ETV Bharat / state

ବିଜୁ ସ୍ବାସ୍ଥ୍ୟ କାର୍ଡରୁ ଠକେଇ ଘଟଣା, ଗିରଫ ହେଲେ ତିନି ଅଭିଯୁକ୍ତ

author img

By ETV Bharat Odisha Team

Published : Feb 24, 2024, 7:21 PM IST

ବିଜୁ ସ୍ବାସ୍ଥ୍ୟ କାର୍ଡରୁ ଠକେଇ ଘଟଣା
ବିଜୁ ସ୍ବାସ୍ଥ୍ୟ କାର୍ଡରୁ ଠକେଇ ଘଟଣା

Loot money from BSKY Card In Balangir: ଚିକିତ୍ସା ନାଁରେ ସ୍ବାସ୍ଥ୍ୟ କାର୍ଡ ବିମା ଯୋଜନାରେ ଚଞ୍ଚକତା କରି ଟଙ୍କା ହଡ଼ପ କରୁଥିଲେ ଠକ । ବଲାଙ୍ଗୀର ବେଳପଡା ଅଞ୍ଚଳର ତିନ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ,

ବିଜୁ ସ୍ବାସ୍ଥ୍ୟ କାର୍ଡରୁ ଠକେଇ ଘଟଣା

ବଲାଙ୍ଗୀର: ଗରିବଙ୍କ ପାଇଁ ଉଦ୍ଦିଷ୍ଟ ବିଜୁ ସ୍ବାସ୍ଥ୍ୟ କାର୍ଡରୁ ଲୁଟ । ଚିକିତ୍ସା ନାଁରେ ସ୍ବାସ୍ଥ୍ୟ କାର୍ଡ ବିମା ଯୋଜନାରେ ଚଞ୍ଚକତା କରି ଟଙ୍କା ହଡ଼ପ କରୁଥିଲେ ଠକ । ଏନେଇ 23 ଫେବୃଆରୀରେ ତିନ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ଘଟଣାଟି ବଲାଙ୍ଗୀର ବେଳପଡା ଅଞ୍ଚଳର। ତେବେ ହିତାଧିକାରୀଙ୍କୁ ବାହାର ରାଜ୍ୟକୁ ଚିକିତ୍ସା ପାଇଁ ନେଇ ତାଙ୍କ କାର୍ଡରୁ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ଆସିଛି । ଯାହାର ଅଭିଯୋଗ ସ୍ଥାନୀୟ ବିଏସକେୱାଇ ସଂଯୋଜକ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ।

ଏହି ଘଟଣାରେ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଧୂମାଭଟା ଗ୍ରାମର କାର୍ତ୍ତିକ ସରଦେଓ, ଶ୍ରୀପତି ମିଶ୍ର ଓ ଦୁର୍ଯ୍ୟୋଧନ ସାହୁ । ଯାହାଙ୍କୁ ଠକେଇ ଘଟଣାରେ ପୋଲିସ ଗିରଫ କରିଛି। ତେବେ ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୁଝାରୀଙ୍କ ସୂଚନା ଅନୁସାରେ ଏହି ତିନି ଜଣ ଦୀର୍ଘ ବର୍ଷ ହେବ ଗରିବ ଲୋକଙ୍କୁ ଛତିଶଗଡ଼ ରାଜ୍ୟରେ ମାଗଣା ଚିକିତ୍ସା ନାଁରେ ନେଉଥିଲେ। ସେଠାରେ ନେଇ ସେମାନେ ସରକାରୀ ଡ଼ାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଇ ପରବର୍ତ୍ତୀ ସମୟରେ ତାଙ୍କ ବିଏସକେୱାଇ କାର୍ଡ଼ରୁ ମୋଟା ଟଙ୍କା ଚଲୁ କରିନେଉଥିଲେ। ଯାହାର ଲିଖିତ ଅଭିଯୋଗ ସ୍ଥାନୀୟ ବିଏସକେୱାଇ ସଂଯୋଜକ କରିଥିଲେ । ଏହାପରେ ଏକ ସ୍ଵତନ୍ତ୍ର ପୋଲିସ ଟିମ୍ ଏହାର ତଦନ୍ତ କରି ଏହି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କେସ ନମ୍ୱର 57ରେ ମାମଲା ରୁଜୁ କରି ଦଫା 420, 417, 490, 120 ବି ଏବଂ ମେଡିକାଲ ନିୟମରେ ଏମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଏସଡିପିଓ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... 8 ବର୍ଷ ପରେ ମିଳିଲା ନ୍ୟାୟ, ପତ୍ନୀହନ୍ତାଙ୍କୁ ଆଜୀବନ ଜେଲ

ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୁଝାରୀ କହିଛନ୍ତି ଯେ,‘‘ସରକାରଙ୍କ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବିଜୁ ସ୍ବାସ୍ଥ୍ୟ କାର୍ଡ ବିମା ଯୋଜନାରେ ଚଞ୍ଚକତା କରି ଏମାନେ ଟଙ୍କା ହଡ଼ପ କରୁଥିଲେ । ସେହିପରି ତଦନ୍ତରେ ଏଯାବତ ଆଠରୁ ଦସଟି ମାମଲାରେ ଏମାନେ ଜଡ଼ିତ ଥିବାର ପ୍ରମାଣ ମିଳିଛି। ତେବେ ଏମାନେ ଏହିଭଳି ଆଉ କେତେ ଲୋକଙ୍କ କାର୍ଡ ବ୍ୟବହାର କରି ଠକେଇ କରିଛନ୍ତି ତାହା ଏବେବି ତଦ୍ମତାଧିନ ରହିଛି ।’’ ତେବେ ଗରିବଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଚଲାଉଛନ୍ତି। ତେବେ ଏଥିରେ ସମସ୍ତ ଗରିବଙ୍କୁ ସ୍ବାସ୍ଥ୍ୟ କାର୍ଡ ଯୋଗାଇ ଦେଉଛନ୍ତି। ହେଲେ ଏହାକୁ ବ୍ୟବହାର କରି କିଛି ଅସାଧୁ ବେଆଇନ ଟଙ୍କା ରୋଜଗାର କରୁଥିବା ଓ ଗରିବ ଲୋକଙ୍କ ନାଁରେ ସରକାରଙ୍କୁ ଲୁଟୁ ଥିବାର ଅଭିଯୋଗ ହୋଇଥିଲା।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.