ETV Bharat / state

ଜମି ଅଧିଗ୍ରହଣ ପ୍ରକ୍ରିୟାରେ ବିଳମ୍ବ; ଆଗେଇ ପାରୁନି ତାଳଚେର-ବିମଳାଗଡ଼ ରେଳପଥ

author img

By ETV Bharat Odisha Team

Published : Feb 3, 2024, 10:46 PM IST

ଆଗେଇ ପାରୁନି ତାଳଚେର- ବିମଳାଗଡ଼ ରେଳପଥ
ଆଗେଇ ପାରୁନି ତାଳଚେର- ବିମଳାଗଡ଼ ରେଳପଥ

Talcher- Bimalagarh Railway Project Neglected: ତାଳଚେର- ବିମଳାଗଡ଼ ନୂତନ ରେଳପଥ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଦେବଗଡ଼ ଜିଲ୍ଲାରେ ଅଟକି ରହିଛି । ଯେଉଁଥିପାଇଁ ବହୁ ବର୍ଷ ହେବ କାର୍ଯ୍ୟ ଅଟକି ରହିଛି । ଏନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

ଦେବଗଡ଼: ଜମି ଅଧିଗ୍ରହଣରେ ଅଟକି ରହିଛି ତାଳଚେର- ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ । ଗତ ୨୦୨୩ ମସିହା ଅଗଷ୍ଟ ମାସ ଶେଷ ବେଳକୁ ଦେବଗଡ଼ ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ସମାପ୍ତ ହୋଇଯିବ ବୋଲି ଗତବର୍ଷ ଜୁନ ମାସରେ ସମ୍ବଲପୁର ଠାରେ ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲା ପ୍ରଶାସନ ତରଫରୁ ରେଳବାଇକୁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଏହାକୁ ୮ ମାସ ବିତିବାକୁ ବସିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ ।

ଦେବଗଡ଼ ଜିଲ୍ଲାରେ ସରିପାରୁନି ତାଳଚେର- ବିମଳାଗଡ଼ ନୂତନ ରେଳପଥ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ । ସେପଟେ ଜମି ଅଧିଗ୍ରହଣ ହୋଇପାରୁ ନଥିବାରୁ ଦୀର୍ଘ ସମୟ ଧରି ଅଟକି ରହିଛି ରେଳପଥ ନିର୍ମାଣ କାର୍ଯ୍ୟ । ଏହି ରେଳ ପ୍ରକଳ୍ପ ପାଇଁ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ମୋଟ ୧୯ ଖଣ୍ଡ ଗ୍ରାମ ପ୍ରଭାବିତ ହେଉଥିବା ବେଳେ, ମୋଟ ୪୫୫.୨୮ ଏକର ସରକାରୀ ଓ ବେସରକାରୀ ଜମିର ଆବଶ୍ୟକ ରହିଛି । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମୋଟ ୧୫ଟି ଗ୍ରାମରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମାପ୍ତ ହୋଇସାରି ସମ୍ବଲପୁର ଆରଡିସିଙ୍କ କାର୍ଯ୍ୟାଳୟକୁ ନଥିପତ୍ର ପଠା ଯାଇଥିବାବେଳେ, ବାକି ୪ଟି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ବାକି ଅଛି । ଉକ୍ତ ୪ଟି ଗ୍ରାମର ଜମି ହରାଉଥିବା ପ୍ରଜାଙ୍କୁ ଉଚିତ କ୍ଷତିପୂରଣ ରାଶି ମିଳୁନଥିବା କାରଣରୁ ପ୍ରଜାଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଜାମାନେ ସେମାନଙ୍କୁ ମିଳୁଥିବା କ୍ଷତିପୂରଣକୁ ନୈରାଶ୍ୟଜନକ ଦର୍ଶାଇ ଏହାକୁ ବିରୋଧ କରି ଆସୁଛନ୍ତି । ଫଳରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସରିପାରୁନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ଫେବୃଆରୀରେ ସବୁ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍; ଆଜିଠୁ ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳରେ ବସ୍ ସେବା ଆରମ୍ଭ

