ETV Bharat / state

ଅମର କୁନି ପୁଅ ସୁବୋଜିତ, ବ୍ରେନ ଡେଡ୍ ପରେ ଅଙ୍ଗ ଦାନ କଲା ପରିବାର

author img

By ETV Bharat Odisha Team

Published : Mar 3, 2024, 8:06 PM IST

Updated : Mar 4, 2024, 9:38 AM IST

Subojit Donated Organs: କୁନି ପୁଅର ମୃତ୍ୟୁ ପରେ ଅଙ୍ଗ ଦାନ କଲେ ପରିବାର ଲୋକେ । ବ୍ରେନ ଡେଡ ଘୋଷଣା ପରେ ବଡ଼ ନିଷ୍ପତ୍ତି ନେଲା ପରିବାର । ଅଧିକ ପଢନ୍ତୁ

Subojit Donated Organs
Subojit Donated Organs

ଭୁବନେଶ୍ବର: ଅଙ୍ଗଦାନ କରି ଅମର ହୋଇଗଲା 8 ବର୍ଷର କୁନି ପୁଅ ସୁବୋଜିତ ସାହୁ । ପୁଅର ମୃତ୍ୟୁ ପରେ ଶରୀର ଦାନ କରିଛନ୍ତି ପରିବାର ଲୋକେ । 7ଟି ଅଙ୍ଗକୁ ଦାନ କରିଛନ୍ତି ଭୁବନେଶ୍ଵରର ଦମ୍ପତି । ସୂଚନା ଅନୁସାରେ, ଭୁବନେଶ୍ଵର କଳ୍ପନା ଅଞ୍ଚଳର ଦ୍ଵିତୀୟ ଶ୍ରେଣୀର ଛାତ୍ର ଥିଲେ ସୁବୋଜିତ । ସେ ମସ୍ତିଷ୍କ ରୋଗରେ ପୀଡିତ ହୋଇ ୩ ଦିନ ଧରି ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି (ଶନିବାର) ତାଙ୍କର ବ୍ରେନ୍ ଡେଡ ଘୋଷଣା ହେବା ପରେ ପରିବାର ଲୋକେ ପୁଅର ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରିବା ସହ ଅଙ୍ଗଦାନ ସମିତି ସହ ଯୋଗାଯୋଗ କରିଥିଲେ। ଆଜିଏକ ଘରୋଇ ହସ୍ପିଟାଲରେ ସେମାନେ ସୁବୋଜିତର ଶରୀର ଦାନ କରିଛନ୍ତି ।

ପୁଅ ପାଇଁ କେତେ କଣ ସ୍ୱପ୍ନ ଦେଖୁଥିଲେ । ହେଲେ ପୁଅ ଅବେଳାରେ ଦୁନିଆ ଛାଡ଼ି ଚାଲିଯିବ, ସେ କଥା ସ୍ୱପ୍ନରେ ବି ଭାବି ନଥିଲେ ପରିବାର ଲୋକେ । 8 ବର୍ଷର ସନ୍ତାନର ମୃତ୍ୟୁ ଶୋକରେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନାହିଁ । ପୁଅ ସିନା ଚାଲିଗଲା, ହେଲେ ଅଙ୍ଗଦାନ କରି ଅନ୍ୟମାନଙ୍କୁ ଜୀବନ ଉପହାର ଦେଇଗଲା । ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସାଜିବ । ଏନେଇ ସୁବୋଜିତଙ୍କ ପିତା ବିଶ୍ଵଜିତ ସାହୁ କହିଛନ୍ତି , "ପୁଅକୁ ତିନି ଦିନ ପୂର୍ବେ ପ୍ରଥମେ ବାତ ମାରିଥିଲା । ପରବର୍ତ୍ତୀ ସମୟରେ ଶରୀର ସମ୍ପୂର୍ଣ୍ଣ ରୂପେ ଦୁର୍ବଳ ହୋଇପଡ଼ିଥିଲା । ଏହାପରେ ବ୍ରେନ୍ ଡେଡ୍ ହେବା ନେଇ ଡାକ୍ତର ଘୋଷଣା କରିଛନ୍ତି ।"

ଏହା ମଧ୍ୟ ପଢନ୍ତୁ...ମୃତ୍ୟୁ ପରେ ବି ଅମର ଦମୟନ୍ତୀ ! ଲିଭର ଦାନ କରି ସାଜିଲେ ଉଦାହରଣ, ଅଜଣା ବ୍ୟକ୍ତି ପାଇବେ ନୂଆ ଜୀବନ

ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକ ନେଇଥିଲେ ବଡ଼ ନିଷ୍ପତ୍ତି । ପୁଅର ସମସ୍ତ ଅଙ୍ଗକୁ ଦାନ କରିବା ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନେକଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ । ଏହାରି ମଧ୍ୟରେ ଲିଭର୍, କିଡନୀ, ଆଖି, ହାର୍ଟ ଭଳି 7ଟି ଅଙ୍ଗକୁ ଦାନ କରିଛନ୍ତି ପରିବାର । ସୁବୋଜିତ ସାହୁ ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଥିବାବେଳେ ୩ ଦିନ ହେଲା ସୁବୋଜିତଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଥିଲା । ହେଲେ ଶେଷରେ ଡାକ୍ତର ତାକୁ ବ୍ରେନ ଡେଡ ଘୋଷଣା କରିଥିଲେ। ଏନେଇ ପରିବାର ଲୋକେ କହିଛନ୍ତି, "ମୃତ ବ୍ୟକ୍ତିଙ୍କ ଅଙ୍ଗ ଗୁଡ଼ିକ ଯଦି ଆଉ କାହାର ଦେହରେ ଲାଗି ପାରିବ । ସେମାନେ ଏହାକୁ ନେଇ ଖୁସି ହେବେ, ତେବେ ଆମେ ମଧ୍ୟ ସେମାନଙ୍କ ଖୁସିରେ ଖୁସି । ସେ ଆମ ସମସ୍ତଙ୍କ ପାଇଁ ବଞ୍ଚି ରହିବ ।" ସମସ୍ତଙ୍କୁ ଅଙ୍ଗଦାନ କରିବାକୁ ପରାମର୍ଶ ଦେଇଛନ୍ତି ସୁବୋଜିତଙ୍କ ପରିବାର ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 4, 2024, 9:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.