ETV Bharat / state

କଡ଼ା ସୁରକ୍ଷା ବଳୟରେ ବଣ୍ଡାଘାଟି ଓ ସ୍ବାଭିମାନ ଅଞ୍ଚଳରେ ପଡ଼ିଲା ଭୋଟ - Banda Ghati Swabhiman Anchal Vote

author img

By ETV Bharat Odisha Team

Published : May 13, 2024, 11:04 PM IST

Voting in Banda Ghati and Swabhiman Anchal: ମାଲକାନଗିରି ବଣ୍ଡାଘାଟି ଓ ସ୍ବାଭିମାନ ଅଞ୍ଚଳରେ ଶାନ୍ତିଶୃଙ୍ଖଳାରେ ସହ ଭୋଟ ଗ୍ରହଣ ଶେଷ ହୋଇଛି । ମାଓପ୍ରବଣ ଅଞ୍ଚଳରେ ଭୋଟଦାନ ପାଇଁ ବିଭିନ୍ନ ବୁଥରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ

Voting in Banda Ghati and Swabhiman Anchal
Voting in Banda Ghati and Swabhiman Anchal (ETV Bharat Odisha)

Voting in Banda Ghati and Swabhiman Anchal (ETV Bharat Odisha)

ମାଲକାନଗିରି: ଆଉ ନାହିଁ ନକ୍ସଲ ଭୟ । ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ବଣ୍ଡାଘାଟି ଓ ସ୍ବାଭିମାନ ଅଞ୍ଚଳରେ ଶାନ୍ତିଶୃଙ୍ଖଳାରେ ସହ ଭୋଟ ଗ୍ରହଣ ଶେଷ ହୋଇଛି । ଏହି ମାଓପ୍ରବଣ ଅଞ୍ଚଳରେ ଭୋଟଦାନ ପାଇଁ ବିଭିନ୍ନ ବୁଥରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିବାବେଳେ ପୂର୍ବରୁ ସୀମା ମଧ୍ୟ ସିଲ୍‌ କରାଯାଇଥିଲା । ତେବେ ମତଦାନରେ କୌଣସି ବାଧା ସୃଷ୍ଟି ହୋଇନଥିବା କହିଛନ୍ତି ଜିଲ୍ଲାପାଳ ସଚିନ ପାୱାର ।

ଦିନ ଥିଲା, ବଣ୍ଡାଘାଟି ଓ ସ୍ବାଭିମାନ ଅଞ୍ଚଳରେ ନକ୍ସଲ ନିଜର କାୟା ବିସ୍ତାର କରି ନିଜର ନିୟମ କାନୁନ ଲୋକଙ୍କ ଉପରେ ଲଦି ଦେଉଥିଲେ । ଏବେ ସ୍ଥିତି ବଦଳିଛି । ବଣ୍ଡାଘାଟି ଓ ସ୍ବାଭିମାନ ଅଞ୍ଚଳରେ ଆଉ ନକ୍ସଲଙ୍କ ଭୟ ନାହିଁ । ଲୋକେ ବେଧଡକ ରାତିରେ ମଧ୍ୟ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ସ୍ବଚ୍ଛନ୍ଦରେ ଯିବା ଆସିବା କରିପାରୁଛନ୍ତି । ଏହାର ଝଲକ ମଧ୍ୟ ଆଜି ନିର୍ବାଚନରେ ଦେଖିବାକୁ ମିଳିଥିଲା । ଲୋକେ ଭୋଟଦାନ କେନ୍ଦ୍ରରେ ପ୍ରବଳ ଉତ୍ସାହର ସହ ଧାଡ଼ି ବାନ୍ଧି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିଜର ମତଦାନ କରିଛନ୍ତି । ବଣ୍ଡାଘାଟିରେ ଦୁଇଟି ପଞ୍ଚାୟତ ଅଣ୍ଡ୍ରାହାଲ ଓ ମଦୁଲିପଡାରେ ୬ଟି ବୁଥ୍‌ ରହିଥିବାବେଳେ ଏଠାରେ ୫୩୪୭ ଭୋଟର ରହିଛନ୍ତି । ସେଥିମଧ୍ୟରୁ ଅଣ୍ଡ୍ରାହାଲରେ ୧୦୩୧ ଭୋଟର ରହିଥିବାବେଳେ ବଡବେଲ ବୁଥରେ ୧୦୩୮, ପାତ୍ରପୁଟ ବୁଥରେ ୫୪୫, ବଣ୍ଡାପଡା ବୁଥରେ ୪୦୦, ମୁଦୁଲିପଡା-୧ ନମ୍ବର ବୁଥରେ ୧୨୪୬ ଏବଂ ମୁଦୁଲିପଡା-୨ ନମ୍ବର ବୁଥରେ ୧୦୮୭ ଭୋଟର ରହିଛନ୍ତି । ଅପରାହ୍ନ ୫ଟା ସୁଦ୍ଧା ବଣ୍ଡାଘାଟିରେ ୬୦ ପ୍ରତିଶତ ମତଦାନ ହୋଇସାରିଥିଲା ।

