ETV Bharat / state

ଓଡ଼ିଶା ଜଙ୍ଗଲରୁ ହିମାଚଳକୁ ହେଉଥିଲା କାଠ ଚାଲାଣ, ମାଡିବସିଲା ବନ ବିଭାଗ - Timber Smuggling

author img

By ETV Bharat Odisha Team

Published : Apr 12, 2024, 12:46 PM IST

Etv Bharat
Etv Bharat

Timber worth 18 lakh seized in Bargarh: ଓଡ଼ିଶାରୁ ହିମାଚଳ ପ୍ରଦେଶକୁ ବେଆଇନ ଭାବେ ଚାଲାଣ ହେଉଥିଲା ମୂଲ୍ୟବାନ କାଠ । ଖବର ପାଇ ଅଧ ବାଟରେ କାଠ ବୋଝେଇ ଟ୍ରକକୁ ମାଡିବସିଲା ବରଗଡ ବନ ବିଭାଗ । ୧୮ ଲକ୍ଷ ଟଙ୍କା ମୂଲ୍ୟର କାଠ ଜବତ । ଅଧିକ ପଡନ୍ତୁ

ହିମାଚଳକୁ ହେଉଥିଲା କାଠ ଚାଲାଣ

ବରଗଡ଼: ଓଡ଼ିଶା ଜଙ୍ଗଲରୁ ବାହାର ରାଜ୍ୟକୁ ହେଉଛି କାଠ ଚାଲାଣ । କାଠ ମାଫିଆ ଟନ୍ ଟନ୍ ମୂଲ୍ୟବାନ କାଠ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରୁଛନ୍ତି । ଏହିପରି ଭାବେ ଓଡ଼ିଶାରୁ ହିମାଚଳ ପ୍ରଦେଶକୁ ବିପୁଳ ପରିମାଣର ମୂଲ୍ୟବାନ କାଠ ଚାଲାଣ ହେଉଥିବା ବେଳେ ବରଗଡ ଠାରେ ମାଡିବସିଛି ବନ ବିଭାଗ । ବରଗଡ଼ ବନାଞ୍ଚଳ ଅନ୍ତର୍ଗତ ଅତାବିରା ଠାରେ ଜାତୀୟ ରାଜପଥ ୫୩ରୁ ଏହି ଖଇର କାଠ ବୋଝେଇ ଟ୍ରକ ଜବତ ହୋଇଛି । ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା ହୋଇଥିବା ବେଳେ ଏହା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲିରୁ ଲୋଡିଂ ହୋଇ ସମ୍ବଲପୁର-ଝାରସୁଗୁଡା ବାଟ ଦେଇ ହିମାଚଳ ପ୍ରଦେଶକୁ ଚାଲାଣ ହେଉଥିବା ଜଣାପଡିଛି ।

ଏହି କାଠ ଚୋରା ଚାଲାଣ ସମ୍ପର୍କରେ ଖବର ପାଇ ସମ୍ବଲପୁର ବନମଣ୍ଡଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟି.ଅଶୋକ କୁମାରଙ୍କ ନିର୍ଦ୍ଦେଶକ୍ରମେ ଓ ବରଗଡ଼ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ନେତୃତ୍ଵରେ ବନ ବିଭାଗ କର୍ମଚାରୀମାନେ ବରଗଡ଼ ବନାଞ୍ଚଳ ଅନ୍ତର୍ଗତ ଅତାବିରା ଅନ୍ତର୍ଗତ ଜାତୀୟ ରାଜପଥ ୫୩ରୁ CG04LB 8706 ନମ୍ବର ଥିବା ଖଇର କାଠ ବୋଝେଇ ଟ୍ରକ ଉପରେ ଚଢାଉ କରି ଏହାକୁ ଜବତ କରିବାରେ ସଫଳ ହୋଇଛନ୍ତି । ଟ୍ରକରେ ବୋଝେଇ ଥିବା ଖଇର କାଠ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲିରୁ ଲୋଡିଂ ହୋଇ ସମ୍ବଲପୁର-ଝାରସୁଗୁଡା ବାଟ ଦେଇ ହିମାଚଳ ପ୍ରଦେଶକୁ ଚାଲାଣ ହେଉଥିଲା । ଟ୍ରକରେ 18 ଟନ୍ କାଠ ବୋଝେଇ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ 18 ଲକ୍ଷ ଟଙ୍କା ହେବ ।

