ETV Bharat / state

ରୋକି ପାରିନି ଦୃଷ୍ଟିହୀନତା, ବ୍ରେଲିରେ ପଢି ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଦେବେ ମାଟ୍ରିକ ପରୀକ୍ଷା

author img

By ETV Bharat Odisha Team

Published : Feb 18, 2024, 7:10 PM IST

Visually Impaired Students Preparing For Matric Examination: ଆସନ୍ତା ଫେବୃଆରୀ ୨୦ ତାରିଖରୁ ମାଟ୍ରିକ ପରୀକ୍ଷା । ବ୍ରହ୍ମପୁର ଆମ୍ବପୁଆରେ ରେଡକ୍ରସ ଦୃଷ୍ଟିବାଧିତ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଛନ୍ତି । ତେବେ କିପରି ରହିଛି ତାଙ୍କର ପ୍ରସ୍ତୁତି ? ଦେଖନ୍ତୁ ଏହି ରିପୋର୍ଟ

ରୋକି ପାରିନି ଦୃଷ୍ଟିହୀନତା, ବ୍ରେଲିରେ ପଢି ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଦେବେ ମାଟ୍ରିକ ପରୀକ୍ଷା
ରୋକି ପାରିନି ଦୃଷ୍ଟିହୀନତା, ବ୍ରେଲିରେ ପଢି ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଦେବେ ମାଟ୍ରିକ ପରୀକ୍ଷା

ମାଟ୍ରିକ ପରୀକ୍ଷା ପାଇଁ ଦୃଷ୍ଟିବାଧିତ ବିଦ୍ୟାର୍ଥୀ ପ୍ରସ୍ତୁତ , ବ୍ରେଲି ପୁସ୍ତକ ସହ ଶିକ୍ଷକ କରୁଛନ୍ତି ସହାୟତା

ବ୍ରହ୍ମପୁର: ଆସନ୍ତା ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ଛାତ୍ର ଜୀବନର ଏହି ପ୍ରଥମ ହର୍ଡଲକୁ ପାର କରିବା ପାଇଁ ଛାତ୍ରଛାତ୍ରୀ ଆପ୍ରାଣ ପ୍ରଣେ ଉଦ୍ୟମ କରିଥାନ୍ତି । ତେବେ ପରୀକ୍ଷାର ମହାପର୍ବ ପାଇଁ ଛାତ୍ରଛାତ୍ରୀ ମାନଙ୍କଠାରୁ ଆରମ୍ଭ କରି ସ୍କୁଲ ଓ ବୋର୍ଡ କର୍ତ୍ତୃପକ୍ଷ ନିଜର ଚୂଡାନ୍ତ ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ଏ କ୍ଷେତ୍ରରେ ପଛରେ ପଡିନାହାନ୍ତି ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ବ୍ରହ୍ମପୁର ସହରର ଆମ୍ବପୁଆଠାରେ ରହିଥିବା ରେଡକ୍ରସ ଦୃଷ୍ଟିବାଧିତ ବିଦ୍ୟାଳୟରେ ପଢୁଥିବା ଦୃଷ୍ଟି ବାଧିତ ଛାତ୍ରଛାତ୍ରୀମାନେ ନିଜର ମାଟ୍ରିକ ପରୀକ୍ଷା ଦେବା ପାଇଁ ବେଶ ଉତ୍ସାହିତ ଅଛନ୍ତି ।

ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକଠାରୁ ଆରମ୍ଭ କରି ଏହାର ସିଲାବସ ପର୍ଯ୍ୟନ୍ତ କେବେ ମଧ୍ୟ ନିଜ ଆଖିରେ ସ୍ପଷ୍ଟ ଭାବରେ ଦେଖିନଥିବା ଏହି ବିଦ୍ୟାର୍ଥୀମାନେ ଚଳିତବର୍ଷ ଦେବାକୁ ଯାଉଛନ୍ତି ମାଟ୍ରିକ ପରୀକ୍ଷା । ଆଖିକୁ ସ୍ପଷ୍ଟ ଭାବେ ଦିଶୁନଥିବା ବେଳେ ହାତର ଆଙ୍ଗୁଳିରେ ଅକ୍ଷରକୁ ଚିହ୍ନଟ କରି କରି ବ୍ରେଲି ଅକ୍ଷରରେ ଦୀର୍ଘ ବର୍ଷ ଧରି ସେମାନେ ଅଧ୍ୟୟନ କରି ଆସିଛନ୍ତି । ତେବେ ସେମାନଙ୍କ ପାଠପଢା ଶେଷ କରି ରିଭିଜନ ଚାଲୁ ରହିଥିବା ବେଳେ ପରୀକ୍ଷାର ପ୍ରଶ୍ନପତ୍ର ଓ ନିଜର ପ୍ରାକ୍ ପ୍ରସ୍ତୁତିକୁ ନେଇ ବେଶ ଉତ୍ସାହୀ ଅଛନ୍ତି ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ନିଜର କଠିନ ପରିଶ୍ରମର ଭଲ ଫଳ ପାଇଁ ସେମାନେ ଖୁବ ଆଶାବାଦୀ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଅନନ୍ୟ ଗୁରୁ ବ୍ରହ୍ମପୁରର କେଦାର ସାର୍, ଅବସର ପରେ ବି ଜାରି ରହିଛି ଶିକ୍ଷାଦାନ

ପିଲାମାନେ ନିଜର ବ୍ରେଲିରେ ଲେଖାଯାଇଥିବା ପାଠ୍ୟ ପୁସ୍ତକକୁ ଛୁଇଁ ଛୁଇଁ ପଢୁଥିବା ବେଳେ ସେମାନଙ୍କ ରିଭିଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି କୌଣସି ବିଷୟରେ ସନ୍ଦେହ ରହିଲେ ଶିକ୍ଷକ ମାନେ ତାହାକୁ ଦୂର କରୁଛନ୍ତି । ତେବେ ସରକାରୀ ନିୟମ ଅନୁସାରେ ସ୍ବତନ୍ତ୍ର ଶିକ୍ଷାରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀଙ୍କୁ ମାଟ୍ରିକ ପରୀକ୍ଷାରେ ଲେଖିବା ପାଇଁ ସହାୟକ ରୂପେ ତା ଠାରୁ କମ ବୟସର ବିଦ୍ୟାର୍ଥୀକୁ ନିଯୁକ୍ତ କରାଯାଇଥାଏ । ସେହି ସହାୟକ ତାଙ୍କୁ ପ୍ରଶ୍ନ ପଢି ଶୁଣାଇବା ସହ ସେମାନଙ୍କ ଉତ୍ତରକୁ ପରୀକ୍ଷା ଖାତାରେ ଲେଖିଥାନ୍ତି । ଏଥିସହିତ ପରୀକ୍ଷାରେ ମଧ୍ୟ ଅତିରିକ୍ତ ୨୦ ମିନିଟ ସମୟ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି । ତେବେ ପୂର୍ବ ବର୍ଷ ମାନଙ୍କ ଭଳି ଏ ବର୍ଷ ମଧ୍ୟ ଛାତ୍ରଛାତ୍ରୀ ଭଲ ଅଙ୍କ ରଖି ପାସ ହେବେ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.