ETV Bharat / state

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ପୋଷ୍ଟକାର୍ଡ ଆର୍ଟ ବିନିମୟ

author img

By ETV Bharat Odisha Team

Published : Feb 4, 2024, 10:55 PM IST

World Odia Language Conference
World Odia Language Conference

First World Odia Language Conference: ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବୁଲି ଦେଖିଲେ ଛାତ୍ରଛାତ୍ରୀ । ଆଜିର ପ୍ରଥମ ଅଧିବେଶନରେ ୨୦୦ ଓ ଦ୍ୱିତୀୟ ଅଧିବେଶନରେ ୨୦୦ ଛାତ୍ରଛାତ୍ରୀ ସହ ୧୨ ଜଣ ଶିକ୍ଷକଙ୍କ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

ଭୁବନେଶ୍ୱର: ରାଜଧାନୀ ଜନତା ମୈଦାନରେ ଆୟୋଜିତ ହେଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ସମ୍ମିଳନୀର ଦ୍ବିତୀୟ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ଆୟୋଜନ ପ୍ରତି ଛାତ୍ରଛାତ୍ରୀ ଓ ସାଧାରଣ ଜନତା ବେଶ ଆକର୍ଷିତ ହୋଇଛି । ଏଥିରେ ଓଡ଼ିଶାରେ ଓଡ଼ିଆ ଭାଷାର କ୍ରମ ବିବର୍ତ୍ତନ ସମ୍ପର୍କରେ ଟିକିନିଖି ତଥ୍ୟ ଉପସ୍ଥାପନ କରାଯାଉଛି ।

ବିଭାଗ ପକ୍ଷରୁ ନିଜ ଷ୍ଟଲରେ ଏଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ପୋଷ୍ଟକାର୍ଡ ବିନିମୟ । ସ୍କୁଲ ପିଲାମାନଙ୍କୁ ବିଶେଷ ଭାବରେ ପୋଷ୍ଟକାର୍ଡ ବିନିମୟ ଆକର୍ଷିତ କରିବାରେ ସଫଳ ହୋଇପାରିଛି । ରଥଯାତ୍ରା, ରଜ, ଝୋଟିକଳା, ପୋଡ଼ପିଠା, ଦୋଳିଖେଳ, ଓଡ଼ିଶୀ ଏବଂ ସମ୍ବଲପୁରୀ ଇତ୍ୟାଦି ସମେତ ଓଡ଼ିଶାର ବିଶେଷତ୍ୱକୁ ଦର୍ଶାଉଥିବା ବିଭିନ୍ନ ପ୍ରକାରର ଚିତ୍ର ଏଠାରେ ପୋଷ୍ଟକାର୍ଡ ମାଧ୍ୟମରେ ସ୍ଥାନିତ ହୋଇଛି । ପ୍ରଦର୍ଶନୀକୁ ଆସୁଥିବା ଛାତ୍ରଛାତ୍ରୀମାନେ ନିଜ ମନ ପସନ୍ଦର ପୋଷ୍ଟକାର୍ଡ ବାଛି ଏଥିରେ ସୁନ୍ଦର ସୁନ୍ଦର ‘ସ୍ମୃତିଲେଖ’ ଲେଖି ଏହାକୁ ନିଜ ପ୍ରିୟଜନଙ୍କୁ ପଠାଉଛନ୍ତି ।

ଏଥିସହ ଦ୍ୱିତୀୟ ଦିନରେ ଆୟୋଜିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ମଧ୍ୟ ବକ୍ତାଭାବରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି । ପୂର୍ବାହ୍ନ ୧୧ଟା ୩୦ ମିନିଟରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ‘ଓଡ଼ିଶାର ପୁରାତତ୍ତ୍ୱ’ ବା ‘ଆର୍କିଓଲୋଜି ଅଫ ଓଡ଼ିଶା’ ଶୀର୍ଷକରେ ଆୟୋଜିତ ପ୍ରଥମ ଅଧିବେଶନରେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ର ଓମ ରଣବୀର ସିଂ ଓ କଳା ବିଭାଗର ଛାତ୍ରୀ ଆବୃତି ଦାଶ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଛନ୍ତି । ସେହିପରି ଅପରାହ୍ନ ୩ରୁ ସାଢ଼େ ୫ ପର୍ଯ୍ୟନ୍ତ ‘ଓଡ଼ିଆ ଭାଷା ଓ ମହିଳା ସଶକ୍ତୀକରଣ’ ଶୀର୍ଷକରେ ଚାଲିଥିବା ଦ୍ୱିତୀୟ ଅଧିବେଶନରେ ବାଲିଅନ୍ତା ବେଣ୍ଟପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଚୌଧୁରୀ ଅଙ୍କିତା ଦାଶ ଅଭିଭାଷଣ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ସ୍ୟାଣ୍ଡ୍ ଆନିମେସନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଏହା ମଧ୍ୟ ପଢନ୍ତୁ .....ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ମିଳନୀରେ ପ୍ରଥମ ଦିନ ୧୨ ଜଣ ଗାଇଡ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଦୁଇଟି ଅଧିବେଶନରେ ୪୦୦ ଜଣ ଛାତ୍ରଛାତ୍ରୀ ସମ୍ମିଳନୀ ବୁଲି ଦେଖିଛନ୍ତି । ଏହା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଦ୍ୱିତୀୟ ଦିନ ମଧ୍ୟ ପ୍ରଥମ ଅଧିବେଶନରେ ୨୦୦ ଓ ଦ୍ୱିତୀୟ ଅଧିବେଶନରେ ୨୦୦ ଛାତ୍ରଛାତ୍ରୀ ୧୨ ଜଣ ଗାଇଡ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.