ଏହି ଚଢାଉରେ ବରଗଡ଼ ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଭୋଇ ସମେତ ଅନ୍ୟ ବନ କର୍ମଚାରୀ ସାମିଲ ଥିଲେ । ଏନେଇ ବରଗଡ଼ ବନାଞ୍ଚଳରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଟ୍ରକ ଡ୍ରାଇଭର ଅଶୋକ ମୁଢାକୁ ଗିରଫ କରାଯାଇ ଏହି ଚୋରା ଚାଲାଣରେ ଆଉ କାହା କାହାର ସଂପୃକ୍ତି ରହିଛି ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ବରଗଡ଼ DFO ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଲକ୍ଷାଧିକ ଟଙ୍କାର ଶାଗୁଆନ ଏବଂ ଗମ୍ଭାରୀ କାଠ ଜବତ, ୨ ଗିରଫ

ଓଡ଼ିଶାର କୋଣ ଅନୁକୋଣରୁ ଅନ୍ୟ ରାଜ୍ୟକୁ ମୂଲ୍ୟବାନ କାଠ ଚୋରା ଚାଲାଣ ହେଉଥିବା କାରଣରୁ ଧୀରେ ଧୀରେ ଓଡ଼ିଶାରେ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି । ବନ ବିଭାଗର କିଛି ଅସାଧୁ କର୍ମଚାରୀ ନିଜ ପକେଟ ଗରମ କରିବାକୁ ଯାଇ କାଠ ମାଫିଆଙ୍କ ସହିତ ସାଲିସ୍ କରି ଜଙ୍ଗଲ ନଷ୍ଟ କରିବାରେ ସହାୟତା କରୁଛନ୍ତି । ଏପରି ଅସାଧୁ କର୍ମଚାରୀଙ୍କ ପାଇଁ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ରହିଥିବା ଓଡ଼ିଶା ଉପରେ ବାହାର ରାଜ୍ୟର କାଠ ମାଫିଆମାନେ ଲୋଲୁପ ଦୃଷ୍ଟି ରଖିଛନ୍ତି ଏବଂ ଲଗାତାର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନ୍ୟ ରାଜ୍ୟକୁ ବେଆଇନ ଭାବେ ମୂଲ୍ୟବାନ କାଠ ଚୋରାଚାଲାଣ କରାଯାଉଛି ।

ବରଗଡ଼ ଜିଲ୍ଲାର ପଦ୍ମପୁର ଓ ପାଇକମାଳ ଅଞ୍ଚଳର ଘଞ୍ଚ ଜଙ୍ଗଲ ଭିତରୁ କାଠ ମାଫିଆମାନେ ବ୍ୟାପକ ମାତ୍ରାରେ ଶାଳ, ପିଆଶାଳ, ଚନ୍ଦନ କାଠ, କେନ୍ଦୁ କାଠ ଏପରି ବହୁ ମୁଲ୍ୟବାନ କାଠ ସବୁ ଜଙ୍ଗଲରୁ ଚୋରି କରି ବେଆଇନ ଭାବେ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରିଆସୁଛନ୍ତି । ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ଏପରି କାଠ ମାଫିଆଙ୍କ ସକ୍ରିୟ ରହିବା କାରଣରୁ ବହୁ ମାତ୍ରାରେ ଜଙ୍ଗଲ ନଷ୍ଟ ହେବାରୁ ଶେଷରେ ବନ ବିଭାଗର ଚେତା ପଶିଛି ଏବଂ କାଠ ଚୋରା ଚାଲାଣ ରୋକିବା ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି । ବର୍ତ୍ତମାନ ପରିସ୍ଥିତିରେ ବନ ବିଭାଗର ଧରପଗଡ ଯୋଗୁଁ ବରଗଡ ସହର ଦେଇ ବେଆଇନ ଭାବେ ଜଙ୍ଗଲଜାତ ଦ୍ରବ୍ୟ ଚାଲାଣ କରାଯିବା ପୂର୍ବପରି ସେତେଟା ସହଜ ନଥିବା ବେଳେ କାଠ ମାଫିଆଙ୍କ ନିଦ ହଜିଯାଇଛି । ଏପରିକି ବାହାର ରାଜ୍ୟରୁ ଆସୁଥିବା ଚୋରା କାଠ ଗାଡିକୁ ମଧ୍ୟ ବରଗଡ ବନ ବିଭାଗ କାବୁ କରିବାରେ ସଫଳ ହେଉଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.