ETV Bharat / state

ବିଶ୍ବ ମହୁମାଛି ଦିବସ: ପ୍ରକୃତିର ଭାରସାମ୍ୟ ରକ୍ଷା ସହ ଯୁବପିଢିଙ୍କୁ ସ୍ବାବଲମ୍ବୀ କରୁଛି ମହୁମାଛି - WORLD HONEY BEE DAY

author img

By ETV Bharat Odisha Team

Published : May 20, 2024, 10:55 PM IST

World Honey Bee Day: ଛୋଟ କୀଟ ହେଲେ ବି ନିଜର ମହତ୍ତ୍ବପୂର୍ଣ୍ଣ ଭୂମିକା ପାଇଁ ମହୁମାଛି ନିଜର ସ୍ବତନ୍ତ୍ର ସ୍ଥାନ ହାସଲ କରିଛି । କୋରାପୁଟର ସର୍ବୋଦୟ ସମିତି ପକ୍ଷରୁ ଆଜି ବିଶ୍ବ ମହୁମାଛି ଦିବସ ପାଳନ ହୋଇଛି । ଅଧିକ ପଢନ୍ତୁ

World Honey Bee Day
World Honey Bee Day (ETV Bharat Odisha)

World Honey Bee Day (ETV Bharat Odisha)

କୋରାପୁଟ: ଆଜି ହେଉଛି ବିଶ୍ବ ମହୁମାଛି ଦିବସ । ମହୁମାଛି ପରି ପରାଗ ସଙ୍ଗମକାରୀ କୀଟଙ୍କ ମହତ୍ତ୍ବପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ' ୨୦ରେ ବିଶ୍ବ ମହୁମାଛି ଦିବସ ପାଳନ କରାଯାଉଛି । ମହୁମାଛି ଚାଷ ସମାଜରେ ଯୁବପିଢିଙ୍କୁ ଆତ୍ମନିର୍ଭରଶୀଳ କରିବା କ୍ଷେତ୍ରରେ ଉପଯୋଗୀ ହୋଇପାରିବ । ମହୁମାଛିକୁ ସାଥିରେ ନେଇ ଯୁବ ପିଢ଼ି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଦିଗରେ ପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଛି ବୋଲି ସର୍ବୋଦୟ ସମିତିର ସମ୍ପାଦକ ପ୍ରଦୀପ ମହାନ୍ତି ମତବ୍ୟକ୍ତ କରିଛନ୍ତି ।

ଅନ୍ତର୍ଜାତୀୟ ବଜାରରେ ମହୁର ଚାହିଦା ରହିଥିବା ବେଳେ ଭାରତରେ ସେହି ବଜାରକୁ ମହୁ ଯୋଗାଇଦେବା ପାଇଁ ଭିତ୍ତିଭୂମି ରହିଛି । କୋରାପୁଟ ଜିଲ୍ଲାର କୃଷକ ଉତ୍ପାଦକ ଗୋଷ୍ଠୀ /କୃଷକ ଉତ୍ପାଦକ କମ୍ପାନୀ ଏବଂ ଅଗ୍ରଣୀ କୃଷକମାନଙ୍କ ପାଇଁ ମହୁ ରପ୍ତାନୀ ଭିଭିକ ଦକ୍ଷତା ବିକାଶ କରିବା ସହ କୋରାପୁଟ ଜିଲ୍ଲାରେ ଉତ୍ପାଦିତ ମହୁର କିପରି ପ୍ରକ୍ରିୟାକରଣ ଓ ଭବିଷ୍ୟତରେ କୃଷକ ଉତ୍ପାଦକ ଗୋଷ୍ଠୀ/କୃଷକ ଉତ୍ପାଦକ କମ୍ପାନୀ ମାନଙ୍କୁ ରପ୍ତାନୀ ଲାଗି ପ୍ରସ୍ତୁତ କରିବା ଏବଂ କୃଷି ଉଦ୍ୟୋଗୀକରଣକୁ ପ୍ରବର୍ତ୍ତାଇବା ପାଇଁ ସରକାରୀ ଓ ବେସରକାରୀ ଉଦ୍ୟମ ଜାରି ରହିଥିବା ସେ ସୂଚନା ଦେଇଛନ୍ତି । ଏହା ଦ୍ବାରା କୋରାପୁଟର କୃଷକଙ୍କର ମହୁ ଯଦି ଅନ୍ୟ ଦେଶକୁ ରପ୍ତାନୀ ହୁଏ ତେବେ କୃଷକମାନେ ନିଶ୍ଚିତ ଭାବରେ ଉପକୃତ ହେବେ ଏବଂ ସେମାନଙ୍କର ଆୟ ମଧ୍ୟ ବୃଦ୍ଧିପାଇବ ବୋଲି କହିଛନ୍ତି ପ୍ରଦୀପ ମହାନ୍ତି । କୋରାପୁଟ ଜିଲ୍ଲାରେ ପ୍ରତିବର୍ଷ 4-5 ଟନ ମହୁ ଉତ୍ପାଦନ ହେଉଥିବା ବେଳେ ବୈଜ୍ଞାନିକ ଜ୍ଞାନ କୌଶଳ ପ୍ରୟୋଗ କଲେ ଏହି ଅଂଚଳରେ ଏହାର ଦଶ ଗୁଣରୁ ଅଧିକ ଉତ୍ପାଦନ ହୋଇପାରିବାର ଭିତ୍ତିଭୂମି ଥିବା ନେଇ ସେ ମତପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ସ୍ବାବଲମ୍ବୀ କଲା ମହୁଚାଷ, ଦେଓମାଳି ପାଦଦେଶରେ ଆଦିବାସୀ ହେଉଛନ୍ତି ଉପକୃତ

