ETV Bharat / state

ମାଳି ପର୍ବତରେ ଖଣି ଖନନକୁ ବିରୋଧ, ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

author img

By ETV Bharat Odisha Team

Published : Mar 12, 2024, 11:54 AM IST

ମାଳି ପର୍ବତରେ ଖଣି ଖନନକୁ ବିରୋଧ
ମାଳି ପର୍ବତରେ ଖଣି ଖନନକୁ ବିରୋଧ

Mali Hill Bauxite Mining: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ କଙ୍କଡ଼ାମ୍ବରେ ଥିବା ମାଳି ପର୍ବତରେ ଖଣି ଖନନକୁ ବିରୋଧ । ଦାବି ପୂରଣ ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଲା ମାଳି ପର୍ବତ ସୁରକ୍ଷା ସମିତି । ଅଧିକ ପଢନ୍ତୁ

ମାଳି ପର୍ବତରେ ଖଣି ଖନନକୁ ବିରୋଧ

କୋରାପୁଟ: ମାଳି ପର୍ବତରେ ଖଣି ଖନନକୁ ବିରୋଧ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ କଙ୍କଡ଼ାମ୍ବ ଠାରେ ମାଳି ପର୍ବତରେ ଖଣି ଖନନର ପରିବେଶ ମଞ୍ଜୁରୀ ପାଇଁ ହିଣ୍ଡାଲକୋ କମ୍ପାନୀ ଓ ରାଜ୍ୟ ସରକାର ବିଭିନ୍ନ ଉପାୟ ଅବଲମ୍ବନ କରି ପ୍ରଚେଷ୍ଟା ଜାରି ରଖିଛନ୍ତି । ହେଲେ ଆଦିବାସୀଙ୍କ ମଧ୍ୟରେ ଏହାକୁ ନେଇ ଆକ୍ରୋଶ ଓ କ୍ଷୋଭ କମିବାର ନାଁ ଧରୁନି । ଖଣି ଖନନକୁ ବିରୋଧ କରି ଗତକାଲି (ସୋମବାର) ମାଳି ପର୍ବତ ସୁରକ୍ଷା ସମିତିର ସଦସ୍ୟ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି ।

ମାଳି ପର୍ବତରେ ଖଣି ଖନନ ପାଇଁ ଯୋଜନାକୁ ରଦ୍ଦ କରି ପ୍ରକୃତି ଉପରେ ଥିବା ଲୋକଙ୍କ ଅଧିକାରରୁ ସେମାନଙ୍କୁ ସରକାର ବଞ୍ଚିତ ନ କରିବା ପାଇଁ ସଂଘର ସଦସ୍ୟମାନେ ଅପିଲ କରିଛନ୍ତି । ଏହି ପର୍ବତ ଅଞ୍ଚଳରୁ 30ରୁ ଊର୍ଦ୍ଧ୍ଵ ଝରଣା ପ୍ରବାହିତ ହେଉଥିବା ଫଳରେ ଶତାଧିକ ଗ୍ରାମବାସୀ ଚାଷବାସ କରି ବଞ୍ଚୁଛନ୍ତି । ସେଥିପାଇଁ ଗତ 15 ବର୍ଷ ଧରି ଲୋକେ ଗଣତାନ୍ତ୍ରିକ ଆନ୍ଦୋଳନ ଦ୍ଵାରା ପ୍ରତିରୋଧ କରିଆସିଥିବା ଯୋଗୁଁ ଏଠାରେ ଖଣି ଖନନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସେମାନେ ଦାବି କରିଛନ୍ତି । ଯଦି ଦାବି ପୂରଣ ନହୁଏ ତେବେ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛି ସଂଘ ।

ଏହା ମଧ୍ୟ ପଢନ୍ତୁ- ସିଜିମାଳି ଖଣି ଖନନ ପାଇଁ ୧୦ ଗ୍ରାମରେ ପଲ୍ଲୀସଭା

ଏହା ମଧ୍ୟ ପଢନ୍ତୁ- ଜମିହରାଙ୍କୁ ମିଳୁନି ଉଚିତ ନ୍ୟାୟ, MCLର ମନମାନି ବିରୋଧରେ ତେଜୁଛି ଅସନ୍ତୋଷ

ସେହିପରି ଭାବେ ସୁନାବେଡ଼ା ସ୍ଥିତ ହିନ୍ଦୁସ୍ଥାନ ଏରୋନାଟିକ୍ସ ଲିମିଟେଡ଼ କମ୍ପାନୀ ପ୍ରତିଷ୍ଠା ସମୟରେ ବିସ୍ଥାପିତ ହୋଇଥିବା ପରିବାରର ଥଇଥାନ ପାଇଁ ବିସ୍ଥାପିତ ସଂଘର କର୍ମକର୍ତ୍ତା ଦାବି କରିଛନ୍ତି । ଏଥିସହ ସେମାନଙ୍କୁ କ୍ଷତିପୂରଣ ଦେବା ସହ ଜମି ଅଧିଗ୍ରହଣ କରାଯାଇ ବ୍ୟବହାର କରାଯାଉ ନଥିବା ବଳକା ଜମିକୁ ଲୋକଙ୍କୁ ଫେରାଇ ଦେବା ପାଇଁ ଦାବି କରିଛନ୍ତି । ଉଭୟ ସଂଘର ଦାବିପତ୍ରକୁ ସରକାରଙ୍କ ପାଖକୁ ପଠାଇବା ସହ ସଂଘ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.