ETV Bharat / state

ପୁରୀରେ ବିଶୃଙ୍ଖଳା ସୃଷ୍ଟି କରିଥିବା ବିଦେଶୀକୁ ଏମ୍ସ ପଠାଇଲା ପୋଲିସ୍ - Foreign tourist Admitted in AIIMS

author img

By ETV Bharat Odisha Team

Published : Apr 1, 2024, 3:31 PM IST

Etv Bharat
Etv Bharat

Foreign tourist Admitted in AIIMS: ପୁରୀରେ ନିଶାସକ୍ତ ଅବସ୍ଥାରେ ବିଶୃଙ୍ଖଳା ସୃଷ୍ଟି କରିଥିବା ବିଦେଶୀ ନାଗରିକଙ୍କୁ ଚିକିତ୍ସା ପାଇଁ ଏମ୍ସ ପଠାଇଲା ପୋଲିସ । ଅଧିକ ପଢନ୍ତୁ

ପୁରୀରେ ବିଶୃଙ୍ଖଳା ସୃଷ୍ଟି କରିଥିବା ବିଦେଶୀକୁ ଏମ୍ସ ପଠାଇଲା ପୋଲିସ୍

ପୁରୀ: ଶ୍ରୀମନ୍ଦିରରେ ନିଶାସକ୍ତ ଅବସ୍ଥାରେ ପ୍ରବେଶ କରି ପୋଲିସ ଓ ସେବାୟତଙ୍କୁ ଆକ୍ରମଣ କରିଥିବା ବିଦେଶୀ ନାଗରିକଙ୍କୁ ଚିକିତ୍ସା ପାଇଁ ଏମ୍ସ ପଠାଇଲା ପୋଲିସ୍ । ପୁରୀ ସ୍ଵର୍ଗଦ୍ଵାର ବେଳାଭୂମିରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ବିଦେଶୀ ପର୍ଯ୍ୟଟକ ଥୋମାସ୍ କ୍ରେଗ୍ ସେଲଡନଙ୍କୁ ଚିକିତ୍ସା ପାଇଁ ପୁରୀ ପୋଲିସ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରିଛି । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଉଛି ।

ଗତ ୩୦ ତାରିଖ (ଶନିବାର) ପୁରୀ ସହର ଓ ସ୍ଵର୍ଗଦ୍ଵାର ବେଳାଭୂମିରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ଏହି ବିଦେଶୀ ପର୍ଯ୍ୟଟକ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି କରିଥିଲେ । ପୋଲିସ ତାଙ୍କୁ କାବୁ କରିବା ସହ ହେପାଜତକୁ ନେଇଥିଲା । ଆଜି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି । ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ପଠାଇଛି ପୁରୀ ପୋଲିସ । ବିଦେଶୀ ଜଣକ ଚିକିତ୍ସା ସମୟରେ ମଧ୍ୟ ପୁଲିସଙ୍କୁ ନାକେଦମ କରିଥିବା ଜଣାଯାଇଛି l ତେବେ ଏହି ପର୍ଯ୍ୟଟକ ଜଣକ ୟୁକେର ଗ୍ରେଗ ଥୋମାସ l

ଗତ ଫେବୃଆରୀ 25ରେ ପୁରୀରେ ପହଞ୍ଚି ବଳିଆପଣ୍ଡା ସ୍ଥିତ ଏକ ଆଶ୍ରମରେ ରହିଥିଲା ଥୋମାସ l ନିୟମିତ ନିଶା ସେବନ କରିବାକୁ ସ୍ୱର୍ଗଦ୍ୱାର ଆସୁଥିଲା l ହେଲେ ଗତ 30 ତାରିଖ ନିଶାଗ୍ରସ୍ତ ଅବସ୍ଥାରେ ସ୍ଵର୍ଗଦ୍ଵାରରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଏନେଇ ପୋଲିସ ପାଖରେ ଖବର ପହଞ୍ଚିବା ପରେ ସମୁଦ୍ରକୂଳ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା ।

