ETV Bharat / state

ଭୋଟର ସଚେତନତା ନେଇ ଅଭିନବ ପଦକ୍ଷେପ, VR ଦେବ ମତଦାନ ସୂଚନା - Virtually Voter Awareness

author img

By ETV Bharat Odisha Team

Published : May 4, 2024, 10:34 AM IST

Voter Awareness
Voter Awareness(Etv Bhrat Odisha)

Voter Awareness: ଭୋଟହାର ବଢାଇବା ପାଇଁ କୋରାପୁଟରେ ଭର୍ଚୁଆଲ ରିଅଲିଟି ( VR) ହେଡସେଟ ରହିବ । ଅଧିକ ପଢ଼ନ୍ତୁ

Voter Awareness (Etv Bhrat Odisha)

କୋରାପୁଟ: ଦେଶରେ ଚାଲିଛି ଗଣତନ୍ତ୍ରର ମହାପର୍ବ । ଏହି କ୍ରମରେ ରାଜ୍ୟରେ ଆସନ୍ତା ମେ' ମାସ 13 ତାରିଖରୁ ମତଦାନ ଆରମ୍ଭ ହେବାକୁ ଯାଉଛି । ତେବେ ଭୋଟହାର ବଢ଼ାଇବାକୁ କୋରାପୁଟ ଜିଲ୍ଲାରେ ଅନେକ ପ୍ରୟାସ କରାଯାଇଥିବା ବେଳେ ଭର୍ଚୁଆଲି ଲୋକଙ୍କୁ ମତଦାନ ବିଷୟରେ ସଚେତନ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଇଛି । ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟାର ଯୁଗରେ ସୃଜନଶୀଳତାକୁ ପ୍ରୟୋଗ କରି ନୂତନ ଧାରା ସୃଷ୍ଟି କରିହୁଏ । ଏହିପରି ଏକ ନିଆରା ପଦକ୍ଷେପ ନେଇଛି କୋରାପୁଟ ଜିଲ୍ଲା ପ୍ରଶାସନ । ଯାହାର ସୂଚନା ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳାପାଳ ଭି.କୀର୍ତ୍ତି. ଭାସନ ଦେଇଛନ୍ତି ।

ଉନ୍ନତ ମାନର ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ସରସ ସୁନ୍ଦର ଓ ପ୍ରଭାବଶାଳୀ କରିବା ପାଇଁ ବ୍ୟବହାର କରାଯାଏ ଭର୍ଚୁଆଲ ରିଆଲିଟି (VR) ହେଡସେଟ । ଯାହାକୁ ଯୁବ ଭୋଟରଙ୍କ ମଧ୍ୟରେ ଭୋଟଦାନ କେନ୍ଦ୍ରରେ ପ୍ରୟୋଗ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସଚେତନ କରାଇ ଭୋଟଦାନ କରିବା ନିମନ୍ତେ ବ୍ୟବହାର କରାଯିବା ଭଳି ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିଲ୍ଳାପାଳଙ୍କ ବୈଷୟିକ ପ୍ରେରଣାକୁ ଆଧାର କରି ଜିଲ୍ଲା ପ୍ରଶାସନର ଯୁବ କର୍ମଚାରୀଙ୍କ ଦ୍ଵାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଏହି ହେଡସେଟରେ ଏକ ମତଦାନ କେନ୍ଦ୍ରରେ ମତଦାତା ପ୍ରବେଶ କରିବା ପରେ କେଉଁ ସ୍ଥାନରେ କାହାକୁ ପ୍ରଥମେ ସାକ୍ଷାତ କରିବେ, ଆଙ୍ଗୁଠିରେ ମତଦାନ କାଳି ଲଗାଇବା ଭଳି କାର୍ଯ୍ୟଠାରୁ ଆରମ୍ଭ କରି ମତଦାନ କୋଠରୀରେ ଇଭିଏମକୁ କିପରି ବ୍ୟବହାର କରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ପ୍ରାମାଣିକ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ... ଭୋଟ ହାର ବଢ଼ାଇବାକୁ ସ୍ୱତନ୍ତ୍ର ପ୍ରୟାସ; ଓମଫେଡ଼ କ୍ଷୀର ପ୍ୟାକେଟରେ ଭୋଟର ସଚେତନତା - Voter Awareness On Omfed Milk

ଏହାକୁ ପରିଧାନ କରି ଯେକୌଣସି ଭୋଟର ମତଦାନ କେନ୍ଦ୍ରର ବିସ୍ତୃତ ଆୟୋଜନ ସମ୍ପର୍କରେ ଜାଣିବାରେ ସକ୍ଷମ ହେବେ ବୋଲି ଆଶା କରିଛି ଜିଲ୍ଲା ପ୍ରଶାସନ । ଏହା ବିଶେଷ କରି ପ୍ରଥମ ଥର ପାଇଁ ଭୋଟଦାନ କରୁଥିବା ଯୁବପିଢିଙ୍କ ଲାଗି ବେଶ ଉପଯୋଗୀ ହୋଇପାରିବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ଚାଲିଥିବା ଭୋଟର ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ମିତ ସାତଟି ଭିଆର ହେଡସେଟ ନୂତନ ମତଦାତାଙ୍କ ମଧ୍ୟରେ ଅଧିକ ଆଗ୍ରହ ସୃଷ୍ଟି କରିବ ବୋଲି ଜିଲ୍ଲାପାଳ ମତ ରଖିଛନ୍ତି ।

ଯୁବପିଢି ବିଶେଷ କରି ସାଧାରଣ ନିର୍ବାଚନରେ ପ୍ରଥମ ଥର ଭୋଟ ଦେଉଥିବା ଯୁବକ ଯୁବତୀଙ୍କ ମଧ୍ୟରେ ଭୋଟଦାନ ମାଧ୍ୟମରେ ନିଜ ମତାମତ ଉପସ୍ଥାପନ କରିବାର ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରିବା ପାଇଁ କୋରାପୁଟ ଜିଲ୍ଳାପାଳ ଭି. କୀର୍ତ୍ତି. ଭାସନଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ବେଳେ ଆଜି ଭିଆର ହେଡସେଟ ମାଧ୍ୟମରେ ଭୋଟରଙ୍କୁ ସଚେତନ କରାଯିବାର ପ୍ରୟାସ ଯେ ଆହୁରି ଫଳପ୍ରଦ ହେବ ସେଥିରେ ସନ୍ଦେହ ନାହିଁ ।

ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ କିଛି ଦିନ ବାକି ରହିଥିବା ବେଳେ ଭୋଟରଙ୍କୁ ଏକ ଅଭିନବ ଉପାୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତାର ବାର୍ତ୍ତା ମାଧ୍ୟମରେ ଆହ୍ବାନ ଦିଆଯାଇଛି । ଯାହା ସମସ୍ତ ଭୋଟରଙ୍କ ପାଇଁ ଏକ ପ୍ରେରଣା । ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ବ୍ଲକ ପ୍ରଶାସନ ନିଜ ନିଜ ଅଞ୍ଚଳରେ ଭୋଟରଙ୍କୁ ମତଦାନର ମହାନତା ଓ ଆଧାର ସମ୍ପର୍କରେ ସଚେତନତା କରାଇ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.