ETV Bharat / state

ଆଜିଠୁ ମା' ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଲେ ମା’ - Chaiti Parba At Tarini Temple

author img

By ETV Bharat Odisha Team

Published : Apr 9, 2024, 10:48 AM IST

Chaiti Parba
Chaiti Parba

Chaiti Parba: ଆଜିଠୁ ଘଟଗାଁ ବାସିନୀ ମା’ ତାରିଣୀଙ୍କ ବିଶ୍ବ ପ୍ରସିଦ୍ଧ ଚଇତି ପର୍ବ ଆରମ୍ଭ ହୋଇଛି । ମା' ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଶହ ଶହ ଭକ୍ତଙ୍କ ଭିଡ ଜମିଛି ଘଟଣା ପୀଠରେ । ଅଧିକ ପଢନ୍ତୁ

Chaiti Parba

କେନ୍ଦୁଝର: ଆଜିଠୁ ଆରମ୍ଭ ହୋଇଛି ମା’ ତାରିଣୀଙ୍କ ବିଶ୍ବ ପ୍ରସିଦ୍ଧ ଚଇତି ପର୍ବ । ଏହାକୁ ନେଇ ଚଳଞ୍ଚଳ ହୋଇଉଠିଛି କେନ୍ଦୁଝର ଘଟଗାଁ ପୀଠ । ସକାଳୁ ମା’ଙ୍କ ଶାବରୀ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ସକାଳ ଆଳତୀ ପରେ ଭକ୍ତଜନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମା' । ମା'ଙ୍କ ଏହି ଦିବ୍ୟ ରୂପ ଦର୍ଶନ ପାଇଁ ପୀଠରେ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଛି ।

ମାଆ ତାରିଣୀଙ୍କ 88ତମ ଚଇତି ପର୍ବ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ୧୫ ତାରିଖରେ ଶେଷ ହେବ । ପ୍ରଥମ ଦିନରେ ଶହ ଶହ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରାଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଇତି ପର୍ବରେ ଆଜି ମା'ଙ୍କ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗି ରହିଛି । ୭ ଦିନ ଧରି ମା' ସୁନାବେଶରେ ଦର୍ଶନ ଦେବେ । ସେହିପରି ଚଇତି ପର୍ବ ଅବସରରେ ମା’ଙ୍କ ପୀଠରେ ପ୍ରତିଦିନ ମା’ଙ୍କ ମାଜଣା, ମଙ୍ଗଳ ଆଳତୀ, ସୁନାବେଶ, ହୋମଯଜ୍ଞ, ଭାଗବତ ପାରାୟଣ, ଚଣ୍ଡିପାଠ ଓ ସତ୍ୟ ନାରାୟଣ ପୂଜା ଆଦି ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଟ୍ରଷ୍ଟ ପକ୍ଷରୁ ୭ ଦିନ ବ୍ୟାପୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏପ୍ରିଲ ୯ରୁ ୧୫ ତାରିଖ ପ୍ରତ୍ୟେକ ରାତିରେ କେନ୍ଦୁଝର ଜିଲ୍ଲା କବିତ୍ରା ଗ୍ରାମର ଗାୟକ ସୁଧାମଣି ତୁଳସୀ ଚରଣ ମହାନ୍ତ ଓ ଖୋର୍ଦ୍ଧା ଜିଲ୍ଲା ପଦ୍ମପୁର ଗ୍ରାମର ଗାୟକ ଜ୍ଞାନଭୂଷଣ ଡ. ଶିଶିର କୁମାର ପାଢୀଙ୍କ ମଧ୍ୟରେ ବାଦିପାଲା ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢନ୍ତୁ-ଆସନ୍ତା ୯ରୁ ଆରମ୍ଭ ହେବ ମା’ ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବ

ସେହିଭଳି ଆଜି ପୁରୀର ଚାରଣ ପ୍ରବଚକ ଡ. ବିପୀନ ବିହାରୀ ମହାପାତ୍ର ଓ ତପନ କୁମାର ନାଏକ, ୧୦ ଓ ୧୧ ତାରିଖ ଜଗତସିଂହପୁର ପିହୁଡା ଗ୍ରାମର ବାବା ସତ୍ୟାନନ୍ଦ ଦାସ, ୧୨ ଓ ୧୩ ତାରିଖ କଟକର ଶ୍ରୀନୀବାସ ଆଚାର୍ଯ୍ୟ ଏବଂ ୧୪ ଓ ୧୫ ତାରିଖ ଢେଙ୍କାନାଳ ଦୁଗ୍ଧରକୋଟ ଗ୍ରାମର ବିପୀନ ବିହାରୀ ସାମଲଙ୍କ ଧର୍ମ ପ୍ରବଚନ କାର୍ଯ୍ୟକ୍ରମ ରହିଛି । ଏତଦ୍‌ବ୍ୟତୀତ ସପ୍ତାହବ୍ୟାପୀ ପ୍ରତିଦିନ ଦିନ ବେଳା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଧ୍ୟାତ୍ମିକ ନୃତ୍ୟ, ଲୋକନୃତ୍ୟ, ଛଉନୃତ୍ୟ, ପାଇକ ଆଖଡା, ଯୋଡିଶଙ୍ଖ, ରଣପାନୃତ୍ୟ, କଣ୍ଢେଇ ନାଚ, ମାଲଖମ୍ବ, ଘୋଡାନାଚ, ସମ୍ବଲପୁରୀ ନୃତ୍ୟ ଓ ଭଜନ ସମାରୋହ ଅନୁଷ୍ଠିତ ହେବ ।

ସେହିପରି ପବିତ୍ର ପଣା ସଂକ୍ରାନ୍ତି ଦିନ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ବାରା ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଅଖଣ୍ଡ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଏନେଇ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମା’ ତାରିଣୀ ଠାକୁରାଣୀଙ୍କ ଏହି ପ୍ରସିଦ୍ଧ ଚଇତି ପର୍ବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇ ମା’ଙ୍କ ସାନିଧ୍ୟ ଲାଭ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସୁଯୋଗ ନେବାକୁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.