ETV Bharat / state

ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ପ୍ରାକ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ - cyclone preparedness meeting

author img

By ETV Bharat Odisha Team

Published : May 1, 2024, 8:00 AM IST

ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ପ୍ରାକ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ
ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ପ୍ରାକ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ

preparedness meeting for summer pre cyclone: ଲୋକସେବା ଭବନରେ ବସିଲା ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ପ୍ରାକ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ । ଅଧ୍ୟକ୍ଷତା କଲେ ମୁଖ୍ୟ ଶାସନ ସଚିବ । 18 ବିଭାଗ ଓ ସଂସ୍ଥାର ଶୀର୍ଷ ଅଧିକାରୀ ହେଲେ ସାମିଲ । ଏବେ ବାତ୍ୟା ନେଇ ଜଣାପଡିନି ତଥ୍ୟ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ପ୍ରାକ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ବିଗତ କିଛି ବର୍ଷରେ ଗ୍ରୀଷ୍ମ ଋତୁରେ ସାମୁଦ୍ରିକ ବାତ୍ୟା ଦ୍ୱାରା ଓଡିଶା ଗଭୀର ଭାବେ ପ୍ରଭାବିତ ହୋଇଛି । ୨୦୧୯ ମସିହା ମେ’ ମାସରେ ‘ଫନୀ’ ବାତ୍ୟା ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇଥିଲା । ପରବର୍ତ୍ତୀ ବିଭିନ୍ନ ବର୍ଷରେ ଗ୍ରୀଷ୍ମ ଋତୁରେଲ ‘ଅମ୍ଫାନ’, ‘ୟସ’, ‘ଅସାନୀ’ ଭଳି ବାତ୍ୟା ସଂଗଠିତ ହୋଇଥିଲା । ତେଣୁ ଚଳିତବର୍ଷ ଗ୍ରୀଷ୍ଣକାଳୀନ ବାତ୍ୟା ଆଶଙ୍କାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତିର ନିତାନ୍ତ ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ପ୍ରାକ ବାତ୍ୟା ପ୍ରସ୍ତୁତି ବୈଠକ ଗତକାଲି (ମଙ୍ଗଳବାର) ସଂଧ୍ୟାରେ ଅନୁଷ୍ଠିତ ହୋଇଛି ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି ଏହି ବୈଠକ । ବିଗତ ବର୍ଷର ଅନୁଭୂତି ଓ ଅଭିଜ୍ଞତାକୁ ପାଥେୟ କରି ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିବା ପାଇଁ ବୈଠକରେ ସମ୍ପୃକ୍ତ ବିଭିନ୍ନ ବିଭାଗ ଓ ସହଯୋଗୀ ସଂସ୍ଥାମାନଙ୍କୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଏବଂ ପରାମର୍ଶ ଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନ (ଏସଆରସି) ସତ୍ୟବ୍ରତ ସାହୁଙ୍କ ଦ୍ୱାରା ଆହୁତ ହୋଇଛି ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ପ୍ରାକ ବାତ୍ୟା ପ୍ରସ୍ତୁତି ବୈଠକ । ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ଡଃ.ମନୋରମା ମହାନ୍ତି ବିଭିନ୍ନ ଜିଲ୍ଲାରେ କ୍ରମାଗତ ଭାବେ ଜାରି ରହିଥିବା ଗ୍ରୀଷ୍ଣ ପ୍ରବାହ ଏବଂ ଉପଗ୍ରହ ତଥ୍ୟ ଆଧାରରେ ଚଳିତ ମେ’ ମାସରେ ପାଣିପାଗର ସ୍ଥିତି କିପରି ରହିବ ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି । ଚଳିତମାସ ୧୫ ତାରିଖ ଭିତରେ ବାତ୍ୟା ସମ୍ପର୍କରେ ସେପରି ତଥ୍ୟ ସ୍ପଷ୍ଟ ଦୃଶ୍ୟମାନ ହେଉନଥିବା ଓ ଏହା ପରେ ସ୍ଥିତି ଜଣାଯିବା ସମ୍ପର୍କରେ ସେ ବୈଠକରେ ଅବଗତ କରିଛନ୍ତି ।

