ETV Bharat / state

ଓଡ଼ିଆ ଭାଷା ସମ୍ମିଳନୀରେ କୋଶଳ କର୍ମୀଙ୍କ ହଙ୍ଗାମା, 5 ଅଟକ

author img

By ETV Bharat Odisha Team

Published : Feb 6, 2024, 12:58 PM IST

Etv Bharat
Etv Bharat

World Odia language Conference: ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ହଙ୍ଗାମା କଲେ କୋଶଳ ସଂଗଠନ କର୍ମୀ । 5 ଜଣଙ୍କୁ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ

ଓଡ଼ିଆ ଭାଷା ସମ୍ମିଳନୀରେ କୋଶଳ କର୍ମୀଙ୍କ ହଙ୍ଗାମା

ବଲାଙ୍ଗୀର: ବଲାଙ୍ଗୀରରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀକୁ ବିରୋଧ । ସମ୍ମିଳନୀ ଚାଲିଥିବା ବେଳେ ମଞ୍ଚକୁ ଚଢି ପ୍ରବଳ ହଙ୍ଗାମା କଲେ କୋଶଳ ସଂଗଠନ କର୍ମୀ । ଦୀର୍ଘ ସମୟ ଧରି ବନ୍ଦ ରହିଲା ସମ୍ମିଳନୀ କାର୍ଯ୍ୟ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ 5 ଜଣ କୋଶଳ କର୍ମୀଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

ବଲାଙ୍ଗୀରରେ ରାଜ୍ୟ ସରକାରଙ୍କ ବିଶ୍ଵ ଓଡ଼ିଶା ସମ୍ମିଳନୀ 2024 ଜାରି ରହିଛି । ଏହି କ୍ରମରେ ସୋମବାର ପାଟଣାଗଡରେ ଉପଖଣ୍ଡ ସ୍ତରରେ ଓଡ଼ିଶା ଭାଷା ସମ୍ମିଳନୀ ପାଳନ କରାଯାଉଥିଲା । ସ୍ଥାନୀୟ ଗଙ୍ଗାଧର କଲେଜ ଛକଠାରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ କୋଶଳ ମୁକ୍ତି ମୋର୍ଚ୍ଚାର ସଦସ୍ୟମାନେ ହଠାତ ସମ୍ମିଳନୀକୁ ପ୍ରବେଶ କରି ମଞ୍ଚ ଉପରକୁ ଚଢ଼ି ଯାଇଥିଲେ । ପରେ ବନ୍ଦେ ଉତ୍କଳ ଜନନୀ ଗୀତକୁ ବନ୍ଦ କରି ଦେଇଥିଲେ। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ପାଟଣାଗଡ ବିଡ଼ିଓ ସୁମନ ମିଞ୍ଜ, ଏନଏସି ଅଧକ୍ଷା ମାନସୀ ବିଶ୍ଵାଳ ଓ ଜନସାଧାରଣ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ- ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋଶଳ କର୍ମୀଙ୍କ ସମ୍ମିଳନୀରେ ହଙ୍ଗାମା ପରେ ବହୁ ସମୟ ଧରି କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ଏନେଇ ଖବର ପାଇବା ପରେ ପାଟଣାଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ଭାଳି ଥିଲା । ସେହିପରି କୋଶଳ ମୁକ୍ତି ମୋର୍ଚ୍ଚାର ପାଞ୍ଚ ଜଣ ସଦସ୍ୟକୁ ଥାନାରେ ଅଟକ ରଖାଯାଇଛି । ଅଟକ କର୍ମୀ ହେଉଛନ୍ତି ସୁଶିଲ ଗୁରୁ, ସୁବାସ ଆଚାର୍ଯ୍ୟ, ଶାନ୍ତନୁ ବୁଦ୍ଧିଆ, ରାଜ ମେହେର, ଜନସନ ନାଗ ।

ଏହା ମଧ୍ୟ ପଢନ୍ତୁ- ଓୟୁଏଟିରେ ପ୍ରଥମ 'ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ', ଚାଷୀଙ୍କୁ ଓଡ଼ିଆରେ ତଥ୍ୟ ପହଞ୍ଚାଇବା ଲକ୍ଷ୍ୟ

ଫେବୃଆରୀ 3 ତାରିଖରୁ ଭୁବନେଶ୍ବର ଜନତା ମଇଦାନରେ ଆରମ୍ଭ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଏହାକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମ୍ମିଳନୀରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଦ୍ୱାନ ପଦ୍ମଶ୍ରୀ ପ୍ରଫେସର ହରମାନ କୁଲକେ, ପ୍ରଫେସର ଉୱେ ସ୍କୋଡା, ପ୍ରଫେସର ଆର୍ଲୋ ଗ୍ରିଫିଥସ, ପ୍ରଫେସର ଆଣ୍ଟେ ସ୍କିମେଡ଼ିଚେନ ଏବଂ ବହୁ ଜାତୀୟସ୍ତରର ବିଦ୍ୱାନ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ପ୍ରସଙ୍ଗ ଉପରେ ତିନି ଦିନ ଧରି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.