ETV Bharat / state

'ଓଡ଼ିଶା 1 ଟ୍ରିଲିୟନ ଡଲାର ଅର୍ଥନୀତି ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ କଥା ପାଣିର ଗାର ସଦୃଶ' - Satyabrata Panda targets State Govt

author img

By ETV Bharat Odisha Team

Published : Apr 11, 2024, 4:23 PM IST

Updated : Apr 11, 2024, 4:42 PM IST

Odisha Economy: ଓଡ଼ିଶା 1 ଟ୍ରିଲିୟନ୍ ଡଲାର ଅର୍ଥନୀତିରେ କେବେ ପହଞ୍ଚିବ ? ରିପୋର୍ଟ ଅନୁସାରେ 2070 ସୁଦ୍ଧା 1 ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପହଞ୍ଚିପାରିବ ରାଜ୍ୟ । ଏଣୁ ଡବଲ ଇଞ୍ଜିନ ସରକାର ଆଣି ସୁନାର ଓଡିଶା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା । ଅଧିକ ପଢନ୍ତୁ

BJP Press meet
BJP Press meet

'ଓଡ଼ିଶା 1 ଟ୍ରିଲିୟନ ଡଲାର ଅର୍ଥନୀତି ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ କଥା ପାଣିର ଗାର ସଦୃଶ'

ଭୁବନେଶ୍ବର: କେବେ ସୁଦ୍ଧା ଓଡ଼ିଶା 1 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବେ ମୁଖ୍ୟମନ୍ତ୍ରୀ ? ଏଭଳି ପ୍ରଶ୍ନ କରି ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା । ଖୁବଶୀଘ୍ର ଓଡ଼ିଶା 1 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ହେଲେ ଏହା ପାଣିର ଗାର ସଦୃଶ ବୋଲି ସେ କହି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ଏହା ଉପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେ କହିଛନ୍ତି ।

ସତ୍ୟବ୍ରତ ପଣ୍ଡା କହିଛନ୍ତି," ଛଳନା ଓ ଅହଙ୍କାର, ଭ୍ରଷ୍ଟାଚାର ଓ ଦିବା ସ୍ବପ୍ନର ଚାରି ଛକ ଉପରେ ବିଜେଡି ସରକାର ଓଡ଼ିଶାକୁ ଛିଡା କରିଛି । ନିଖୋଜ ସୁଯୋଗର ନାହିଁ ନାହିଁ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା । 2019ରେ ପ୍ରାଇସ ୱାଟରହାଉସ କ୍ରୁପୋର୍ସ ନାମକ ସଂସ୍ଥା କହିଥିଲା ଯେ, ଖୁବଶୀଘ୍ର ଓଡ଼ିଶା 1 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ । 2022 ମେକ ଇନ୍ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ମଧ୍ୟ କହିଥିଲେ ଖୁବଶୀଘ୍ର ଓଡ଼ିଶା 1 ଟ୍ରିଲିୟନ ଡଲାର ଅର୍ଥନୀତି ହେବ । କିନ୍ତୁ ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚର ରିପୋର୍ଟ ଅନୁସାରେ 2047 ସୁଦ୍ଧା 8ଟି ରାଜ୍ୟ 1 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହୋଇଥିବ ।"

କିନ୍ତୁ ଓଡ଼ିଶା 1 ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ହେବା ପାଇଁ 2070 ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ରିପୋର୍ଟ କହୁଛି । କାରଣ ଓଡ଼ିଶାର ବର୍ତ୍ତମାନ ଜିଏସଡିପି 110 ବିଲିୟନ ଡଲାର । ଆଉ ଗତ 7 ବର୍ଷ ଧରି ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର 7 % । ଏହି ଅଭିବୃଦ୍ଧି ହାର ବଜାୟ ରହିବା ତେବେ ଓଡ଼ିଶା 2070 ସୁଦ୍ଧା 1 ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପହଞ୍ଚିପାରିବ ବୋଲି ରିପୋର୍ଟ କହୁଛି । ରାଜ୍ୟରେ ଖଣି ଓ ଜଳ ସମ୍ପଦ, 480 କିମି ବେଳାଭୂମି ଭଳି ଅପାର ସମ୍ଭାବନା ଥିବା ବେଳେ କାହିଁକି ଓଡ଼ିଶା 2047 ସୁଦ୍ଧା 1 ଟ୍ରିଲିଅନ ଅର୍ଥନୀତି ହୋଇପାରିବ ନାହିଁ । 2070 ପର୍ଯ୍ୟନ୍ତ ଓଡ଼ିଶାକୁ କାହିଁକି ଅପେକ୍ଷା କରିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ 2024-25 ସୁଦ୍ଧା ଭାରତକୁ 5 ଟ୍ରିଲିଅନ ଅର୍ଥନୀତି କରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସେଥିପାଇଁ ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ନେଇଛନ୍ତି ମୋଦି ସରକାର ।