ଏହାମଧ୍ୟ ପଢନ୍ତୁ.. ଶ୍ରୀମନ୍ଦିର ସୁରକ୍ଷାରେ ଢ଼ିଲା: ମନ୍ଦିର ଭିତରୁ ବିଦେଶୀ ପର୍ଯ୍ୟଟକ ଉଦ୍ଧାର - Non Hindu Entered In Shree Mandir

ବଳିଆପଣ୍ଡା ଅଞ୍ଚଳରେ ଥୋମାସ୍ କ୍ରେଗ୍ ସେଲଡନ୍‌ ଏକ ଆଶ୍ରମରେ ରହୁଥିବା ବେଳେ ଆଶ୍ରମର ପରିଚାଳକଙ୍କୁ ପୋଲିସ ଖବର ଦେଇଥିଲା । ଆଶ୍ରମ ପରିଚାଳକ ସମୁଦ୍ର କୂଳ ଥାନାକୁ ଆସି ଏକ ଅଣ୍ଡର ଟେକିଙ୍ଗ ଲେଖି ବିଦେଶୀ ପର୍ଯ୍ୟଟକଙ୍କୁ ସାଙ୍ଗରେ ନେଇଥିଲେ । ପୁନର୍ବାର ବିଦେଶୀ ପର୍ଯ୍ୟଟକ ଜଣକ ଆଶ୍ରମରୁ ଚାଲି ଆସି ଶ୍ରୀମନ୍ଦିର ଭିତରେ ପଶିଥିବା ବେଳେ ବେହରଣ ଦ୍ବାର ନିକଟରେ ପୋଲିସ ତାଙ୍କୁ ଅଟକାଇବାରୁ ବିଦେଶୀ ପର୍ଯ୍ୟଟକ ଜଣକ ପୋଲିସ ଓ ସେବାୟତଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ପରେ ପୋଲିସ ତାଙ୍କୁ ଅଧିକ ପଚରାଉଚରା ପାଇଁ ଟାଉନ ଥାନାକୁ ଆଣିଥିବା ବେଳେ ଥାନା ଭିତରେ ମଧ୍ୟ ବିଦେଶୀ ପର୍ଯ୍ୟଟକ ଜଣକ ହଙ୍ଗାମା କରିଥିଲେ । ଥାନା କବାଟର କାଚକୁ ଭାଙ୍ଗି ଦେଇଥିବାରୁ ତାଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିଲା । ଚିକିତ୍ସା ପାଇଁ ପୋଲିସ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ତେବେ ହସ୍ପିଟାଲ ଭିତରେ ବିଦେଶୀ ପର୍ଯ୍ୟଟକ ଜଣକ ହଙ୍ଗାମା କରିଥିଲେ । ନିଶାଗ୍ରସ୍ତ ଅବସ୍ଥାରେ ବିଦେଶୀ ପର୍ଯ୍ୟଟକ ଜଣକ ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ପୁରୀ ଏସପି ପିନାକ ମିଶ୍ରଙ୍କ କହିବା ଅନୁଯାୟୀ, ଯେକୌଣସି ବିଦେଶୀ ପର୍ଯ୍ୟଟକ ନିଜ ଗନ୍ତବ୍ୟ ସ୍ଥଳକୁ ଆସିଥାନ୍ତି । ନିୟମ ଅନୁଯାୟୀ ସେମାନେ ଏକ ଫର୍ମ ପୂରଣ କରିଥାନ୍ତି । ଏନେଇ ପୋଲିସ ପାଖରେ ସମସ୍ତ ତଥ୍ୟ ମଧ୍ୟ ରହିଥାଏ । ତେବେ ଥୋମାସ୍ କ୍ରେଗ୍ ସେଲଡନ୍ ଅତ୍ୟଧିକ ନିଶା ସେବନ କରିଥିବା ଯୋଗୁ ଏଭଳି ଅଶାଳୀନ ବ୍ୟବହାର କରିଥିଲେ । ଏନେଇ ପୁରୀ ପୋଲିସ ତାଙ୍କ ଦେଶର ଏମ୍ବାସିଙ୍କ ସହ ଯୋଗାଯୋଗରେ ଥିବାବେଳେ ଏନେଇ ପରବର୍ତ୍ତୀ ସମୟରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସପି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.