ସେହିଭଳି କୋରାପୁଟ ଜିଲ୍ଲାରେ ଥିବା ଉନ୍ନତ ମାନର ଜୈବ ବିବିଧତା ବର୍ଷ ତମାମ ବିଭିନ୍ନ ଫୁଲ ଯୋଗାଇ ଦେଇଥାଏ । ତେଣୁ ମହୁ ଚାଷ ଲୋକଙ୍କ ପାଇଁ ଜୀବନ ଜୀବିକା ପୋଷଣ କରିବା ପାଇଁ ଏକ ସୁନ୍ଦର ସୁଯୋଗ ଆଣିଦେଇଛି ବୋଲି ବିଶିଷ୍ଟ କଫି ଉଦ୍ୟୋଗୀ ସୁଶାନ୍ତ କୁମାର ପଣ୍ଡା ମତ ରଖିଛନ୍ତି । ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ଶତାଧିକ ସାଧାରଣ ଚାଷୀ ଦେଶୀ ମହୁମାଛି ପାଳି ମହୁଚାଷ କରୁଥିବା ବେଳେ କିଛି ଅଗ୍ରଣୀ ଚାଷୀ ବିଦେଶୀ ମହୁମାଛି ଚାଷ କରିବା ମାଧ୍ୟମରେ ଉନ୍ନତମାନର ମହୁଚାଷ କରିବାରେ ସକ୍ଷମ ହୋଇଛନ୍ତି । ବର୍ଷର ବିଭିନ୍ନ ଋତୁକୁ ଆଖିରେ ରଖି ଫୁଟୁଥିବା ଫୁଲର କ୍ଷେତ ନିକଟକୁ ନିଜର ସମସ୍ତ ମହୁବାକ୍ସ ଗୁଡିକୁ ନେଇ ମହୁ ସଂଗ୍ରହ କରିପାରୁଛନ୍ତି । ଋତୁ ଅନୁଯାୟୀ ଫୁଟୁଥିବା ଫୁଲ ର କ୍ଷେତ ଓ ଜଙ୍ଗଲ ନିକଟକୁ ମହୁ ବାକ୍ସ ଗୁଡିକୁ ନେଇ ଅନେକ ଚାଷୀ ବର୍ଷ ତମାମ ଆୟ ବୃଦ୍ଧି କରୁଥିବା ସେ ଜଣାଇଛନ୍ତି । ମହୁମାଛି ମହୁ ସଂଗ୍ରହ କରିବା ସହ ପରାଗ ସଂଗମରେ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଥିବା ଯୋଗୁଁ ସରକାର ମଧ୍ୟ ମହୁଚାଷକୁ ଉଦ୍ୟାନ ବିଭାଗ ମାଧ୍ୟମରେ ପ୍ରୋତ୍ସାହନ ଯୋଗାଉ ଥିବା ସେ ଜଣାଇଛନ୍ତି ।

କୋରାପୁଟ ଜିଲ୍ଲାରେ ଦୁଇ ପ୍ରକାର ମହୁ ମାଛି ଚାଷ କରାଯାଏ । ଇଟାଲିଆନ ମହୁମାଛିର ଉତ୍ପାଦନ କ୍ଷମତା ଇଣ୍ଡିକା ମହୁମାଛି ଠାରୁ ଅଧିକା । ଇଟାଲିଆନ ମହୁମାଛି ବର୍ଷକୁ ବାକ୍ସ ପିଛା 20 -25 କିଲୋ ମହୁ ସଂଗ୍ରହ କରିପାରୁଥିବା ବେଳେ ଇଣ୍ଡିକା ମହୁମାଛି 10 -12 କିଲୋ ମହୁ ସଂଗ୍ରହ କରିପାରେ । ଅପରପକ୍ଷେ ବଣୁଆ ମହୁମାଛିର ମହୁ ଫେଣାରୁ ମହୁ ସଂଗ୍ରହ କରିବା କଷ୍ଟକର ହେଉଥିବା ବେଳେ ବାକ୍ସରେ ଚାଷ କରାଯାଉଥିବା ମହୁ ସଂଗ୍ରହ କରିବା ସହଜ । ତେବେ ସେ ଯେ କୌଣସି ପ୍ରକାରର ମହୁମାଛି ହୁଅନ୍ତୁ ନା କାହିଁକି, ଉଦ୍ଭିଦ ଜଗତର ପରାଗ ସଂଗମରେ ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଆଖିରେ ରଖି ସେମାନଙ୍କ ଯତ୍ନ ନେଇପାରିଲେ ଯିବା ଜଗତ ସୁସ୍ଥ ରହିପାରିବ ବୋଲି ସେ ଆଶାପୋଷଣ କରିଛନ୍ତି । 1970ରେ କୋରାପୁଟରେ ସର୍ବୋଦୟ ସମିତି ଦ୍ବାରା ମହୁଚାଷ ସମ୍ପର୍କରେ ତାଲିମ ଦିଆଯିବା ପରେ ବାକ୍ସ ମହୁ ଚାଷ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇଛି । କୃଷି ବିଭାଗ ଓ ଉଦ୍ୟାନ ବିଭାଗ ଆନୁକୂଲ୍ୟରେ ମହୁ ଚାଷ କରିବା ପାଇଁ ସାହାଯ୍ୟ ଓ ରିହାତି ପ୍ରଦାନ ଯୋଜନା କାର୍ଯ୍ୟକାରୀ ହେଉଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.