ଜମିରେ ଫୁଲକୋବି ଚାଷ କରିଛନ୍ତି । ଆଉ ସେହି କୋବିକୁ ନେଇ ସେମାନେ ବଜାରରେ ବିକ୍ରି କରିଥାନ୍ତି । ତେବେ ଗତ କିଛି ବର୍ଷ ପୂର୍ବରୁ ସେମାନେ ବ୍ରୋକଲି ଚାଷ ମଦ୍ୟ କରିଥିଲେ । ବର୍ତ୍ତମାନ ପ୍ରଥମ ଥର ପାଇଁ ବାଇଗଣୀ ଓ ହଳଦିଆ ରଙ୍ଗର ଫୁଲକୋବି ଚାଷ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ରଙ୍ଗୀନ ଫୁଲକୋବି ଚାଷୀଙ୍କୁ ମିଳିବ ପ୍ରୋତ୍ସାହନ, ଉଦ୍ୟାନ ବିଭାଗ ନେବ ଦାୟିତ୍ବ

ଭାଲେଣ୍ଟିନା ଓ କ୍ବାରେଣ୍ଟିନା ଭାବରେ ପରିଚିତ ଏହି ରଙ୍ଗବେରଙ୍ଗର କୋବିର ଢେର ଚାହିଦା ରହିଛି । ବୌଦ୍ଧ ଜିଲ୍ଲା ସଦରମହକୁମା ବଜାରରେ ପ୍ରଥମ ଥର ପାଇଁ ଏଭଳି ରଙ୍ଗବେରଙ୍ଗ ଫୁଲକୋବି ଦେଖିବାକୁ ମିଳୁଥିବାବେଳେ ତାହା ଗ୍ରାହକଙ୍କୁ ବେଶ ଆକୃଷ୍ଟ କରୁଛି । ଏହାଛଡା ଏହି ନୂତନ ଫୁଲକୋବି ରକ୍ତ ଶର୍କରା ନିୟନ୍ତ୍ରଣ ଓ ହୃଦରୋଗ ପାଇଁ ଲାଭଦାୟକ ଥିବା କୁହାଯାଉଛି । ସୂଚନା ମୁତାବକ ମାତ୍ର ଗୋଟିଏ ଏକର ଜମିରେ ପୂର୍ବରୁ ଫୁଲକୋବି ଚାଷ କରୁଥିବା ଦୁଇ ଭାଇ ଦର କମ ଯୋଗୁଁ କ୍ଷତିରେ ପଡୁଥିଲେ । କିନ୍ତୁ ବର୍ତ୍ତମାନ ଏହି ଦୁଇ ଚାଷୀ ଭାଇ ନିଜ ଜମିରେ ବ୍ରୋକଲି ଚାଷ ସହିତ କ୍ବାରେଣ୍ଟିନା ଓ ଭାଲେଣ୍ଟିନା ଭଳି 2 ଟି ନୂଆ ଫୁଲକୋବି ଚାଷ କରି ଲାଭବାନ ହୋଇପାରିଛନ୍ତି । ବୌଦ୍ଧ ବଜାର ସମେତ ଅନ୍ୟାନ୍ୟ ଜିଲ୍ଲାର ବଜାରକୁ ଫୁଲକୋବି ଯୋଗାଇ ଦେଉଛନ୍ତି ଏହି ଯୁବଚାଷୀ । ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଏନେଇ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.