ବଣ୍ଡାଘାଟିରେ ମହିଳାମାନେ ଭୋଟ ଦେବା ପାଇଁ ସକାଳରୁ ହିଁ ଲାଇନ ବାନ୍ଧି ବୁଥଗୁଡିକରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ଏକ ଦଶନ୍ଧି ପରେ ଏମାନେ ଭୋଟ ଦେଉଥିବାରୁ ପ୍ରବଳ ଉତ୍ସାହ ଥିଲା । ନିଜର ମନପସନ୍ଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାର ଇଛା ପ୍ରକଟ କରୁଥିଲେ । କିଛି ମହିଳାଙ୍କୁ କାହାକୁ ଭୋଟ ଦେବେ ବୋଲି ପଚରାଯିବାରୁ ସେମାନେ ଯିଏ ଭଲ କାମ କରୁଛି ଏବଂ ଆଗକୁ କରିବ ତାକୁ ଭୋଟ ଦେବୁ ବୋଲି କହିଥିଲେ । ଏପରିକି ବଣ୍ଡାଘାଟିର ପ୍ରାୟ ସମସ୍ତ ଗାଁକୁ ରାସ୍ତା ନିର୍ମାଣ ହୋଇଥିବାରୁ ଭୋଟରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା କୁହାଯାଇଛି । ବଣ୍ଡା ଜନଜାତି ଏବେ ଆଉ ପଛରେ ନାହାନ୍ତି । ଭୋଟ ଦେବା ଜାଣିବା ସହ ସଚେତନ ହେଲେଣି । ବଣ୍ଡାଘାଟିରେ ନୂଆ ଭୋଟରମାନେ ମଧ୍ୟ ପ୍ରଥମକରି ଭୋଟ ଦେବା ପାଇଁ ଉତ୍ସାହିତ ହେଉଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ନୋ ବୁଥ ନୋ ଭୋଟ ଦାବିରେ ଭୋଟବର୍ଜନ କଲେ ସିର୍ଲିଗୁଡା ଗ୍ରାମବାସୀ - Villagers Boycott Assembly Election

