ETV Bharat / state

ଆଜି ଦୋଳ ପୂର୍ଣ୍ଣିମା: ରାଜ ରାଜେଶ୍ବର ବେଶରେ ଦର୍ଶନ ଦେବେ ମହାପ୍ରଭୁ - Rajarajeswar Besha Of Jagannath

author img

By ETV Bharat Odisha Team

Published : Mar 25, 2024, 10:42 AM IST

Updated : Mar 25, 2024, 1:02 PM IST

Dola Purnima
Dola Purnima

Dola Purnima: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି । ଆଜି ଭକ୍ତମାନେ ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କରିବେ । ଅଧିକ ପଢନ୍ତୁ

ଆଜି ଦୋଳ ପୂର୍ଣ୍ଣିମା

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏହି ଅବସରରେ ଉତ୍ସବ ମୁଖର ଶ୍ରୀମନ୍ଦିର । ଆଜି ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ତଥା ସୁନା ବେଶ ଅନୁଷ୍ଠିତ ହେଇଥାଏ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ଏହି ସୁନାବେଶ ଅନୁଷ୍ଠିତ ହେବ । ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଦୋଳ ଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଦୋଳ ବିମାନରେ ବିଜେ କରି ଦୋଳବେଦୀକୁ ଯିବେ । ସେଠାରେ ଝୁଲଣରେ ଅବସ୍ଥାନ କରି ଭକ୍ତଙ୍କ ସହ ଫଗୁ ଖେଳିବେ । ଘଣ୍ଟଘଣ୍ଟା, ଶଙ୍ଖ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥାଏ ପରିବେଶ । ଏହି ଅବସରରେ ମହାପ୍ରଭୁଙ୍କୁ ଦୋଳ ବେଦୀରେ ଦର୍ଶନ ସହ ଫଗୁ ଖେଳିବା ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠାର ସହ ଚାହିଁଛନ୍ତି । ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୁଦେବୀ ଭୋଇ ପାଇ ଦୋଳବେଦୀକୁ ବିଜେ କରିବା ସମୟରେ ଏପରି ନିଆରା ଦୃଶ୍ୟକୁ ବେଶ୍ ଉପଭୋଗ କରିଥାନ୍ତି ଭକ୍ତ । ପାଲିଙ୍କିରେ ଝୁଲିଝୁଲି ୨୧ ଘେରା ପରିକ୍ରମା କରି ଝୁଲଣ ମଣ୍ଡପକୁ ବିଜେ କରିଥାନ୍ତି ମହାପ୍ରଭୁ ଦୋଳଗୋବିନ୍ଦ ।

ଏହା ମଧ୍ୟ ପଢନ୍ତୁ-ହୋଲିକା ଦହନକୁ ଧୁମଧାମରେ ପାଳିଲେ ବଲାଙ୍ଗୀରବାସୀ

ସେପଟେ ପବିତ୍ର ଦୋଳ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିର ସମ୍ମୁଖରେ ବେଦ ପାଠ କରାଯାଇଛି । ଏଥି ସହ ମହାପ୍ରଭୁଙ୍କ ନାମ ସଂକୀର୍ତ୍ତନ କରାଯାଇ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ପରିକ୍ରମା କରିଥିଲେ ଭକ୍ତ । ସେହିପରି ସନ୍ଧ୍ୟାରେ ପରିକ୍ରମା ମାର୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି ଠାରୁ ବେଦ ପାଠ, ନାମ ସଂକୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଦିନ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଅନୁଷ୍ଠିତ ହେବ । ଫଳରେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଏକ ନିଆରା ଅନୁଭୂତି ନେଇ ଫେରିବେ । ସେପଟେ ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଦେବୀ ସରସ୍ଵତୀଙ୍କ ମନ୍ଦିରରେ ଆଜି ପଞ୍ଜିକା ପଠନ ହେବ ।

ପରମ୍ପରା ଅନୁଯାୟୀ, ଆଜି ଦୋଳ ପୂର୍ଣ୍ଣିମା ଅବସରରେ ପଞ୍ଜିକା ପ୍ରଚଳନ ହୋଇଥାଏ । ସେପଟେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ପବିତ୍ର ଦୋଳ ଉତ୍ସବକୁ ଭକ୍ତମାନେ ଆନନ୍ଦ ଉଲ୍ଲାସରେ ପାଳନ କରିବାକୁ ପୁରୀ ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated :Mar 25, 2024, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.