ETV Bharat / state

SIT ବୈଠକ ଶେଷ, ନିର୍ଵାଚନ ବେଳେ ନିଶା ଓ ଉପହାର ଦେଵା ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Mar 11, 2024, 5:34 PM IST

SIT Meeting On Black Money
SIT Meeting On Black Money

SIT Meeting On Black Money: କଳାଧନ ସମ୍ପର୍କିତ ଏସଆଇଟି ଵୈଠକ ଶେଷ ହୋଇଛି । ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିବା ବେଳେ ଆସନ୍ତା ଜୁନ ମାସ ଶେଷ ବେଳକୁ ନବମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଷ୍ଟିସ ପଶାୟତ କହିଛନ୍ତି । ଅଧିକ ପଢନ୍ତୁ

SIT Meeting On Black Money

କଟକ: ଶେଷ ହେଲା ସ୍ବତନ୍ତ୍ର ତଦନ୍ତକାରୀ ଦଳ(SIT) ବୈଠକ । କଳାଧନ ସମ୍ପର୍କିତ ଏସଆଇଟି ଵୈଠକରେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ନିର୍ବାଚନ ସମୟରେ ଅସାଧୁ ଉପାୟରେ ଭୋଟରଙ୍କୁ ପ୍ରଭାବିତ କରିବା ପ୍ରସଙ୍ଗକୁ ମଧ୍ୟ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ନିଶା କାରବାର ଏବଂ ନିୟନ୍ତ୍ରଣ ଉପରେ ଵିଶେଷ ଆଲୋଚନା କରାଯାଇଛି ।

ନିଶା କାରବାର: ୨ହଜାର ରୁ ୩ ହଜାର କୋଟି ଟଙ୍କାର ନିଶା କାରବାର ହେଉଥିବା ବରିଷ୍ଠ ଅଧିକାରୀ କମିଟିକୁ ଅବଗତ କରିଥିଲେ । ତେବେ ନିଶା କାରବାର ନିୟନ୍ତ୍ରଣ ଵଡ ଆହ୍ବାନ ବୋଲି SIT ଉପାଧ୍ୟକ୍ଷ ଜଷ୍ଟିସ ଅର୍ଜିତ ପଶାୟତ କହିଛନ୍ତି । କେବଳ ସେତିକି ନୁହେଁ ବରଂ ନିର୍ବାଚନ ସମୟରେ ଉପହାର ବାଣ୍ଟିବା ଏକ ବଡ଼ ସମସ୍ୟା ବୋଲି ଜଷ୍ଟିସ ପଶାୟତ କହିଛନ୍ତି । ତେବେ ନିର୍ଵାଚନ ବେଳେ ନିଶା ଓ ଉପହାର ଦେଵା ଉପରେ କଡା ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

ଟଙ୍କା ବଦଳରେ ଉପହାର: ସେ ଆହୁରି ମଧ୍ୟ କହିଛନ୍ତି, "ନିର୍ବାଚନ ଆସିଲେ ନେତାମାନେ ଆଉ ଟଙ୍କା ବାଣ୍ଟୁ ନାହାନ୍ତି । ବିଭିନ୍ନ ଉପହାର ଦେଇ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି । ଏହାକୁ ଗୁରୁତର ନେବା ସହ ଏଥିପ୍ରତି ସଜାଗ ରୁହନ୍ତୁ । ଗିଫ୍ଟ କୁପନ ଜରିଆରେ ଭୋଟରଙ୍କୁ ପ୍ରଭାବିତ କରିଵାର ଆଶଙ୍କା ରହିଥିବାରୁ ନିର୍ବାଚନ ସମୟରେ, ଯେଉଁ ସାମଗ୍ରୀର ଅଧିକ ଚାହିଦା ରହିବ ତାହା ଉପରେ ନଜର ରଖିବା ଆବଶ୍ୟକ । ସବୁଠାରୁ ବଡ଼ କଥା ହେଲା କିଛି କ୍ଷେତ୍ରରେ ଆଇନର ପରିଵର୍ତ୍ତନ ଆବଶ୍ୟକ ରହୁଛି ।" ସେହିପରି ଭିଜିଲାନ୍ସ କରିଥିବା ମାମଲାର ଵିଵରଣୀ ଇନକମଟ୍ୟାକ୍ସ ଏବଂ ଇଡିକୁ ଦେବାକୁ ପରାମର୍ଶ ଦିଆଯାଇଥିବା ଜଷ୍ଟିସ ପଶାୟତ କହିଛନ୍ତି । ତେବେ ଆସନ୍ତା ଜୁନ ମାସ ଶେଷ ବେଳକୁ ନବମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଷ୍ଟିସ ପଶାୟତ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଜି କଳାଧନ ସମ୍ପର୍କିତ ଏସଆଇଟି ବୈଠକ, ଯୋଗଦେବେ ବହୁ ବରିଷ୍ଠ ଅଧିକାରୀ

ଏହି ଏସଆଇଟି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ । ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ତେଲେଙ୍ଗାବଜାର ସ୍ଥିତ ବାସଭବନରେ ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । କଟକସ୍ଥିତ ଜଷ୍ଟିସ ପଶାୟତଙ୍କ ବାସଭବନରେ ପୂର୍ବରୁ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ ସେଥିରେ ବିଭିନ୍ନ ବିଭାଗର ପଦାଧିକାରୀ ଓ ଓଡ଼ିଶାରେ ଅବସ୍ଥାପିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ପଦାଧିକାରୀ ଯୋଗ ଦେଉଥିଲେ । ବିଶେଷ ଭାବେ ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ଓ ଓଡ଼ିଶାର କଳାଧନ ସମ୍ପର୍କିତ ଆଲୋଚନା ଏହି ବୈଠକରେ ହୋଇଥିଲା । ଏସଆଇଟିର ଏହି ବୈଠକରେ ପୋଲିସ ଡିଜିଙ୍କ ସିବିଡିଟି, ଇଡି, ସିବିଆଇ, ନାରକୋଟିକସ କଣ୍ଟ୍ରୋଲ ବ୍ୟୁରୋ, କଷ୍ଟମ, ଏକ୍ସସାଇଜ, ଆୟକର ବିଭାଗର ଉଚ୍ଚ ଅଧିକାରୀ ଯୋଗ ଦେଇଥିଲେ । ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, କ୍ରାଇମବ୍ରାଞ୍ଚ ଏଡିଜି, ଖଣି ସଚିବ ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ।


ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.