ETV Bharat / state

ମୃତ୍ୟୁ ପରେ ବି ଅମର ଦମୟନ୍ତୀ ! ଲିଭର ଦାନ କରି ସାଜିଲେ ଉଦାହରଣ, ଅଜଣା ବ୍ୟକ୍ତି ପାଇବେ ନୂଆ ଜୀବନ

author img

By ETV Bharat Odisha Team

Published : Feb 24, 2024, 7:43 AM IST

Damayanti Donates Liver: ନବମ ଶ୍ରେଣୀ ଛାତ୍ରୀ ଦମୟନ୍ତୀଙ୍କ ଶରୀରରୁ ସଫଳତାର ସହିତ ଯକୃତ ପ୍ରତ୍ୟାରୋପଣ ପାଇଁ ଉଦ୍ଧାର କରାଯାଇଛି । ଏମ୍ସରୁ ଗ୍ରୀନ କରିଡରରେ ଦିଲ୍ଲୀ ଯାଇଛି ଦମୟନ୍ତୀଙ୍କ ଲିଭର । ପଢନ୍ତୁ ପୁରା ଖବର

Damayanti Donates Liver
Damayanti Donates Liver

Damayanti Donates Liver

ଭୁବନେଶ୍ବର: ମୃତ୍ୟୁ ପରେ ବି ଅମର ରହିବେ ଦମୟନ୍ତୀ । ଏମ୍ସରୁ ଗ୍ରୀନ କରିଡରରେ ଦିଲ୍ଲୀ ଯାଇଛି ଦମୟନ୍ତୀଙ୍କ ଲିଭର । ବ୍ରେନ୍‌ ଷ୍ଟେମ୍‌ ଡେଡ୍‌ ଘୋଷିତ ହୋଇଥିବା ନବମ ଶ୍ରେଣୀ ଛାତ୍ରୀ ଦମୟନ୍ତୀଙ୍କ ଶରୀରରୁ ସଫଳତାର ସହିତ ଯକୃତ(Liver) ପ୍ରତ୍ୟାରୋପଣ ପାଇଁ ଉଦ୍ଧାର କରାଯାଇଛି । ଏହି ଯକୃତକୁ ନୂଆଦିଲ୍ଲୀ ସ୍ଥିତ ଆଇଏଲଏସ ହସ୍ପିଟାଲକୁ ବିମାନ ଯୋଗେ ପଠାଯାଇଛି । ଏହି ଅଙ୍ଗକୁ ଶୀଘ୍ର ତଥା ବିନା ବାଧାରେ ଏମ୍ସରୁ ବିମାନବନ୍ଦରକୁ ଯିବା ପାଇଁ ସ୍ଥାନୀୟ ପୋଲିସ୍ ପକ୍ଷରୁ ଗ୍ରୀନ୍‌ କରିଡରର ବ୍ୟବସ୍ଥା କରାଯାଇଥିଲା । କେନ୍ଦୁଝର ଜିଲ୍ଲାର ମୂଳ ବାସିନ୍ଦା ଏବଂ ବର୍ତ୍ତମାନ ଭୁବନେଶ୍ବରରେ ରହୁଥିବା ବନିତା ଏବଂ ଦୁଖବନ୍ଧୁ ମହାନ୍ତଙ୍କ କନ୍ୟା ହେଉଛନ୍ତି ଦମୟନ୍ତୀ । ବିଗତ କିଛି ମାସ ଧରି ସେ କିଡନୀ ରୋଗରେ ପୀଡ଼ିତ ଥିବାବେଳେ ତାଙ୍କର ଡାଇଲେସିସ୍‌ ଚାଲିଥିଲା । ମାତ୍ର ମସ୍ତିଷ୍କାଘାତର ଶିକାର ହୋଇ ସେ ଗତ ୧୫ ତାରିଖରେ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।

