ETV Bharat / state

ପୂର୍ବ ଶତ୍ରୁତାରୁ ପଡୋଶୀକୁ ହତ୍ୟା, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

author img

By ETV Bharat Odisha Team

Published : Jan 31, 2024, 7:15 AM IST

Murder Case Verdict: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଡୋଶୀକୁ ହତ୍ୟା କରିଥିବା ହତ୍ୟାକାରୀକୁ ଆଜୀବନ କାରାଦଣ୍ଡର ଦଣ୍ଡାଦେଶ ପ୍ରଦାନ କରିଛନ୍ତି ରାଇରଙ୍ଗପୁରର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ । ଅଧିକ ପଢ଼ନ୍ତୁ

ପୂର୍ବ ଶତ୍ରୁତାରୁ ପଡୋଶୀକୁ ହତ୍ୟା ମାମଲା
ପୂର୍ବ ଶତ୍ରୁତାରୁ ପଡୋଶୀକୁ ହତ୍ୟା ମାମଲା

ପୂର୍ବ ଶତ୍ରୁତାରୁ ପଡୋଶୀକୁ ହତ୍ୟା ମାମଲା

ରାଇରଙ୍ଗପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଡୋଶୀକୁ ହତ୍ୟା କରିଥିବା ହତ୍ୟାକାରୀକୁ ଆଜୀବନ କାରାଦଣ୍ଡର ଦଣ୍ଡାଦେଶ ପ୍ରଦାନ କରିଛନ୍ତି କୋର୍ଟ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଉକ୍ତ ହତ୍ୟାକାଣ୍ଡ ମାମଲାର ରାୟ ଗତକାଲି ଶୁଣାଣି ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ପଡୋଶୀକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗରେ ହତ୍ୟାକାରୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏହାସହ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନା ଅନୁସାରେ, ଉକ୍ତ ହତ୍ୟାକାଣ୍ଡ ଘଟଣାଟି ଘଟିଥିଲା ୨୦୨୧ ମସିହା ଏପ୍ରିଲ ମାସ ୧୮ ତାରିଖ ଦିନ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବୁଡାମରା ଗ୍ରାମର ବାସିନ୍ଦା ଚନ୍ଦ୍ରମୋହନ ମହାନ୍ତ ଓ ତାଙ୍କ ପଡୋଶୀ ସୁକେଶ ମହାନ୍ତଙ୍କ ମଧ୍ୟରେ ଅଧିକାଂଶ ସମୟ କଳି ଝଗଡ଼ା ଲାଗି ରହୁଥିଲା । ଘଟଣା ଦିନ ଚନ୍ଦ୍ରମୋହନ ମହାନ୍ତ ପଡୋଶୀ ସୁକେଶ ମହାନ୍ତଙ୍କ ଘର ପାଖକୁ ଯାଇ ସୁକେଶଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ସୁକେଶ ପ୍ରତିବାଦ କରିବାରୁ ପୂର୍ବରୁ ପ୍ରସ୍ତୁତ ଥିବା ଚନ୍ଦ୍ରମୋହନ ଏକ ଠେଙ୍ଗା ସାହାଯ୍ୟରେ ସୁକେଶର ମୁଣ୍ଡ ଉପରେ ପ୍ରହାର କରି ଚାଲିଥିଲା ।

ସେପଟେ ଏହା ଦେଖି ସୁକେଶଙ୍କ ପୁତ୍ରବଧୂ ବିମଳା ମହାନ୍ତ ଶଶୁରଙ୍କୁ ରକ୍ଷା କରିବାକୁ ଆସିଥିବା ବେଳେ ସେ ମଧ୍ୟ ଚନ୍ଦ୍ରମୋହନଙ୍କ ଠେଙ୍ଗା ମାଡ଼ରେ ଗୁରୁତର ହୋଇ ପଡ଼ିଥିଲେ । ପରେ ଘଟଣାସ୍ଥଳରେ ସୁକେଶଙ୍କ ପୁଅ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ହେଲେ ଡାକ୍ତର ସେଠାରେ ସୁକେଶ ମହାନ୍ତଙ୍କୁ ମୃତ ଘୋଷଣା କରିଥିଲେ । ପରେ ଏ ସମ୍ପର୍କରେ ସୁକେଶଙ୍କ ପୁଅ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ଚନ୍ଦ୍ରମୋହନ ମହାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ; 5ବର୍ଷ ପରେ ଆସିଲା ରାୟ, ବାପା-ପୁଅ ସମେତ ୩ଜଣଙ୍କୁ ଆଜୀବନ କାରାଦଣ୍ଡ

ତେବେ ଗତକାଲି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଉକ୍ତ ହତ୍ୟା ମାମଲାର ବିଚାର ସମୟରେ ସମସ୍ତ ତଥ୍ୟ, ପାରିପାର୍ଶ୍ବିକ ସ୍ଥିତି, ୧୨ ଜଣ ସାକ୍ଷୀଙ୍କ ବୟାନ, ପୋଲିସର ତଦନ୍ତ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଭିର୍ତ୍ତି କରି ଆସାମୀ ଚନ୍ଦ୍ର ମୋହନ ମହାନ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ଅଭିଯୁକ୍ତକୁ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରାଯାଇଛି । ତେବେ ରାୟ ପ୍ରକାଶ ପାଇବା ପରେ ଅପରାଧୀ ଚନ୍ଦ୍ରମୋହନ ମହାନ୍ତକୁ ରାଇରଙ୍ଗପୁର ଉପ କାରାଗାର ପଠାଇ ଦିଆଯାଇଛି । ଏହି ମାମଲାଟିକୁ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟର ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରୁଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.