ETV Bharat / state

ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସଂକଳ୍ପବଦ୍ଧ: ବିଜେଡ଼ି

author img

By ETV Bharat Odisha Team

Published : Feb 24, 2024, 7:04 AM IST

ବିଜେଡି ପ୍ରେସମିଟ୍
ବିଜେଡି ପ୍ରେସମିଟ୍

BJD Press Meet: ପ୍ରତ୍ୟେକ ଲୋକଙ୍କୁ ସୁବିଧାରେ ସ୍ୱାସ୍ଥ୍ୟ ସେବା, ଭଲ ଚିକିତ୍ସା ଓ ଶସ୍ତାରେ ଗୁଣାତ୍ମକ ଚିକିତ୍ସା ରାଜ୍ୟ ସରକାର ଯୋଗାଉଥିବା କହିଛି ବିଜେଡି। ଏନେଇ ଦଳ ପକ୍ଷରୁ ଆୟୋଜିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀ। ଅଧିକ ପଢନ୍ତୁ

ବିଜେଡି ପ୍ରେସମିଟ୍

ଭୁବନେଶ୍ବର: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅବଦାନ ବଖାଣିଛି ବିଜେଡି । ସବୁବର୍ଗର ଲୋକେ ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇବା ଦିଗରେ ମୁଖ୍ୟମନ୍ତ୍ରୀ ପ୍ରୟାସ କରୁଥିବା ସେ କହିଛନ୍ତି। ଶଙ୍ଖ ଭବନରେ ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂତୃପ୍ତ ମିଶ୍ର କହିଛନ୍ତି , "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକୁ ସମ୍ପଦ ଭାବେ ଗ୍ରହଣ କରିଛନ୍ତି । ରାଜ୍ୟର ପ୍ରତ୍ୟେକ ଜୀବନ ମୂଲ୍ୟବାନ । ସେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୩ଟି ଦିଗ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି । ପ୍ରତ୍ୟେକ ଲୋକଙ୍କୁ ସୁବିଧାରେ ସ୍ୱାସ୍ଥ୍ୟ ସେବା, ସମସ୍ତଙ୍କୁ ଭଲ ଚିକିତ୍ସା, ଶସ୍ତାରେ ଗୁଣାତ୍ମକ ଚିକିତ୍ସା । ସ୍ୱାସ୍ଥ୍ୟର ପ୍ରତିଶୋଧକ ବ୍ୟବସ୍ଥାରେ ଟୀକା ମୁଖ୍ୟ । ତେଣୁ କୋଭିଡ ସମୟରେ ୯୦ ପ୍ରତିଶତ ଲୋକଙ୍କୁ ଓଡି଼ଶା ସରକାର ଟିକା ଦେଇଛନ୍ତି । ଯାହା ଜାତୀୟ ହାରଠାରୁ ମଧ୍ୟ ଅଧିକ । ଏହାସହ ଯଦି ପୁଣି କେବେ କୋଭିଡ ମହାମାରୀ ଭଳି ଅବସ୍ଥା ଆସେ ସେଥିପାଇଁ ସରକାର ପ୍ରସ୍ତୁତି କରିଛନ୍ତି । ଲୋକଙ୍କୁ ଫିଟ୍ ରଖିବା ପାଇଁ ରାଜ୍ୟରେ ଖେଳ ଭିତ୍ତିଭୂମିର ବିକାଶ କରାଯାଇଛି ।"

"ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ, ସାମୂହିକ ଟୀକାକରଣ, ପିଲାଙ୍କୁ ପୃଷ୍ଟିକର ଖାଦ୍ୟ, ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କୋଭିଡବେଳେ ରାଜ୍ୟବାସୀଙ୍କୁ ମାଗଣା ଚିକିତ୍ସା ଯୋଗାଇବା ସହ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଇଛନ୍ତି ରାଜ୍ୟ ସରକାର । ବିଗତ ୬ ବର୍ଷ ମଧ୍ୟରେ ୮ଟି ନୂଆ ମେଡ଼ିକାଲ କଲେଜ ଓ ୨ଟି ପିଜି ଇନଷ୍ଟିଚ୍ୟୁଟ ସ୍ଥାପନ ହୋଇଛି । ଫଳରେ ରାଜ୍ୟରୁ ପ୍ରତିବର୍ଷ ଉତ୍ତୀର୍ଣ୍ଣ ହେଉଥିବା ୩ଶହ ଡାକ୍ତରଙ୍କ ସଂଖ୍ୟା ଆଜି ୨୫ସହରେ ପହଞ୍ଚିଛି । ବିଗତ ୫ ବର୍ଷରେ ୪ ହଜାର ଡାକ୍ତର, ୯ ହଜାରରୁ ଉର୍ଦ୍ଧ୍ବ ନର୍ସଙ୍କ ସମେତ ଫାର୍ମାସିଷ୍ଟ, ଟେକ୍ନିସିଆନଙ୍କୁ ନିଯୁକ୍ତି ଦିଆଯାଇଛି । ରୋଗୀ ସେବା କ୍ଷେତ୍ରରେ ଅଧିକ ଆମ୍ବୁଲାନ୍ସ ନିୟୋଜିତ କରାଯାଇ ଆମ୍ବୁଲାନ୍ସ ପହଞ୍ଚିବା ସମୟକୁ ୨୦ ମିନିଟକୁ ହ୍ରାସ କରାଯାଇଛି" ବୋଲି କହିଛନ୍ତି ସଂତୃପ୍ତ ।

