ETV Bharat / state

ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଗର୍ଜିଲେ ଶିକ୍ଷକ

author img

By ETV Bharat Odisha Team

Published : Feb 4, 2024, 7:14 AM IST

ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଗର୍ଜିଲେ ଶିକ୍ଷକ
ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଗର୍ଜିଲେ ଶିକ୍ଷକ

Teacher Association Protest: ଏଗାର ଦଫା ଦାବି ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକଙ୍କ ଆନ୍ଦୋଳନ । ଆସନ୍ତା ୭ ତାରିଖରେ ଭୁବନେଶ୍ଵର ଠାରେ ବିଶାଳ ସମାବେଶ କରାଯିବା ବୋଲି ସୂଚନା । ଅଧିକ ପଢନ୍ତୁ

ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଗର୍ଜିଲେ ଶିକ୍ଷକ

ଖୋର୍ଦ୍ଧା: ପୁଣି ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ଶିକ୍ଷକ ସଂଘ । ବିଗତ ଦିନରେ ରାଜ୍ୟର ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀ ବିଭିନ୍ନ ସମସ୍ୟା ନେଇ ବ୍ଲକ୍ ଠାରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନ କରିଥିଲେ । ହେଲେ ସରକାର ପ୍ରତିଶ୍ରୁତି ଦେଇ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇପାରିଲେ ନାହିଁ । ଫଳରେ ଶିକ୍ଷକମାନଙ୍କ ଭିତରେ ପୁଣି ଅସନ୍ତୋଷ ପ୍ରକାଶ ପାଇଛି । ସରକାରଙ୍କର ଉଦାସୀନତା ଓ ବୈମାତୃକ ମନୋଭାବ ବିରୋଧରେ ଖୋର୍ଦ୍ଧା ଜିଲ୍ଲାର ଶତାଧିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଗତକାଲି(ଶନିବାର) ଶିକ୍ଷକମାନେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ପ୍ରଥମେ ଗୀତାଭବନ ପଡ଼ିଆରୁ ବାହାରି ପୁରୁଣା ମେଡିକାଲ ରୋଡ଼ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ ସଭା କରିଥିଲେ । ସେମାନଙ୍କ ଦାବିଗୁଡ଼ିକ ହେଲା ଅଣ ଅନୁଦାନ ପ୍ରାପ୍ତ ୧୯୪ ବିଦ୍ୟାଳୟଙ୍କୁ ତୁରନ୍ତ ଅନୁଦାନ ପ୍ରଦାନ, ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ମୁତାବକ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ସହ ପେନସନ ପ୍ରଦାନ , ୨୨୬ ଓ ୩୯୯ ବିଦ୍ୟାଳୟକୁ ୭ମ ବେତନ ପ୍ରଦାନ, ଅନୁଦାନ ପ୍ରାପ୍ତ ସମସ୍ତ ବିଦ୍ୟାଳୟକୁ ସରକାରୀ କରଣ କରିବା । ଏହାସହ ଅବସର ବୟସ ସୀମା ୬୨ବର୍ଷକୁ ବୃଦ୍ଧି, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କର ୬ବର୍ଷର ଚୁକ୍ତି ଅବଧିକୁ ନିୟମିତ ଚାକିରିରେ ଯୋଗ କରିବା ସହିତ ୬ଟି ନ୍ୟାସନ୍ୟାଲ ଇନ୍‌କ୍ରିମେଣ୍ଟ ପ୍ରଦାନ କରିବା ।

ସେହିପରିି ବିଦ୍ୟାଳୟରେ ଖାଲି ପଡିଥିବା ପଦବୀକୁ ପୂରଣ, ୨୮୦୦ ଗ୍ରେଡ ପେରେ ଥିବା ଅସଙ୍ଗତି ଦୂରୀକରଣ, ୪୮ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ମୁତାବକ ଟିଜି ସ୍କେଲ ପ୍ରଦାନ, ବିପିଏଡ ଯୋଗ୍ୟତାଧାରୀ କ୍ରୀଡା ଶିକ୍ଷକମାନଙ୍କୁ ଟିଜି ସ୍କେଲ ପ୍ରଦାନ, ଅନୁଦାନ ପାଇଥିବା ୨ୟ, ୩ୟ, ୪ର୍ଥ ଶ୍ରେଣୀ କର୍ମଚାରୀ ଓ ୬, ୪୬, ୬୩ ବର୍ଗର ବିଦ୍ୟାଳୟ ଗୁଡିକରେ ଆଣ୍ଟିଡେସନ ଲାଗୁ କରିବା ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ, ନିର୍ଦ୍ଦେଶ ପରେ ମଧ୍ୟ ତଥ୍ୟ ଲୁଚାଉଛନ୍ତି ଜିଲ୍ଲା ଶିକ୍ଷାଧିକାରୀ

ଅନ୍ୟପଟେ ସରକାରଙ୍କ ସହ ବିଭିନ୍ନ ସମୟରେ ଆଲୋଚନା ହୋଇଥିଲେ ମଧ୍ୟ ମନ୍ତ୍ରୀସ୍ତରୀୟ କମିଟି ଆଳରେ ସରକାର ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ କରିଛନ୍ତି ଶିକ୍ଷକ । ଏହାର ପ୍ରତିବାଦରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ଓଷ୍ଟା ତରଫରୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହାର ପ୍ରତିବାଦରେ ଆସନ୍ତା ୭ ତାରିଖରେ ଭୁବନେଶ୍ଵର ଠାରେ ବିଶାଳ ସମାବେଶ କରାଯିବା ସହିତ ଅହୋରାତ୍ର ଧାରଣା କରାଯିବ ବୋଲି କର୍ମକର୍ତ୍ତାମାନେ ଘୋଷଣା କରିଛନ୍ତି । ଏଥିରେ ଓଷ୍ଟାର ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ , ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ରଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.