ETV Bharat / state

ଜର୍ମାନ ଯୁବତୀ ଦୁଷ୍କର୍ମ ମାମଲା: ବୀତିହୋତ୍ରଙ୍କୁ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - German Woman Rape Case

author img

By ETV Bharat Odisha Team

Published : Apr 7, 2024, 3:58 PM IST

ଜର୍ମାନ ଯୁବତୀ ବଳାତ୍କାର ମାମଲା: ବୀତିହୋତ୍ରଙ୍କୁ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ
ଜର୍ମାନ ଯୁବତୀ ବଳାତ୍କାର ମାମଲା: ବୀତିହୋତ୍ରଙ୍କୁ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

Supreme Court On German Woman Rape Case: ଜର୍ମାନ ଯୁବତୀ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବୀତିହୋତ୍ର ମହାନ୍ତିଙ୍କୁ ଦୁଇ ମାସ ମଧ୍ୟରେ ଆତ୍ମସମର୍ପଣ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ୨୦୦୬ ମାର୍ଚ୍ଚରେ ସହପାଠୀ ଜର୍ମାନ ଯୁବତୀଙ୍କୁ ବୀତିହୋତ୍ର ବଳାତ୍କାର କରିଥିବା ଅଭିଯୋଗ ଆସିଥିଲା । ଅଧିକ ପଢନ୍ତୁ

ଜର୍ମାନ ଯୁବତୀ ବଳାତ୍କାର ମାମଲା: ବୀତିହୋତ୍ରଙ୍କୁ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

କଟକ: ପୁଣି ଚର୍ଚ୍ଚାକୁ ଫେରିଛି ୧୮ ବର୍ଷ ତଳର ଜର୍ମାନ ଯୁବତୀ ଦୁଷ୍କର୍ମ ମାମଲା । ଅତୀତରେ ଦେଶରେ ହଇଚଇ ସୃଷ୍ଟି କରିଥିବା ଏହି ଦୁଷ୍କର୍ମ ମାମଲାରେ ଓଡ଼ିଶାର ପୂର୍ବତନ ହୋମଗାର୍ଡ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବୀତିହୋତ୍ର ମହାନ୍ତିଙ୍କୁ ଦୁଇ ମାସ ମଧ୍ୟରେ ଆତ୍ମସମର୍ପଣ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବୀତିହୋତ୍ରଙ୍କ ଦ୍ବାରା ରାଜସ୍ଥାନ ହାଇକୋର୍ଟର ଆଦେଶକୁ ଆପତ୍ତି କରି ଦାଖଲ କରାଯାଇଥିବା କ୍ରିମିନାଲ ଅପିଲର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଅଲୱାର୍ ଫାଷ୍ଟଟ୍ରାକ୍ କୋର୍ଟ ବୀତିହୋତ୍ରଙ୍କୁ ୭ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଏହାପରେ ରାଜସ୍ଥାନ ହାଇକୋର୍ଟ ଫାଷ୍ଟଟ୍ରାକ କୋର୍ଟର ଦଣ୍ଡାଦେଶ ଉପରେ ମୋହର ଲଗାଇଥିଲେ । ସେପଟେ ରାଜସ୍ଥାନ ସରକାରଙ୍କ ଓକିଲ ଜାମିନକୁ ବିରୋଧ କରିଥିଲେ । ସୁପ୍ରିମକୋର୍ଟ ୨୦୧୭ ମାର୍ଚ୍ଚ ୩୧ରେ ବୀତିହୋତ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ ଯେ ୨୦୦୬ ମାର୍ଚ୍ଚରେ ଦିଲ୍ଲୀର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ମ୍ୟାନେଜମେଣ୍ଟ୍‌ କୋର୍ସ କରୁଥିବାବେଳେ ସହପାଠୀ ଜର୍ମାନ ଯୁବତୀଙ୍କୁ ବୀତିହୋତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା । ପରେ ବୀତିହୋତ୍ରଙ୍କୁ ଗିରଫ କରାଯାଇଥିଲା । ୩ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହେବା ସହ ୧୩ ଦିନ ମଧ୍ୟରେ ଅଲୱାର ଫାଷ୍ଟଟ୍ରାକ କୋର୍ଟ ତାଙ୍କୁ ୭ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ୨୦୦୬ ନଭେମ୍ବରରେ ରାଜସ୍ଥାନ ହାଇକୋର୍ଟ ଶୁଣାଣି କରି ଫାଷ୍ଟଟ୍ରାକ୍ କୋର୍ଟଙ୍କ ରାୟ ଉପରେ ମୋହର ଲଗାଇଥିଲେ । ଏହାପରେ ବୀତିହୋତ୍ର ତାଙ୍କ ଅସୁସ୍ଥ ମାଆଙ୍କୁ ଭେଟିବା ପାଇଁ ୧୫ ଦିନ ପାରୋଲରେ ଯାଇଥିଲେ । ହେଲେ ପାରୋଲ ଶେଷ ହେବା ପରେ ଜୟପୁର ସେଣ୍ଟ୍ରାଲ୍ ଜେଲ୍‌କୁ ନଫେରି ଫେରାର ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ ... ମାଓ ପ୍ରବଣ ଅଞ୍ଚଳରେ ଅବାଧ ନିର୍ବାଚନ ପାଇଁ ଚେକିଂ ଓ ବ୍ଲକିଂ ଜୋରଦାର - Rayagada Police Tightens Security

