ETV Bharat / state

ଉପର ମୁହାଁ ପାରଦ, ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ଜନଜୀବନ - Heat Wave

author img

By ETV Bharat Odisha Team

Published : Apr 3, 2024, 12:44 PM IST

ପ୍ରଚଣ୍ଡ ତାତିରେ ଜଳୁଛି  ସାରା ଓଡ଼ିଶା
ପ୍ରଚଣ୍ଡ ତାତିରେ ଜଳୁଛି ସାରା ଓଡ଼ିଶା

Heat wave: ପ୍ରଚଣ୍ଡ ତାତିରେ ଜଳୁଛି ସାରା ଓଡ଼ିଶା । ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛନ୍ତି ଲୋକେ । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜୀବନ ଯାତ୍ରା । ଅଧିକ ପଢନ୍ତୁ

ପ୍ରଚଣ୍ଡ ତାତିରେ ଜଳୁଛି ସାରା ଓଡ଼ିଶା

ଅନୁଗୋଳ/ବୌଦ୍ଧ: ପ୍ରବଳ ଖରାରେ ସିଝୁଛି ସାରା ଓଡ଼ିଶା । ଆକାଶରୁ ହେଉଛି ଅଗ୍ନିବର୍ଷା । ଉପକୂଳରୁ ଉପାନ୍ତ ସବୁଠି କଲବଲ କରୁଛି ଟାଣ ଖରା । ସେହିପରି ପ୍ରଚଣ୍ଡ ତାତିରେ ଜଳୁଛି ଅନୁଗୋଳ ଓ ବୌଦ୍ଧ ଜିଲ୍ଲା । ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛନ୍ତି ଲୋକେ । ଦିନ ୧୦ଟା ପରେ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି ।

ଗତ କିଛି ଦିନ ହେଲା ଅନୁଗୋଳ ଜିଲ୍ଲାରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହୁଛି । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜୀବନ ଯାତ୍ରା । ଖରା ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି, ଗାମୁଛା ପିନ୍ଧିଛି ତ ଆଉ କାହାର ସାହା କଳା ଚଷମା । ଦିନ ୧୧ଟା ବାଜିଲେ ରାସ୍ତାଘାଟ ସବୁ ଶୂନସାନ ହୋଇଯାଉଛି । ଜରୁରୀ କାମରେ ଆସୁଥିବା ଲୋକେ ଗଛ ମୂଳରେ ଆଶ୍ରୟ ନେଉଛନ୍ତି । ମଧ୍ୟାହ୍ନ ଓ ଅପରାହ୍ନରେ ଏତେ ଟାଣ ଖରା ହେଉଛି ଯେ ବାହାରକୁ ବାହାରିଲେ ଦେହ ମୁହଁ ପୋଡି ଗଲା ପରି ଲାଗୁଛି । ଏବେ ଠାରୁ ଏଭଳି ପରିସ୍ଥିତି ଦେଖି ଆଗକୁ ଆହୁରି କଣ ହେବ ସେନେଇ ଚିନ୍ତାରେ ସହରବାସୀ ।

ତେବେ ଜିଲ୍ଲାରେ ଦିନକୁ ଦିନ ଖଣି ଓ ବିଭିନ୍ନ କାରଖାନା ବୃଦ୍ଧି ପାଉଛି । ଫଳରେ ବ୍ୟାପକ ଜଙ୍ଗଲ କାଟି ସଫା କରିଦିଆଯାଉଛି। ଏହାର ପ୍ରଭାବରେ ଗତ କିଛି ବର୍ଷ ହେଲା ପ୍ରତିବର୍ଷ ହାରାହାରି ତାପମାତ୍ରା ପ୍ରାୟ ୨/୩ ଡିଗ୍ରୀ ବଢୁଛି । ଚଳିତ ବର୍ଷ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ୧୦ଟା ବାଜିଲେ ଖରା ତେଜ ଆଶାତୀତ ଭାବେ ବୃଦ୍ଧି ପାଉଛି । ଏହାର ପ୍ରଭାବରେ ଦିନ ମଜୁରିଆ, ରିକ୍ସା ଚାଳକ ଓ ରାସ୍ତା କଡରେ ଛୋଟ ଛୋଟ ବ୍ୟବସାୟୀ ପ୍ରଭାବିତ ହେଉଛନ୍ତି । ଲୋକେ ଘରୁ ବାହାରକୁ ଆସୁନଥିବାରୁ ଚାରିଆଡେ ଖାଁ ଖାଁ ଲାଗୁଛି।

ଏହା ମଧ୍ୟ ପଢନ୍ତୁ-୫ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର, ୪ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି

ସେହିପରି ଡହ ଡହ ଖରାରେ ଶିଝୁଛି ବୌଦ୍ଧ ଜିଲ୍ଲା । ମହାନଦୀ କୂଳରେ ଥିବାରୁ ଜିଲ୍ଲାର ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ତତଲା କଡେଇରେ ଭାଜି ହେଉଛି । ଦିନ 10ଟା ବେଳକୁ ରାସ୍ତା ଘାଟ ଖାଲି ହୋଇଯାଉଛି । ଜିଲ୍ଲାରେ ଉତ୍ତାପ ପ୍ରାୟ ୪୦ ଡିଗ୍ରୀ ଉପରେ ରହୁଛି । ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ଜଙ୍ଗଲ ଅବକ୍ଷୟ ଯୋଗୁଁ ଦିନକୁ ଦିନ ଉତ୍ତାପ ବୃଦ୍ଧି ପାଉଛି । ଦିନ ୧୦ଟା ବେଳକୁ ଗରମର ପ୍ରକୋପ ବଢିବାରେ ଲାଗିଥିବା ବେଳେ ଦିନରେ ଅତି ଜରୁରୀ ନ ଥିଲେ ଲୋକେ ଘରୁ ବାହାରୁ ନାହାନ୍ତି । ଦିନରେ କେବଳ ଆଖୁରସ,ଲସି, ଲେମ୍ବୁପାଣି,ସର୍ବତ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ମଣିଷ ତ ମଣିଷ ପୁଶୁ ପକ୍ଷୀ,ବୁଲା ଗାଈଗୋରୁ ଗଭୀର ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଅନେକ ପଞ୍ଚାୟତରେ ଜଳଛତ୍ର ଖୋଲାଯାଇନାହିଁ । ସେପଟେ ଅନେକ ସ୍ଥାନରେ ଜଳ ସ୍ରୋତ ଶୁଖିଯିବାକୁ ବସିଥିବା ବେଳେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ନେଲାଣି । ପ୍ରବଳ ଖରା ଯୋଗୁଁ କୌଣସି ସମୟରେ ମଧ୍ୟ ଅଂଶୁଘାତର ସମ୍ଭାବନା ରହିଥିବାରୁ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ଅନୁଗୋଳ/ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.