ETV Bharat / state

ସମୀକ୍ଷା କଲେ WODC ଅଧ୍ୟକ୍ଷ; ପ୍ରାଚୀନ ଶୈଳୀରେ ବିକଶିତ ହେବ ମୋହନଗିରି ଶୈବ ପୀଠ

author img

By ETV Bharat Odisha Team

Published : Feb 15, 2024, 11:02 PM IST

ସମୀକ୍ଷା କଲେ WODC ଅଧ୍ୟକ୍ଷ
ସମୀକ୍ଷା କଲେ WODC ଅଧ୍ୟକ୍ଷ

WODC Chairman Review Meeting: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି ଯେ, ଅନନ୍ୟ ଐତିହ୍ୟରାଜିର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ବ । କଳାହାଣ୍ଡି ଜିଲ୍ଲାରେ ଅନେକ ଐତିହ୍ୟ କିର୍ତ୍ତୀରାଜି ରହିଛି । ଏହାର ସଂରକ୍ଷଣ, ରକ୍ଷଣାବେକ୍ଷଣା ଓ ସୌନ୍ଦର୍ଯ୍ୟୀକରଣକୁ ଗୁରୁତ୍ବ ଦେଇଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ଅଧିକ ପଢନ୍ତୁ

ସମୀକ୍ଷା କଲେ WODC ଅଧ୍ୟକ୍ଷ; ପ୍ରାଚୀନ ଶୈଳୀରେ ବିକଶିତ ହେବ ମୋହନଗିରି ଶୈବ ପୀଠ

ଭୁବନେଶ୍ବର: ନିକଟରେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଜିଲ୍ଲାରେ ଅନେକ ପ୍ରକଳ୍ପର ସେ ଅନୁଧ୍ୟାନ କରିଥିଲେ । ପ୍ରକଳ୍ପ ଗୁଡିକର ଉନ୍ନତିକରଣ ପାଇଁ ସ୍ବତନ୍ତ୍ର ଖସଡା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ଆଧାରରେ ଆଜି ଏକ ସମୀକ୍ଷା ବୈଠକ ଖାରବେଳ ଭବନରେ ଅନୁଷ୍ଠିତ ହୋଇଛି । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସେ ସମୀକ୍ଷା କରିଛନ୍ତି । ଭିସି ଜରିଆରେ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡିଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି ଅସିତ ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି ଯେ, ଅନନ୍ୟ ଐତିହ୍ୟରାଜିର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ବ । କଳାହାଣ୍ଡି ଜିଲ୍ଲାରେ ଅନେକ ଐତିହ୍ୟ କିର୍ତ୍ତୀରାଜି ରହିଛି । ଏହାର ସଂରକ୍ଷଣ, ରକ୍ଷଣାବେକ୍ଷଣା ଓ ସୌନ୍ଦର୍ଯ୍ୟୀକରଣକୁ ଗୁରୁତ୍ବ ଦେଇଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ତେଣୁ ପରିଷଦ ବିଭିନ୍ନ ସମୟରେ ଆର୍ଥିକ ଅନୁଦାନ ପ୍ରଦାନ କରିଥାଏ । ପ୍ରାଚୀନ କିର୍ତ୍ତୀରାଜିର ସୌନ୍ଦର୍ଯ୍ୟୀକରଣ ପ୍ରାଚୀନ ଉପାୟରେ କରିବାକୁ ଗୁରୁତ୍ବ ଦେଇଛନ୍ତି ଅସିତ । ଭବାନୀପାଟଣା ବିମାଳ କନଭେଣ୍ଟ ସ୍କୁଲ ନିକଟସ୍ଥ ଜଳାଶୟର ପୁନରୁଦ୍ଧାର, ବନ୍ଧ ନିର୍ମାଣ, ଚଲାପଥ, ପାନୀୟ ଜଳ, ପାର୍କ ନିର୍ମାଣ ଓ ମାଛଚାଷ ପାଇଁ ଟାଙ୍କି ଆଦି ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ସ୍ଥାନୀୟ ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ।

ଅଧିକ ପଢନ୍ତୁ- ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ, ଉଦଘାଟନ କଲେ ବିଭିନ୍ନ ପ୍ରକଳ୍ପ