ବିଭିନ୍ନ ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇଥିବା କଣ୍ଟିଜେଣ୍ଟ ପ୍ଲାନ ସମ୍ପର୍କରେ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଛି । ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଜନସାଧାରଣ ଓ ପ୍ରଶାସନିକ ଆଦି ସବୁସ୍ତରରେ ସତର୍କ ରହିବାକୁ ବୈଠକରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବିପର୍ଯ୍ୟୟ ପ୍ରସ୍ତୁତି ଓ ମୁକାବିଲା କ୍ଷେତ୍ରରେ ଓଡିଶା ପ୍ରଶାସନ ଉଚ୍ଚତର ମାନଦଣ୍ଡ ବଜାୟ ରଖିଛି । ଆମର ସବୁ ପ୍ରକାର ପ୍ରସ୍ତୁତି ରହିଛି । ତେବେ ଆମେ ଏହାକୁ କେବେହେଲେ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ । ସବୁ ବିଭାଗରେ ପ୍ରାକ ବାତ୍ୟା ସମୀକ୍ଷା ବୈଠକ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟା ପରିପ୍ରେକ୍ଷୀରେ ଓଡ୍ରାଫ ଓ ଏନଡିଆରଏଫ ତରଫରୁ ଟିମ ମୁତୟନ, ଆବଶ୍ୟକ ଉପକରଣ ସହ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରାଯାଇଛି । ବାତ୍ୟାରେ ବିଦ୍ୟୁତ ସରବରାହ ବ୍ୟାହତ ସମ୍ଭାବନାକୁ ଦୃଷ୍ଚିରେ ରଖି ମାନବ ସମ୍ବଳ, ଆବଶ୍ୟକ ଯନ୍ତ୍ରପାତି ଓ ଉପକରଣ ପ୍ରସ୍ତୁତ ରଖିବାକୁ ବିଦ୍ୟୁତ ବିତରକ ସଂସ୍ଥାମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ବାତ୍ୟା ସମୟରେ ପାନୀୟ ଜଳ ଯୋଗାଣ ପାଇଁ ଜେନେରେଟର ବ୍ୟବସ୍ଥା ସହ ସିନଟେକ୍ସ ଯୋଗେ ପାନୀୟ ଜଳ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆବଶ୍ୟକ ଔଷଧ, ଆମ୍ବୁଲାନ୍ସ ବ୍ୟବସ୍ଥା ସହ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ ହୋଇଥିବା ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଉପସ୍ଥାପନ କରିଛନ୍ତି । ବାତ୍ୟା ସମୟରେ ମହିଳା ଓ ଶିଶୁ, ନିରାଶ୍ରୟମାନଙ୍କ ପ୍ରତି ଧ୍ୟାନ ଓ ଯତ୍ନ, ବନ୍ୟା ବା ବାତ୍ୟା ଆଶ୍ରୟସ୍ଥଳରେ ଜଣେ ଜଣେ ମହିଳା ଅଧିକାରୀମାନଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱରେ ରଖାଯିବା, ପ୍ରାଣୀମାନଙ୍କ ପାଇଁ ଔଷଧ ଓ ଖାଦ୍ୟ ମହଜୁଦ ରଖାଯିବା, ବାତ୍ୟାରେ ରାସ୍ତା ପ୍ରଭାବିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହେଲେ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ଏବଂ ପୂର୍ତ୍ତ ବିଭାଗ ଦ୍ୱାରା ଠିକ କରାଯିବା, ରାସ୍ତା ଉପରେ ଗଛ ଡାଳ ପଡିଲେ ବା ଗଛ ଉପୁଡିଲେ ତୁରନ୍ତ ଜଙ୍ଗଲ ବିଭାଗ ଦ୍ୱାରା ରାସ୍ତାରୁ ସେସବୁକୁ ତୁରନ୍ତ ଅପସାରଣ, ଜଳ ସଂପଦ ବିଭାଗ ତରଫରୁ ନିୟମିତ ନଦୀବନ୍ଧ ଯାଂଚ, ପୋଲିସ ତରଫରୁ ଆଇନଶୃଙ୍ଖଳା ରକ୍ଷା ଆଦି ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଛି । ପ୍ରତି ବିଭାଗରେ ଜଣେ ଜଣେ ନୋଡାଲ ଅଫିସରଙ୍କ ନାମ, ଟେଲିଫୋନ ନମ୍ବର ଓ ଇ-ମେଲ ଆଇଡି ଏସଆରସି କାର୍ଯ୍ୟାଳୟକୁ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି ।

ସେହିପରି ବାତ୍ୟା ସମୟରେ ବେପରୁଆ ଭାବରେ ଘରୁ ନବାହାରିବା, ବେପରୁଆ ଗାଡି ଚାଳନା ନକରିବା, ଘରେ ଘରେ ଜରୁରୀ ସ୍ଥିତି ପାଇଁ ପାନୀୟ ଜଳ ସାଇତି ରଖିବା ଆଦି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡଃ.ସୁଧାଂଶୁ ଷଡଙ୍ଗୀଙ୍କ ସହ ଶକ୍ତି ତଥା ଅର୍ଥ ବିଭାଗ ସଚିବ ବିଶାଳ ଦେବ, ପୂର୍ତ୍ତ ବିଭାଗ ଭି.ଭି ଯାଦବ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସମ୍ପର୍କ ସଚିବ ସଞ୍ଜୟ ସିଂ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସୁଶୀଲ କୁମାର ଲୋହାନୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ସାଳିନୀ ପଣ୍ଡିତ, ମହିଳା ଓ ଶିଶୁ ବିକାଶ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, କୃଷି ଓ କୃଷକ ସଶକ୍ତି କରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ, ମତ୍ସ୍ୟ ଓ ପ୍ରାଣୀ ପାଳନ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ସମେତ ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ ଆଦି ୧୮ଟି ବିଭାଗ ଓ ସଂସ୍ଥାର ପ୍ରମୁଖ ଶାସନ ସଚିବ, ସଚିବ ଓ ଉଚ୍ଚ କର୍ତ୍ତୃପକ୍ଷମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.