ETV Bharat / state

ମୌଳିକ ସୁବିଧାରୁ ବଞ୍ଚିତ ନିପୋ ଗ୍ରାମବାସୀ, ସଫା ସଫା ଦେଲେ ଭୋଟ ବର୍ଜନ ଚେତାବନୀ - Vote Boycott threaten

author img

By ETV Bharat Odisha Team

Published : May 11, 2024, 3:39 PM IST

Vote Boycott Threaten: ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ କେନ୍ଦୁଝର ଜିଲ୍ଲା ନିପୋ ଗ୍ରାମବାସୀ । ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ ଚେତାବନୀ । ଅଧିକ ପଢନ୍ତୁ

Vote Boycott threaten
Vote Boycott threaten (ETV Bharat Odisha)

Vote Boycott threaten (ETV Bharat Odisha)

କେନ୍ଦୁଝର: ସରକାରୀ ଯୋଜନାରୁ ବଞ୍ଚିତ ନିପୋ ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ । ଆଦିମ ଜନଜାତିଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ଲକ୍ଷ୍ୟରେ ସରକାରୀ ସ୍ତରରେ ସେମାନଙ୍କ ପାଇଁ ଅନେକ କରାଯାଉଥିବା କୁହାଯାଉଥିବା ବେଳେ ଏବେବି ଏଭଳି ଅନେକ ଗାଁ ରହିଛି ଯେଉଁଠି ଲୋକମାନଙ୍କ ପାଖରେ ରାସ୍ତାଘାଟ, ପାନୀୟ ଜଳ ଭଳି ସୁବିଧା ପହଞ୍ଚି ପାରୁନାହିଁ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ କୁଆଁର ପଞ୍ଚାୟତ ନିପୋ ଗ୍ରାମରେ ସରକାରଙ୍କ ଯୋଜନା ଅପହଞ୍ଚ ଥିବାବେଳେ ସେମାନଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ଓ୍ବାର୍ଡ ସଭ୍ୟା ଚିଲ ସନଙ୍ଗୀଙ୍କ ନେତୃତ୍ବରେ ଗ୍ରାମର ମହିଳା ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ଗ୍ରାମବାସୀମାନେ ଭୋଟ ଦେବେ ନାହିଁ ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ବାରମ୍ୱାର ଗୁହାରି ପରେ ବି ମିଲିଲାନି ମୌଳିକ ସୁବିଧା; ଏଥର ଭୋଟ୍ ବର୍ଜନ, ଗାଁକୁ ଆସିବେନି ରାଜନେତା - Vote Boycott Threatened

ଜାତୀୟ ରାଜପଥ ୪୯ ଠାରୁ ମାତ୍ର ୨୦୦ମିଟର ଦୂରରେ ଅବସ୍ଥିତ ନିପୋ ଗ୍ରାମରେ ୧୦୨ ପରିବାର ବସବାସ କରୁଥିବା ବେଳେ ଏହି ଗ୍ରାମବାସୀଙ୍କ ପାଇଁ ପାନୀୟଜଳ, ବିଦ୍ୟୁତ୍ ଓ ଯାତାୟାତ ଯୋଗ୍ୟ ରାସ୍ତାଟିଏ ମଧ୍ୟ ନିର୍ମାଣ ହୋଇପାରିଲା ନାହିଁ । ଗ୍ରାମରେ ଯଦିଓ ୭ଟି ନଳକୂପ ରହିଛି ସେଥୁରୁ ୪ଟି ଅଚଳ ଥିବାବେଳେ ୨ଟି ନଳକୂପର ପାଣି ବ୍ୟବହାର ଯୋଗ୍ୟ ହୋଇ ନଥିବାରୁ ବର୍ଷତମାମ ଗ୍ରାମବାସୀ ପାନୀୟଜଳ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି ବୋଲି ୱାର୍ଡ ସଭ୍ୟା ଚିଲ ସନଙ୍ଗୀ କହିଛନ୍ତି ।

ଗ୍ରାମକୁ ସୋଲାର ମାଧ୍ୟମରେ ବିଦ୍ୟୁତ ଯୋଗାଣ ପାଇଁ ଆଜକୁ ୭ ବର୍ଷ ଧରି ଉଦ୍ୟମ ଜାରି ରହିଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ସେହିଭଳି ଜାତୀୟ ରାଜପଥ ଠାରୁ ମାତ୍ର ୨୦୦ମିଟର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଯାତାୟାତ ଯୋଗ୍ୟ ନଥ‌ିବାରୁ ବର୍ଷା ଋତୁରେ ସେହି ବାଟ ଦେଇ ଯିବା କଷ୍ଟସାଧ୍ୟ ହୋଇପଡୁଛି । ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଗୃହର ଛାତରୁ ପାଣି ଗଳିବା ସହ ଘର ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଅଙ୍ଗନବାଡି ସହାୟିକାଙ୍କ ବାସଭବନରେ ଅଙ୍ଗନବାଡି କେନ୍ଦ୍ର ଚାଲୁଛି । ନୂତନ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ନେଇ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ ।

ଏହିସବୁ ସମସ୍ୟାର ସମାଧାନ ନିମନ୍ତେ ଗ୍ରାମର ମହିଳାମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ଯଦି ସମସ୍ୟା ଗୁଡିକର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଚଳିତ ନିର୍ବାଚନରେ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି ।



ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.