ଭେଷଜ ବିଭାଗରେ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇ ଚିକିତ୍ସା କରାଯାଉଥିଲା । ମାତ୍ର ସମସ୍ତ ପ୍ରୟାସ ସତ୍ତ୍ବେ ଦମୟନ୍ତୀ କୋମାକୁ ଚାଲିଯାଇଥିଲେ । ସୁସ୍ଥ ହେବାର କୌଣସି ଲକ୍ଷଣ ଦେଖାନଯିବାରୁ ପିତାମାତାଙ୍କ ଅନୁମତି ସହିତ ବିଶେଷଜ୍ଞ ଦଳ ନିର୍ଦ୍ଧାରିତ ଡାକ୍ତରୀ ପରୀକ୍ଷା କରିବା ସହିତ ଆପ୍ନିଆ ପରୀକ୍ଷଣ କରି ଛାତ୍ରୀଜଣଙ୍କୁ ବ୍ରେନ୍‌ ଷ୍ଟେମ୍‌ ଡେଡ୍‌ ଘୋଷଣା କରିଥିଲେ । ଏଥିସହିତ ମାନବତାର ସର୍ବଶ୍ରେଷ୍ଠ ନିଦର୍ଶନ ପୂର୍ବକ ତାଙ୍କ ଝିଅର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ବନୀତା ଏବଂ ଦୁଖବନ୍ଧୁ । ଯଦି ତାଙ୍କ ଝିଅର କୌଣସି ଅଙ୍ଗ କାରଣରୁ ଅନ୍ୟ କାହାର ଜୀବନ ବଞ୍ଚିପାରିବ ତେବେ ତାହା ତାଙ୍କ ପାଇଁ ଶ୍ରେଷ୍ଠ ଆଶୀର୍ବାଦ ହେବ ବୋଲି ମତ ଦେଇଥିଲେ ବନିତା ଏବଂ ଦୁଖବନ୍ଧୁ । ଅନ୍ୟର ଜୀବନ ବଞ୍ଚିପାରିଲେ ତାଙ୍କ ଝିଅ ମଧ୍ୟ ବଞ୍ଚିରହିବାର ଅନୁଭବ ମିଳିବ ବୋଲି ସେମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ମୃତ୍ୟୁ ପରେ ବି ଅମର ! ବ୍ରେନଡେଡ ନର୍ସଙ୍କ ଅଙ୍ଗରେ 6 ଜଣ ପାଇଲେ ନୂଆ ଜୀବନ

ଏପରି ମହତ ଉଦ୍ଦେଶ୍ୟରେ ନିଜ ଝିଅଙ୍କ ଯକୃତ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ପିତାମାତା । ଏନେଇ ଭୁବନେଶ୍ବର ଏମ୍ସ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇଥିଲା । ଜଣେ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏନେଇ ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ବାସ କହିଛନ୍ତି, "ସର୍ବପ୍ରଥମେ ଅଙ୍ଗଦାନ କରିଥିବା ଦିବଂଗତ ଛାତ୍ରୀଙ୍କ ପିତାମାତାଙ୍କୁ ହୃଦୟରୁ ଧନ୍ୟବାଦ । ସହୃଦୟତା ଦେଖାଇ ବନୀତା ଏବଂ ଦୁଃଖବନ୍ଧୁ ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି । ନିଜ ଝିଅର ଅଙ୍ଗ ପୁନରୁଦ୍ଧାର ହୋଇ ବିମାନବନ୍ଦରକୁ ଯାଉଥିବାବେଳେ ବନୀତା ଏବଂ ଦୁଖବନ୍ଧୁଙ୍କ ଆଖିରୁ ଅବିଶ୍ରାନ୍ତ ଭାବେ ବହିଚାଲିଥିବା ଅଶ୍ରୁ ପିତାମାତାଙ୍କ ହୃଦୟର ବ୍ୟଥାକୁ ବୟାନ କରୁଥିଲା । ମାତ୍ର ଏହା ସତ୍ତ୍ବେ ଜଣେ ଅଜଣା ବ୍ୟକ୍ତିର ଜୀବନ ବଞ୍ଚାଇବାକୁ ଉଭୟ ଦମ୍ପତି ନେଇଥିବା ସାହସିକ ପଦକ୍ଷେପ କାଳ କାଳକୁ ମନେ ରହିବ।" ସୂଚନା ଅନୁଯାୟୀ, ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ କିଛି ଦିନ ପୂର୍ବରୁ କରୁଥିବା ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଯେଉଁମାନେ ଅର୍ଗାନ ଡୋନେଟ୍ କରିବେ ସେମାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.