ଏହି ସମସ୍ୟାର ସମାଧାନ ଦିଗରେ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ଉଦାସୀନତା ମନୋଭାବ କାରଣରୁ ଏପର୍ଯ୍ୟନ୍ତ କୌଣସି ସମାଧାନର ରାସ୍ତା ବାହାରି ପାରୁନାହିଁ । ଗତ ୨୦୨୩ ମସିହା ଜୁନ ମାସ ୧ ତାରିଖ ଦିନ ଏହି ମର୍ମରେ ସମ୍ବଲପୁର ଠାରେ ଆରଡିସି (RDC)ଙ୍କ ଅଧ୍ୟକ୍ଷତାରେ ଏହି ପ୍ରକଳ୍ପର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦେବଗଡ଼ ଜିଲ୍ଲାପାଳ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଗାମୀ ଦୁଇମାସ ଅର୍ଥାତ ଅଗଷ୍ଟ/ ୨୦୨୩ଶେଷ ସପ୍ତାହ ସୁଦ୍ଧା ଦେବଗଡ଼ ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ କରିବାକୁ ରେଳବାଇ କତ୍ତୃପକ୍ଷଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଇତିମଧ୍ୟରେ ୮ ମାସ ବିତିବାକୁ ବସିଥିଲେ ସୁଦ୍ଧା ଏହି ପ୍ରତିଶ୍ରୁତି ଫଳପ୍ରଦ ହୋଇ ପାରିନାହିଁ । ସେପଟେ ଏହି ରେଳପଥ କାର୍ଯ୍ୟ ବିଳମ୍ବ ହେଉଥିବା ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ସୂଚନାଯୋଗ୍ୟ, ଏହି ରେଳପଥ ପାଇଁ ୧୯୬୯ ମସିହାଠାରୁ ଜନଆନ୍ଦୋଳନ ସୃଷ୍ଟି ହୋଇଥିବାବେଳେ ସରକାର ଗତ ୨୦୦୩- ୦୪ ମସିହାରେ ଏଥିପାଇଁ ସ୍ବୀକୃତି ଦେଇ ପ୍ରଥମ ପର୍ଯ୍ୟାୟରେ ୧ କୋଟି ଅନୁଦାନ ରାଶି ଯୋଗାଇ ଦେଇଥିଲେ । ତେବେ କେନ୍ଦ୍ରରେ ମୋଦି ସରକାର ଆସିବା ପରଠାରୁ ୨୦୧୫ -୧୬ ରେଳ ବଜେଟରେ ୨୮୦ କୋଟି, ୨୦୧୭-୧୮ରେ ୨୯୦ କୋଟି, ୨୦୧୮-୧୯ରେ ୧୫୦ କୋଟି, ୨୦୧୯-୨୦ରେ ୧୪୦ କୋଟି, ୨୦୨୦-୨୧ରେ ୧୫୦ କୋଟି, ୨୦୨୧-୨୨ରେ ୨୫୦ କୋଟି, ୨୦୨୨-୨୩ରେ ୩୦୦ କୋଟି ମଞ୍ଜୁର କରିଛନ୍ତି । ଚଳିତ ବର୍ଷ ରେଳ ବଜେଟରେ ମଧ୍ୟ ୫୦୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି ରେଳପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସରକାର ବିଭିନ୍ନ ପର୍ଯ୍ୟାୟରେ ଆବଶ୍ୟକ ଅନୁଦାନ ଯୋଗାଇ ଦେଉଛନ୍ତି ସତ, ହେଲେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତତ୍ପରତା ଅଭାବରୁ ଦୀର୍ଘ ଦଶନ୍ଧି ହେବ ଏହି ପ୍ରକଳ୍ପ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଯାଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.