ଏହା ବି ପଢନ୍ତୁ- ଅନୂକୂଳ ତଥା ଉପଯୋଗୀ ନୀତି ଯୋଗୁଁ ରାଜ୍ୟର ଦ୍ରୁତ ଆର୍ଥିକ ଅଭିବୃଦ୍ଧି ସମ୍ଭବ ହୋଇଛି: ମନ୍ତ୍ରୀ ଅତନୁ

କିନ୍ତୁ ଓଡ଼ିଶାର କପି ପେଷ୍ଟ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଯୋଜନାକୁ ହାଇଜ୍ୟାକ କଲା ଭଳି ଅର୍ଥନୀତି ବାବଦରେ ମଧ୍ୟ କପିପେଷ୍ଟ କରିଥିଲେ । ସେହିପରି ରାଜ୍ୟ ସରକାର ମେକ ଇନ୍ ଓଡ଼ିଶା କରି କେତେ ପୁଞ୍ଜି ଆଣିଛନ୍ତି। ଏକ ପ୍ରତିଶତରୁ ବି କମ୍ ପୁଞ୍ଜିନିବେଶ ଓଡ଼ିଶାକୁ ଆସିଲା । 7 ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ସରକାର କହିଲେ । କିନ୍ତୁ 5 ହଜାର 800 ନିଯୁକ୍ତି ମିଳିଲା । ଓଡ଼ିଶାକୁ ମାତ୍ର 14.7 କୋଟି ଡଲାର ଟଙ୍କା ବିଦେଶୀ ପୁଞ୍ଜି ନିବେଶ ବା FDI ଆସିଛି । ଭାରତରେ 88 ହଜାର ଷ୍ଟାର୍ଟ ଅପ୍ ହୋଇଥିବା ବେଳେ ଓଡ଼ିଶାରେ ମାତ୍ର 1434 ଷ୍ଟାର୍ଟ ଅପ ହୋଇଛି । ଭାରତରେ 100 ୟୁନିକର୍ନ ଥିବା ବେଳେ ଓଡ଼ିଶାରେ ଗୋଟିଏ ହେଲେ ୟୁନିକର୍ଣ ନାହାନ୍ତି । ଓଡ଼ିଶାର ସ୍ଥାନ ଇନୋଭେସନ ଇଣ୍ଡେକ୍ସରେ 28 ରାଜ୍ୟ ମଧ୍ୟରେ ସବୁଠୁ ତଳେ ଅଛି । ଓଡ଼ିଶାର 41.6 ପ୍ରତିଶତ ଯୁବକ ବେକାର ବେକାର ଅଛନ୍ତି । ଏଭଳି ସ୍ଥିତିରେ ଓଡ଼ିଶା କେମିତି 1 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ । ସେଥିପାଇଁ ଆଗକୁ ନିର୍ବାଚନ ଅଛି। ରାଜ୍ୟବାସୀ ଓଡ଼ିଶାରେ ଡ଼ବଲ ଇଞ୍ଜିନ ସରକାର ଆଣନ୍ତୁ। ଡବଲ ଇଞ୍ଜିନ ସରକାର ଆସିଲେ ସୁନାର ଓଡିଶା ହେବ ବୋଲି କହିଛନ୍ତି ସତ୍ୟବ୍ରତ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 11, 2024, 4:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.