ETV Bharat / state

ଆଜିଠୁ 4 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

author img

By ETV Bharat Odisha Team

Published : Feb 27, 2024, 8:00 PM IST

Updated : Feb 28, 2024, 6:36 AM IST

President Odisha Visit: ଆଜିଠୁ 4 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଝାଡଖଣ୍ଡରେ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପରେ ଜନ୍ମମାଟି ରାଇରଙ୍ଗପୁରରେ ଆସି ପହଞ୍ଚିବେ । ଏଥିପାଇଁ ରାଇରଙ୍ଗପୁରରେ ଜୋରଦାର ପ୍ରସ୍ତୁତି । ଅଧିକ ପଢନ୍ତୁ

President Mayurbhanj Visit
President Mayurbhanj Visit

ରାଇରଙ୍ଗପୁରରେ ଚାଲିଛି ଜୋରଦାର ପ୍ରସ୍ତୁତି

ରାଇରଙ୍ଗପୁର: ଆଜିଠୁ ଚାରି ଦିନିଆ (ଫେବୃଆରୀ 28ରୁ ମାର୍ଚ୍ଚ 2) ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ପ୍ରଥମେ ଝାଡଖଣ୍ଡ ଆସି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାପରେ ଗୃହ ଜିଲ୍ଲା ମୟୂରଭଞ୍ଜ ଗସ୍ତ କରିବେ । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କୀଚକେଶ୍ବରୀ ମନ୍ଦିର ପହଞ୍ଚି ସେଠାରେ ମା'ଙ୍କ ଦର୍ଶନ ସହିତ ସେଠାରେ ଅନ୍ନପ୍ରସାଦ ସେବନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଇରଙ୍ଗପୁରରେ ଜୋରଦାର ପ୍ରସ୍ତୁତି ଚାଲିଛି । ସୁରକ୍ଷା ଦୃଷ୍ଟକୋଣରୁ ସାରା ରାଇରଙ୍ଗପୁରକୁ ପୋଲିସ ଛାଉଣୀରେ ରଖାଯାଇଛି । ସେପଟେ କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭ୍ରାଟ ନ ହେବା ପାଇଁ ଡିଜି ଲଗାଯାଇଛି ।

ଆଜି(ବୁଧବାର) ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ରାଞ୍ଚି ଏୟାରପୋର୍ଟରୁ ବାହାରି ଅପରାହ୍ନ ୨.୩୦ଟାରେ ଖିଚିଂ ସ୍ଥିତ ପାଣ୍ଡରଶିଳ ଅସ୍ଥାୟୀ ହେଲିପ୍ୟାଡ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର କାରିକେଡ ଯୋଗେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କୀଚକେଶ୍ବରୀ ମନ୍ଦିର ପହଞ୍ଚି ସେଠାରେ ମା'ଙ୍କ ଦର୍ଶନ ସହିତ ସେଠାରେ ଅନ୍ନପ୍ରସାଦ ସେବନ କରିବେ । ପରେ ସେଠାରୁ ହେଲିକପ୍ଟର ଯୋଗେ ରାଇରଙ୍ଗପୁର ଅଭିମୁଖେ ଗସ୍ତ କରିବେ । କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ଵରେ ହେବାକୁ ଥିବା ହଲି ଡେ' ହୋମର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରୁ ସେ ଭିସି ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ଏହାପରେ ସିଧାସଳଖ ହଲି ଡେ' ହୋମର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଭର୍ଚ୍ଚୁଆଲ ମାଧ୍ୟମରେ ବାଇଦାପୋଷି ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଆଦିବାସୀ ରିସର୍ଚ୍ଚ ସେଣ୍ଟର, ରାଇରଙ୍ଗପୁରରେ ୨୨୦ ନଂ ଜାତୀୟ ରାଜପଥ ଉପରେ ଦୁଇ ଲେନ ବିଶିଷ୍ଟ ବାଇପାସ୍ ରୋଡ ନିର୍ମାଣ, ରାଇରଙ୍ଗପୁରରୁ ଯଶିପୁର ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥର ଷ୍ଟ୍ରେଚ୍ ମଜଭୁତ ସହ ପ୍ରଶସ୍ତିକରଣ ଓ ବଡ଼ସାହି ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶୁଭ ଉଦଘାଟନ କରିବେ । ସେଥିପାଇଁ ସୁରକ୍ଷା ଦୃଷ୍ଟକୋଣରୁ ସାରା ରାଇରଙ୍ଗପୁରକୁ ପୋଲିସ ଛାଉଣୀରେ ରଖାଯାଇଛି । ସେପଟେ କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭ୍ରାଟ ନ ହେବା ପାଇଁ ଡିଜି ଲଗାଯାଇଛି ।

