ETV Bharat / state

ପୁଣି ଜନନୀ ଯନ୍ତ୍ରଣା, ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

author img

By ETV Bharat Odisha Team

Published : Feb 20, 2024, 2:50 PM IST

ପୁଣି ଜନନୀ ଯନ୍ତ୍ରଣା
ପୁଣି ଜନନୀ ଯନ୍ତ୍ରଣା

Pregnant Lady carried out by stretcher in Kalahandi: ପୁଣି ଜନନୀ ଯନ୍ତ୍ରଣା । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କିଞ୍ଜିକନା ଗାଁରେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଷ୍ଟ୍ରେଚରରେ 3 କିଲୋମିଟର ବୁହା ହେଲେ ଗର୍ଭବତୀ । ଅଧିକ ପଢନ୍ତୁ,

ପୁଣି ଜନନୀ ଯନ୍ତ୍ରଣା

ଭବାନୀପାଟଣା: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଦୁଃଖ । ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଷ୍ଟ୍ରେଚରରେ 3 କିଲୋମିଟର ବୁହା ହେଲେ ଗର୍ଭବତୀ । ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ଜନ୍ମ ନେଲା ଶିଶୁ । ଏଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କିଞ୍ଜିକନା ଗାଁରେ । ପିଲା ଜନ୍ମ ହେବା ପରେ ପ୍ରସୂତି ମହିଳା ଏବଂ ଶିଶୁକୁ 108 ଆମ୍ବୁଲାନ୍ସରେ ସ୍ଥାନୀୟ ଚିଲଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା ।

ଲୋକ କଲ୍ୟାଣ ପାଇଁ ସରକାର ଅନେକ ଯୋଜନା କରୁଥିବା ନେଇ ଡିଣ୍ଡିମା ପିଟୁଛନ୍ତି । ହେଲେ ଏବେବି ଅପହଞ୍ଚ ଇଲାକାରେ ସ୍ବପ୍ନ ପାଲଟିଛି ମୌଳିକ ସୁବିଧା । ଗମନାଗମନ ସୁବିଧା ନଥିବାରୁ ଖଟିଆରେ ବୁହା ହେଉଛନ୍ତି ରୋଗୀ ଓ ଗର୍ଭବତୀ । ବାରମ୍ବାର ଏଭଳି ଦୃଶ୍ୟ ସାମ୍ନାକୁ ଆସୁଥିଲେ ମଧ୍ୟ ସୁଧୁରି ପାରୁନି ଆମ ବ୍ୟବସ୍ଥା ।

ସୂଚନା ଅନୁଯାୟୀ, ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ କିଞ୍ଜିକନା ଗାଁର ରାଇମତି ମାଝୀଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ହସ୍ପିଟାଲ ଯିବା ପାଇଁ 108 ଆମ୍ବୁଲାନ୍ସକୁ ଫୋନ ଯୋଗେ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ଗାଁରେ ପହଞ୍ଚି ପାରିନଥିଲା । ଭଲ ରାସ୍ତା ନଥିବାରୁ ଗାଁ ମଧ୍ୟକୁ ପସିପାରିନଥିଲା ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ 3 କିଲୋମିଟର ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ନିଆଯାଇଥିଲା । ହେଲେ ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ଗର୍ଭବତୀ ଜଣକ ଶିଶୁକନ୍ୟା ଜନ୍ମ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନଥିବାରୁ ୩ କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ଶିଶୁକନ୍ୟା ଜନ୍ମ ହେବା ପରେ ପ୍ରସୂତି ମହିଳା ଏବଂ ଶିଶୁକୁ 108 ଆମ୍ବୁଲାନ୍ସରେ ସ୍ଥାନୀୟ ଚିଲଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରେ ସେଠାରୁ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରି ଉଭୟ ମାଆ ଏବଂ ଶିଶୁ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସେପଟେ ଗାଁକୁ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ। ତେବେ ଜନ ମଙ୍ଗଳ ରାଷ୍ଟ୍ରରେ ଉତ୍ତରଦାୟୀ ଥିବା ସରକାର କେବେ ଶୁଣିବେ ଉପାନ୍ତ ଅଞ୍ଚଳର ଲୋକଙ୍କ ଗୁହାରି ତାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.