ଅନ୍ୟପକ୍ଷେ ଏମ.ରାମପୁର ବ୍ଲକ ମୋହନଗିରି ପ୍ରାଚୀନ ଶୈବ ପୀଠ ବାବା ଧବଳେଶ୍ବରଙ୍କ ମନ୍ଦିରର ଉନ୍ନତିକରଣ ନିମନ୍ତେ ଅସିତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଅସିତ କହିଛନ୍ତି ଯେ, ଏହା ଏକ ପ୍ରାଚୀନ ଶୈବ ପୀଠ । ଏହାର ରକ୍ଷଣାବେକ୍ଷଣା ପାଇଁ ଆବଶ୍ୟକ ପଡୁଥିବା ସମସ୍ତ ପଦକ୍ଷେପକୁ ପରିଷଦ ଗ୍ରହଣ କରିବ । ପ୍ରାଚୀନ ଶୈଳୀରେ ଏହି ପ୍ରାଚୀନ ମନ୍ଦିରର ସୌନ୍ଦର୍ଯୀକରଣ କରାଯିବ । ମନ୍ଦିର ପ୍ରାଙ୍ଗଣରେ ଥିବା ମ୍ୟୁଜିୟମକୁ ବିକଶିତ କରାଯିବା ସହ ନିକଟରେ ଥିବା ପୋଖରୀର ପୁନରୁଦ୍ଧାର କରାଯିବ । ମନ୍ଦିରରେ ଆଲୋକୀକରଣକୁ ମଧ୍ୟ ଧ୍ୟାନ ଦିଆଯିବ ।

ଅଧିକ ପଢନ୍ତୁ- ସୁବର୍ଣ୍ଣପୁରରେ ମହାନଦୀ ନେତ୍ର ଚିକିତ୍ସାଳୟର ହେବ ଉନ୍ନତିକରଣ, ସହଯୋଗ କରିବ WODC

କୋକସରା ବ୍ଲକ କନ୍ଦାଗଡ଼ରେ ପଥର ଖୋଦେଇ କାରିଗରଙ୍କ ପାଇଁ ସ୍ବତନ୍ତ୍ର ଭାବେ ଏକ ବ୍ୟବସାୟିକ ସ୍ଥାନ ନିର୍ମାଣ କରାଯିବାକୁ ନେଇ ବୈଠକରେ ଆଲୋଚନା ହୋଇଛି । ଯେଉଁଠି କାରିଗରଙ୍କ ଦକ୍ଷତା ବିକାଶ ପାଇଁ ଟ୍ରେନିଂ ଦିଆଯିବ । ଏହା ସହ ସେମାନଙ୍କ କଳାକୃତିର ବିକ୍ରୟ ପାଇଁ ସ୍ବତନ୍ତ୍ର ଭାବେ ଦୋକାନର ବ୍ୟବସ୍ଥା ମଧ୍ୟ କରାଯିବ । ଗୋଲାମୁଣ୍ଡା ବ୍ଲକରେ ଥିବା ଚୁରାପାହାଡ଼କୁ ମଧ୍ୟ ଇକୋଟୁରିଜିମ ଭାବେ ବିକଶିତ କରାଯିବାକୁ ପରିଷଦ ଯୋଜନା ରଖିଛି । ସ୍ଥାନୀୟ ପର୍ଯ୍ୟଟକଙ୍କ ସୁବିଧା ଓ ସୁରକ୍ଷା ପାଇଁ ବସିବା ସ୍ଥାନ, ପାନୀୟ ଜଳ, ଶୌଚାଳୟ, ଚଲାପଥ, ଟ୍ରେକିଂ ଟ୍ରାକ, ପାର୍କିଂ ଆଦିର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଅଧ୍ୟକ୍ଷ । ଏହା ସହ ନର୍ଲା ବ୍ଲକରେ ଥିବା ରାଣୀବନ୍ଧ ଜଳାଶୟର ପୁନରୁଦ୍ଧାର ସହ ଏହାର ସୌନ୍ଦର୍ଯ୍ୟୀକରଣ କରାଯିବାକୁ ସେ ସୂଚନା ଦେଇଛନ୍ତି । ବୈଠକରେ କୋକସରା, ଏମ.ରାମପୁର ଓ ଗୋଲାମୁଣ୍ଡା ବ୍ଲକରୁ ବିଭିନ୍ନ ଅଧିକାରୀ ଯୋଗ ଦେଇଛନ୍ତି । ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ କୁମାର ମିଶ୍ର ଓ ବୈଷୟିକ ପରାମର୍ଶଦାତା ସୁନୀଲ କୁମାର ନାୟକ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.