ETV Bharat / state

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାନା ବିକ୍ରି ନେଇ ୨ ସେବାୟତ ଗୋଷ୍ଠୀ ମୁହାଁମୁହିଁ

author img

By ETV Bharat Odisha Team

Published : Jan 30, 2024, 10:27 PM IST

Updated : Jan 30, 2024, 10:43 PM IST

Sri Mandir Servitors clash
Sri Mandir Servitors clash

Sri Mandir Servitors clash: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ମହାପ୍ରଭୁଙ୍କ ବାନା ବିକ୍ରିକୁ ନେଇ ଦୁଇ ସେବାୟତ ଗୋଷ୍ଠୀ ମୁହାଁମୁହିଁ । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାନା ବିକ୍ରି ନେଇ ୨ ସେବାୟତ ଗୋଷ୍ଠୀ ମୁହାଁମୁହିଁ

ପୁରୀ: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ଭକ୍ତଙ୍କୁ ମହାପ୍ରଭୁଙ୍କ ବାନା ବିକ୍ରିକୁ କେନ୍ଦ୍ର କରି ଶ୍ରୀମନ୍ଦିରରେ ଭିତରେ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଛି । ଏହି ଘଟଣା ନେଇ ସିଂହଦ୍ଵାର ଥାନାରେ ମାମଲା ରୁଜୁ ହେଇଛି । ଏହି ଗଣ୍ଡଗୋଳ ଘଟଣାରେ ଉଭୟ ପକ୍ଷର ଦୁଇଜଣ ସେବାୟତ ଆହତ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ଚୂନରା ସେବାୟତଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହେବାରୁ କିଛି ସମୟ ଧରି ଶ୍ରୀମନ୍ଦିରରେ ବାନା ଲାଗି ହୋଇପାରିନଥିଲା ।

ଆହତ ଦୁଇଜଣ ହେଉଛନ୍ତି ମେକାପ ସେବାୟତ ସୋମନାଥ ମେକାପ ଓ ଅନ୍ୟ ଜଣେ ଚୁନରା ସେବାୟତ ଶାରଦା ମହାନ୍ତି । ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ଉଭୟଙ୍କ ମଧ୍ୟରେ ହୋଇଥିଲା ମାରପିଟ । ଶ୍ରୀମନ୍ଦିର ଜଗମୋହନରେ ସମ୍ପୃକ୍ତ ମେକାପ ସେବକ ବେଆଇନ ଭାବରେ ବାନା ବିକ୍ରି କରୁଥିବା ଅଭିଯୋଗ କରି ଚୁନରା ସେବକ ତାଙ୍କୁ ବାରଣ କରିଥିଲେ । ତାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ଗାଳିଗୁଲଜ ଓ ପରେ ମାରପିଟ ହେଇଥିଲା । ଏନେଇ ସିଂହଦ୍ଵାର ଥାନାରେ ଚୁନରା ସେଵକଙ୍କ ତରଫରୁ ଲିଖିତ ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ- ହେତୁବାଦୀଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ, ସେବାୟତ ସଙ୍ଘ ପକ୍ଷରୁ ଏତଲା

ହେଲେ ପ୍ରଶାସନର ହସ୍ତକ୍ଷେପ ପରେ ନୀଳଚକ୍ରରେ ବାନା ବନ୍ଧା ଯାଇଛି । ଚୁନରା ସେବକ କହିଛନ୍ତି ଯେ ଶ୍ରୀମନ୍ଦିରରେ ବାନା ବିକ୍ରି କରିବା କେବଳ ଚୂନରା ସେବକଙ୍କ ଅଧିକାର ରହିଛି । ହେଲେ ଗତ କିଛି ଦିନ ହେଵ ମେକାପ ସେବାୟତମାନେ ଶ୍ରୀମନ୍ଦିର ବାହାରୁ ବେଆଇନ ଭାବେ ବାନା ଆଣି ଭକ୍ତଙ୍କୁ ବିକ୍ରି କରୁଛନ୍ତି । ମହାପ୍ରଭୁଙ୍କ ନୀଳଚକ୍ରରେ ବାନା ଲାଗି ହେବା ପରେ ଏହାକୁ ଚୂନରା ସେବକମାନେ ଭକ୍ତଙ୍କୁ ବିକ୍ରି କରନ୍ତି । କିନ୍ତୁ ଗତ କିଛିମାସ ହେବ ମେକାପ ସେବାୟତମାନେ ବେଆଇନ ଭାବେ ବାହାରୁ ବାନା କିଣି ନୀଳଚକ୍ରରେ ବାନା ଲାଗି ହୋଇଥିବା ମିଛରେ କହି ଭକ୍ତଙ୍କୁ ଚଢା ଦରରେ ବାନା ବିକ୍ରି କରୁଛନ୍ତି । ଏ ନେଇ ଚୂନରା ସେବକ ଶ୍ରୀମନ୍ଦିର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ କୌଣସି କାର୍ଯ୍ୟନୁଷ୍ଠାନ ନେଉନାହିଁ ।

ଶ୍ରୀମନ୍ଦିର ପ୍ରଶାସନ କାହା ଚାପରେ ଭକ୍ତଙ୍କୁ ବେଆଇନ ବାନା ବିକ୍ରିକୁ ସମର୍ଥନ କରୁଛି ବୋଲି ଚୂନରା ସେବକ ପ୍ରଶ୍ନ କରିଛନ୍ତି । ତେବେ ଶ୍ରୀମନ୍ଦିରକୁ ସେବା ପାଇଁ ଆସି ଆକ୍ରମଣ ସମ୍ମୁଖୀନ ହୋଇଥିବା ବେଳେ ଆମକୁ କିଏ ସୁରକ୍ଷା ଦେବ ବୋଲି ଚୂନରା ସେବକ କହିଛନ୍ତି । ସେପଟେ ମେକାପ ସେବାୟତ କହିଛନ୍ତି, "ଭକ୍ତଙ୍କୁ ବାନା ବିକ୍ରି କରିବା ଆମର ଅଧିକାର ରହିଛି । ଭକ୍ତ ମାନେ କହିଲେ ଆମେ ମହାପ୍ରଭୁଙ୍କୁ ସ୍ପର୍ଶ କରାଇ ବାନା ବିକ୍ରି କରୁଛୁ । ଆମେ କିଛି ବେଆଇନ କାମ କରୁନୁ । ଆମକୁ ଚୂନରା ସେବକ ବିରୋଧ କରି ଆକ୍ରମଣ କରିବା ଠିକ ନୁହେଁ ।" ତେବେ ପ୍ରଶାସନ ଏହି ଘଟଣାର ସମାଧାନ କରିବା ଉଚିତ ବୋଲି ମେକାପ ସେବାୟତ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated :Jan 30, 2024, 10:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.