ଏହା ମଧ୍ୟ ପଢନ୍ତୁ...ଆଉ ପାଦେ ଆଗେଇଲା କଳାହାଣ୍ଡିର ସ୍ବାସ୍ଥ୍ୟସେବା, ଆମ ହସ୍ପିଟାଲ ଯୋଜନାରେ ୪ ସ୍ବାସ୍ଥ୍ୟାନୁଷ୍ଠାନ ସାମିଲ

ସେ ଆହୁରି ମଧ୍ୟ କହିଛନ୍ତି, "ଆମ ହସ୍ପିଟାଲ ଯୋଜନାରେ ଚଳିତ ବର୍ଷ ୭୩ ହସ୍ପିଟାଲର ରୂପାନ୍ତରଣ କରାଯାଇଛି । ଆଗାମୀ ୫ ବର୍ଷରେ ରାଜ୍ୟର ୧ହଜାର ୮୫୮ ହସ୍ପିଟାଲର ରୂପାନ୍ତରଣ ପାଇଁ ପଦକ୍ଷେପ ନିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ରାଜ୍ୟର ପାଖାପାଖି ୧ କୋଟି ପରିବାର ପାଇଁ ସଞ୍ଜୀବନୀ ପାଲଟିଛି । BSKy କାର୍ଡ଼ଧାରୀ ପ୍ରତ୍ୟେକ ପରିବାରର ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ରହିଛି । ଏହି କାର୍ଡ଼ ଜରିଆରେ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ଏବଂ ରାଜ୍ୟ ତଥା ରାଜ୍ୟ ବାହାରର ୭୦୦ରୁ ଅଧିକ ବେସରକାରୀ ହସ୍ପିଟାଲମାନଙ୍କରେ ନିଃଶୁଳ୍କ ଚିକିତ୍ସା ମିଳିପାରୁଛି । ମୋବାଇଲ କ୍ଲିନିକ ଦ୍ୱାରା ମୁଖ୍ୟମନ୍ତ୍ରୀ ଯୋଗାଉଛନ୍ତି ସ୍ୱାସ୍ଥ୍ୟ ସେବା । ୯୦ ପ୍ରତିଶତ ମାଆଙ୍କୁ ଦିଆଯାଇଛି ଟିକା, ଶିଶୁମୃତ୍ୟୁ ହାର କମିଛି ।"

"ରାଜ୍ୟରେ ଏବେ ୧୧ଟି କ୍ୟାନସର ହସ୍ପିଟାଲ କାର୍ଯ୍ୟ କରୁଛି । ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା କରିଛନ୍ତି । ନିରାମୟ ଯୋଜନାରେ ମାଗଣାରେ ୭୫୦ ପ୍ରକାର ଔଷଧ ମିଳୁଛି । ନିଦାନରେ ମାଗଣାରେ ପରୀକ୍ଷା ହେଉଛି । ରାଜ୍ୟରେ ଶିଶୁ ମୃତ୍ୟୁ ହାର ୭୫ରୁ ୩୬କୁ ଖସିଛି । ସେହିପରି ମାତୃ ମୃତ୍ୟୁହାର ମଧ୍ୟ କମିଛି । ମ୍ୟାଲେରିଆ ସର୍ବୋଚ୍ଚ ୯୪ ପ୍ରତିଶତ ମଧ୍ୟ କମିଛି । ସରକାର କୀଟାଣୁ ନାଶକ ମଶାରୀ ଯୋଗାଇ ଦିଆଯାଇଛି । ଟିବି ମଧ୍ୟ କମିଛି "ବୋଲି କହିଛନ୍ତି ବିଜେଡି ଜାତୀୟ ମୁଖପାତ୍ର। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.