ସେହିପରି ସ୍ବାଭିମାନ ଅଞ୍ଚଳରେ ରହିଥିବା ୨୩ଟି ବୁଥରେ ମୋଟ ୧୯୫୦୨ ଜଣ ଭୋଟର ରହିଛନ୍ତି । ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତର ଯନ୍ତ୍ରୀରେ ୨ଟି ବୁଥ, ଅଣ୍ଡ୍ରାପାଲୀରେ ଗୋଟିଏ, ପଣସପୁଟରେ ୪ଟି, ଧୂଳିପୁଟରେ ୬ଟି, ବଡପଡାରେ ୨ଟି, ଗାଜଲମାମୁଡିରେ ୨ଟି, ଯଡାମ୍ବରେ ୨ଟି ଏବଂ ରାଲଗେଡାରେ ୨ଟି ବୁଥ କରାଯାଇଥିଲା । ସ୍ବାଭିମାନ ଅଞ୍ଚଳକୁ ପ୍ରାୟ ଦୁଇ ଦଶନ୍ଧି ଧରି ସମ୍ପୂର୍ଣ୍ଣ ଭାବେ ନକ୍ସଲ ନିଜ ଅକ୍ତିଆରରେ ରଖିଥିବାବେଳେ ଏବେ ଆଉ ସେହି ସ୍ଥିତି ନାହିଁ । ସମ୍ପୂର୍ଣ୍ଣ ସ୍ବାଭିମାନ ଅଞ୍ଚଳକୁ ବିଏସ୍‌ଏଫ୍‌ ଯବାନ ଘେରି ରହିଥିବାବେଳେ ଘନ ଘନ ନକ୍ସଲ କ୍ୟାମ୍ପରେ ଚଢାଉ ଯୋଗୁଁ ନକ୍ସଲ ଏହି ଅଞ୍ଚଳ ଛାଡି ଛତିଶଗଡ ଏବଂ ଆନ୍ଧ୍ର ମୁହାଁ ହୋଇଛନ୍ତି । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସମ୍ଭବପର ହୋଇପାରିଛି । ଲୋକେ ଏବେ ଆଉ ନକ୍ସଲର ଭୟ ନକରି ଭୋଟ କେନ୍ଦ୍ରରେ ଭିଡ ଜମାଉଥିବା ଦେଖିବାକୁ ମିଳିଥିଲା । ଭୋଟ ଦେବା କଥା ତ ଦୂରରେ ଥାଉ, ପୂର୍ବରୁ ନକ୍ସଲଙ୍କ ଭୟ ଯୋଗୁଁ ଲୋକେ ଘରୁ ପଦାକୁ ବାହାରୁ ନଥିଲେ ।

ଆଜି ଅପରାହ୍ନ ୫ଟା ସୁଦ୍ଧା ସ୍ବାଭିମାନ ଅଞ୍ଚଳରେ ୫୮ ପ୍ରତିଶତ ଭୋଟ ଗ୍ରହଣ ହୋଇସାରିଥିଲା । ନକ୍ସଲ ପ୍ରବଣ ଯନ୍ତ୍ରୀ, ସନ୍ୟାସୀଗୁଡା, ଯଡାମ୍ବ ଭଳି ସ୍ଥାନରେ ମଧ୍ୟ ଲୋକେ ବେଧଡକ ଭୋଟଦାନ କେନ୍ଦ୍ରକୁ ଆସି ଧାଡି ବାନ୍ଧି ଭୋଟ ଦେଇ ଫେରିଛନ୍ତି । ଏଥିପାଇଁ ସରକାର ଏବଂ ପ୍ରଶାସନ ପ୍ରଶଂସାର ପାତ୍ର ବୋଲି କୁହାଯାଇଛି । ପୋଲିସ ତରଫରୁ ପ୍ରାୟ 1 ହଜାରରୁ ଊର୍ଦ୍ଧ୍ବ ଯବାନ ସମ୍ପୂର୍ଣ୍ଣ ସ୍ବାଭିମାନ ଅଞ୍ଚଳକୁ ଘେରି ରହିଛନ୍ତି । ଏହା ଆନ୍ଧ୍ର ସୀମାକୁ ଲାଗି ରହିଥିବାରୁ ସୀମାକୁ ସିଲ୍‌ କରାଯିବା ସହ ଗୁଇନ୍ଦା ବିଭାଗ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ପ୍ରଥମ କରି ସ୍ବାଭିମାନ ଅଞ୍ଚଳରେ ଭୋଟ ବର୍ଜନ ନେଇ ନକ୍ସଲ ପୋଷ୍ଟର କିମ୍ବା ବ୍ୟାନର ମାରିପାରିଲେ ନାହିଁ । ଏସପି ନିତିଶ ବାଧବାନି ଏବଂ ଜିଲ୍ଲାପାଳ ସଚିନ ପାୱାର ବଣ୍ଡାଘାଟି ଏବଂ ସ୍ବାଭିମାନ ଅଞ୍ଚଳ ଉପରେ ସ୍ବତନ୍ତ୍ର ନଜର ରଖିଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.