ରାଇରଙ୍ଗପୁରର ସବୁ ସ୍ଥାନରେ ରାଷ୍ଟ୍ରପତିଙ୍କ ବଡ ବଡ ପୋଷ୍ଟର ଓ ହୋଡିଂ ଲଗାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ରାଇରଙ୍ଗପୁର ରାସ୍ତାରେ ବ୍ୟାରିକେଡ କରାଯାଇଛି । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯେଭଳି କୌଣସି ତ୍ରୁଟି ନହୁଏ ସେଥିପ୍ରତି ପ୍ରଶାସନିକ ଅଧିକାରୀମାନେ ମଧ୍ୟ ତଦାରଖ କରୁଛନ୍ତି ।

ଏହା ବି ପଢନ୍ତୁ- ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ପାଇଁ ନିୟୋଜିତ ସିନିଅର ଅଫିସର

କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ପୂର୍ବାହ୍ନ ୪.୪୫ ସମୟରେ ରାଇରଙ୍ଗପୁର ଦାଣ୍ଡବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ ପରେ ସେଠାରୁ ରାଇରଙ୍ଗପୁର ହଲି ଡେ' ହୋମର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଭିସି ମାଧ୍ୟମରେ ଅନ୍ୟାନ୍ୟ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ସେଠାରୁ ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସ ଭବନକୁ ସନ୍ଧ୍ୟା ୬.୧୦ ସମୟରେ ପହଞ୍ଚି ସେଠାରେ ସମ୍ପର୍କୀୟ ଓ ବିଶିଷ୍ଟ ବ୍ୟକ୍ତି ବିଶେଷମାନଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ପରେ ସେ ନିଜ ଘରେ ରାତ୍ରୀଭୋଜନ ସହ ରାତ୍ରୀଯାପନ କରିବେ ବୋଲି ସୂଚନା ରହିଛି । ଗୁରୁବାର ସକାଳୁ ରାଇରଙ୍ଗପୁର ସ୍ଥିତ ବାସଭବନରୁ ବାହାରି ଦାଣ୍ଡବୋଷ ହେଲିପ୍ୟାଡରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କେନ୍ଦୁଝର ଅଭିମୁଖେ ଯାତ୍ରା କରିବେ । ତେବେ ଅତ୍ୟନ୍ତ ଉତ୍ସାହ ସହକାରେ ନିଜ ଦିଦିଙ୍କ ଅପେକ୍ଷାରେ ରହିଛନ୍ତି ଅଞ୍ଚଳବାସୀ । ସେପଟେ ବ୍ଲୁ ବୁକ୍ ସିକ୍ୟୁରିଟି ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା କରିଛନ୍ତି ପୂର୍ବାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ।

ଏହା ବି ପଢନ୍ତୁ- ୨୮ରେ ମୟୂରଭଞ୍ଜ ଆସୁଛନ୍ତି ମହାମହିମ, ମାଟିର ଝିଅକୁ ସ୍ବାଗତ ପାଇଁ ଉତ୍ସାହିତ ଅଞ୍ଚଳବାସୀ

ପ୍ରୋଟୋକଲ ଅନୁଯାୟୀ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିବା ବେଳେ ରାଇରଙ୍ଗପୁର ଷ୍ଟାଡିୟମରେ ମୟୂରଭଞ୍ଜ ଏସପି ଏସ ସୁଶ୍ରୀଙ୍କ ଦ୍ବାରା ବ୍ରିଫିଂ କରାଯାଇଥିଲା । ବ୍ରିଫିଂ ପରେ ପୋଲିସ ପକ୍ଷରୁ ମକଡ୍ରିଲ ଆରମ୍ଭ କରାଯାଇଥିଲା । ତେବେ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଷ୍ଟ୍ରପତି ହେବା ପରେ ନିଜ ଜନ୍ମ ମାଟି ଓ କର୍ମ ଭୂମି ରାଇରଙ୍ଗପୁରକୁ ତୃତୀୟ ଥର ପାଇଁ ଆସୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଅତି ଉତ୍ସାହ ଓ ଉତ୍କଣ୍ଠା ସହିତ ପୁଣି ଥରେ ଦିଦିଙ୍କ ଗୋଟିଏ ଝଲକ ପାଇଁ ଚାହିଁ ରହିଛନ୍ତି ଅଞ୍ଚଳବାସୀ ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Feb 28, 2024, 6:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.