ETV Bharat / state

ଅବହେଳିତ ଅବସ୍ଥାରେ ଶ୍ରୀକ୍ଷେତ୍ର ଶ୍ୱେତଗଙ୍ଗା ପୁଷ୍କରିଣୀ, ଭକ୍ତ ଓ ସେବାୟତ ମହଲରେ ତୀବ୍ର ଅସନ୍ତୋଷ

author img

By ETV Bharat Odisha Team

Published : Feb 3, 2024, 10:01 PM IST

ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀ
ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀ

Puri Swetaganga Holy Pond: ଅବହେଳିତ ଅବସ୍ଥାରେ ପୁରୀର ପବିତ୍ର ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀ । ଭକ୍ତ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ । ଅଧିକ ପଢ଼ନ୍ତୁ

ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀ

ପୁରୀ: ଅବହେଳିତ ଅବସ୍ଥାରେ ପୁରୀର ପବିତ୍ର ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀ । ପୁରୀ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁ ପବିତ୍ରତା ହରାଇବାକୁ ବସିଛି ଏହି ପୁଷ୍କରିଣୀ । ନିୟମିତ ବ୍ୟବଧାନରେ ପୁଷ୍କରିଣୀର ଜଳ ବିଶୋଧନ କରାଯାଉନଥିବାରୁ ଏହା ପ୍ରଦ୍ୟୂଷିତ ଅବସ୍ଥାରେ ରହିଛି । ଫଳରେ ଜଳ ଦୁର୍ଗନ୍ଧ ହେଉଥିବା ବେଳେ ଏଠାରେ ସ୍ନାନ କଲେ ଚର୍ମ ରୋଗ ହେବାର ଆଶଙ୍କା ପ୍ରକାଶ ପାଇଛି । ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ତେବେ ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀର ଚତୁପାର୍ଶ୍ବରେ ଥିବା ପାହାଚ ଗୁଡ଼ିକ ମଧ୍ୟ ଭାଙ୍ଗି ରୁଜି ଗଲାଣି । ଅନେକ ସମୟରେ ଭକ୍ତମାନେ ପଡ଼ି ଆହତ ହେଉଛନ୍ତି । ତୀର୍ଥ ପୁଷ୍କରିଣୀର ପରିସରକୁ ନିୟମିତ ପରିଷ୍କାର ପରିଚ୍ଛନ ଓ ପୌରପାଳିକା ପକ୍ଷରୁ ନିୟମିତ ସଫେଇ କରାଯାଉନଥିବାରୁ ଅଳିଆ ଆବର୍ଜ୍ଜନା ପଡ଼ି ରହୁଛି । କିମ୍ବଦନ୍ତୀ ଅନୁଯାୟୀ ପଞ୍ଚତୀର୍ଥ ପୁଷ୍କରିଣୀ ମଧ୍ୟରେ ଶ୍ୱେତଗଙ୍ଗା ପୁଷ୍କରିଣୀ ହେଉଛି ଅନ୍ୟତମ ପୁଷ୍କରିଣୀ । ପ୍ରତିଦିନ ଏଠାରେ ଶହ ଶହ ଭକ୍ତ ଆସି ନିଜ ପିତୃପୁରୁଷଙ୍କ ତର୍ପଣ ଓ ଦଶାହ କାର୍ଯ୍ୟ କରିବା ସହ ସ୍ନାନ କରିଥାନ୍ତି । ହେଲେ ଶ୍ରୀକ୍ଷେତ୍ରର ଅନ୍ୟତମ ଏହି ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାର ଏଭଳି ଅବ୍ୟବସ୍ଥାକୁ ନେଇ ସେବାୟତ ଓ ଭକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କରାଯାଉ ବୋଲି ସାଧାରଣରେ ଦାବି ହୋଇଛି ।

ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ସହ ବିଭିନ୍ନ ମଠ ମନ୍ଦିର ଓ ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ କରୁଛନ୍ତି । ମାର୍କଣ୍ଡେୟ, ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ ଆଦି ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଗେଇ ଚାଲିଛି । ପୋଖରୀର କାନ୍ଥରେ ମହାପ୍ରଭୁଙ୍କର ବିଭିନ୍ନ ପର୍ବପର୍ବାଣି, ଜଗନ୍ନାଥ ସଂସ୍କୃତିର ବିଭିନ୍ନ କିମ୍ବଦନ୍ତୀକୁ ଅତି ସୁନ୍ଦର ଭାବରେ ଚିତ୍ରିତ କରାଯାଉଛି । ଏଥିସହିତ ଭକ୍ତଙ୍କ ବସିବା ପାଇଁ ପୋଖରୀ ପରିସରରେ ବସିବା ବ୍ୟବସ୍ଥା ସହ ଆକର୍ଷଣୀୟ ଲାଇଟିଙ୍ଗ, ପାନୀୟ ଜଳ ଓ ଟଏଲେଟ୍ ବ୍ୟବସ୍ଥା ମଧ୍ୟ କରାଯାଉଛି । ନରେନ୍ଦ୍ର, ମାର୍କଣ୍ଡ ଏବଂ ଇନ୍ଦ୍ରଦ୍ୟୁମ୍ନ ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଶ୍ୱେତଗଙ୍ଗା ପୁଷ୍କରିଣୀକୁ ମଧ୍ୟ ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ସେବାୟତ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଶାବର ଶ୍ରୀକ୍ଷେତ୍ରରୁ ଆସି ଶ୍ରୀମନ୍ଦିରରେ ପହଞ୍ଚିଲା ଜିଆଇ ମାନ୍ୟତାପ୍ରାପ୍ତ ସ୍ୱତନ୍ତ୍ର କଳା ଜିରା ଚାଉଳ

ସେପଟେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ କହିଛନ୍ତି, "ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଓବିସିସିକୁ ଦାୟିତ୍ଵ ଦିଆଯାଇଛି । ଖୁବଶୀଘ୍ର ଏହି ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ । ଶ୍ରୀକ୍ଷେତ୍ରରେ ପଞ୍ଚତୀର୍ଥ ପୁଷ୍କରିଣୀର ସ୍ବତନ୍ତ୍ର ମହତ୍ତ୍ଵ ରହିଛି ।" ପବିତ୍ର ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀର ଅବ୍ୟବସ୍ଥା ପାଇଁ ଭକ୍ତ, ସେବାୟତ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.