ଅନେକ ବର୍ଷ ପରେ ୨୦୧୩ ମାର୍ଚ୍ଚରେ କେରଳର କୁନ୍ନରରେ ଫେରାର ବୀତିହୋତ୍ରଙ୍କୁ ପୋଲିସ ଗିରଫ କରିଥିଲା | ନିଜକୁ ରାଘବ ରାଜନ ଭାବେ ପରିଚୟ ଦେଇ ସେ ଷ୍ଟେଟ୍ ବ୍ୟାଙ୍କ୍ ଅପ୍ ଟ୍ରାଭାନକର ଶାଖାରେ କାର୍ଯ୍ୟ କରୁଥିଲେ । ୨୦୧୬ରେ ରାଜସ୍ଥାନ ହାଇକୋର୍ଟର ମୂଳ ମାମଲାକୁ ଚ୍ୟାଲେଞ୍ଜ କରିବା ସହ ସେ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତତ୍କାଳୀନ ବିଚାରପତି ଜଷ୍ଟିସ ଏସ୍ଏ ବୋବଡେ ଓ ବିଚାରପତି ଜଷ୍ଟିସ ଏଲ୍. ନାଗେଶ୍ଵର ରାଓଙ୍କ ଖଣ୍ଡପୀଠ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ସର୍ତ୍ତମୂଳକ ଜାମିନ ମିଳିବା ପରେ ବୀତିହୋତ୍ର ଜୟପୁର କେନ୍ଦ୍ରୀୟ ଜେଲ୍‌ରୁ ମୁକୁଳିଥିଲେ । ସୁପ୍ରିମକୋର୍ଟଙ୍କ ଆତ୍ମସମର୍ପଣ ନିର୍ଦ୍ଦେଶ ପରେ ସେ ଜୟପୁର କେନ୍ଦ୍ରୀୟ ଜେଲ୍‌ରେ ଆତ୍ମସମର୍ପଣ କରିପାରନ୍ତି । ଆଇନଜୀବୀ ନିଶିକାନ୍ତ ମିଶ୍ର କହିଛନ୍ତି ଯେ ସୁପ୍ରିମ କୋର୍ଟର ଏହି ଆଦେଶକୁ ମାନିବାକୁ ବୀତିହୋତ୍ର ମାନିବାକୁ ବାଧ୍ୟ, କିନ୍ତୁ ଏଥିରେ କ୍ୟୁରୋଟିକ ପିଟିସନ ଜରିଆରେ ସେ ଅପିଲ କରିପାରିବେ । ଯେହେତୁ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ତେଣୁ ସେ ସିଧାସଳଖ ଜେଲରେ ଆତ୍ମସମର୍ପଣ କରିବା ଛଡା ଅନ୍ୟ ବାଟ ନାହିଁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.