ETV Bharat / state

ପଣ୍ୟ କାରବାରରେ ରେକର୍ଡ କଲା ପାରାଦ୍ୱୀପ ବନ୍ଦର

author img

By ETV Bharat Odisha Team

Published : Feb 3, 2024, 7:59 AM IST

Paradip port
ଭାରତୀୟ ବନ୍ଦର ଇତିହାସରେ ରେକର୍ଡ କଲା ପାରାଦ୍ୱୀପ ବନ୍ଦର

Paradip port New Record: ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବନ୍ଦର ଜାନୁଆରୀ ମାସରେ ପଣ୍ୟ କାରବାରରେ ଏକ ବୃହତ ରେକର୍ଡ ସୃଷ୍ଟି କରିଛି । ଯାହା ଭାରତୀୟ ବନ୍ଦର ଇତିହାସରେ ପ୍ରଥମ ଘଟଣା । ଆଗକୁ ପଢନ୍ତୁ

ପାରାଦ୍ବୀପ: ଭାରତୀୟ ବନ୍ଦର ଇତିହାସରେ ରେକର୍ଡ କଲା ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବନ୍ଦର । ଜାନୁଆରୀ ମାସରେ ପଣ୍ୟ କାରବାରରେ ବୃହତ ରେକର୍ଡ ସୃଷ୍ଟି କରିଛି ପାରାଦ୍ୱୀପ ବନ୍ଦର । ମାସିକ ପଣ୍ୟ ପରିଚାଳନା କ୍ଷେତ୍ରରେ ଗତ 2023 ମସିହାରେ 13.5 ମିଲିୟନ ମେଟ୍ରିକ ଟନ ରହିଥିଲା ବେଳେ ଚଳିତ ବର୍ଷ ଅର୍ଥାତ୍ 2024 ଜାନୁଆରୀରେ ଏଥିରେ ବୃଦ୍ଧି ଘଟି 14.32 ମିଲିୟନ ମେଟ୍ରିକ ଟନ ହୋଇଛି । ଯାହା ପଣ୍ୟ କାରବାର କ୍ଷେତ୍ରରେ ସର୍ବ ଭାରତୀୟ ସ୍ତରରେ ଏକ ବିରଳ ରେକର୍ଡ ବୋଲି କୁହାଯାଉଛି । ଏହାକୁ ନେଇ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପାରାଦୀପ ବନ୍ଦରର ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେହିପରି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହାକୁ ନେଇ ପାରାଦ୍ୱୀପ ବନ୍ଦରକୁ ଧନ୍ୟବାଦ ଜଣାଇଛନ୍ତି । ବନ୍ଦର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ଜାନୁଆରୀ ମାସରେ ପାରାଦ୍ୱୀପ ବନ୍ଦରର ପଣ୍ୟ କାରବାର ଆଶାତୀତ ବୃଦ୍ଧି ପାଇଛି । ବନ୍ଦର ଦ୍ୱାରା ପରିଚାଳିତ କାର୍ଗୋ ଭଲ୍ୟୁମ ଗତ ଆର୍ଥିକ ବର୍ଷରେ 109.28 ମିଲିୟନ ମେଟ୍ରିକ ଟନ ଥିବା ବେଳେ କାରବାର ବୃଦ୍ଧି ପାଇ ଏହା 119.85 ମିଲିୟନ ମେଟ୍ରିକ ଟନରେ ପହଞ୍ଚିଛି । ସେହିଭଳି କୋଇଲା ପରିଚାଳନା, ଆଇରନ ଓର ଓ ପେଲଟ କାର୍ଗୋ 59.42% ବୃଦ୍ଧି ପାଇଛି । ଗତ 2023 ମସିହାରେ ପାରାଦ୍ୱୀପ ବନ୍ଦରକୁ ମୋଟ 639ଟି ଜାହାଜ ଜାହାଜ ଚଳାଚଳ କରିଥିବା ବେଳେ 2024 ଜାନୁଆରୀ ମାସରେ ପାରାଦ୍ୱୀପ ବନ୍ଦର ମଧ୍ୟକୁ ମୋଟ 738ଟି ଜାହାଜ ଚଳାଚଳ କରିଥିବା ବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. ନିଜ ରେକର୍ଡ ଭାଙ୍ଗିଲା ପାରାଦ୍ବୀପ ପୋର୍ଟ, ପଣ୍ୟ କାରବାରରେ ଦେଶରେ 1 ନଂ

ସେହିପରି ପାରାଦ୍ୱୀପ ବନ୍ଦରର ବର୍ଥରେ ପ୍ରତିଦିନ 32 ହଜାର 612 ମେଟ୍ରିକ ଟନ ପଣ୍ୟ ପରିବହନ କରିଛି । ଭାରତର ପ୍ରଥମ ବନ୍ଦର ଭାବରେ ଥର୍ମାଲ କୋଇଲାକୁ ଭାରତର ପଶ୍ଚିମ ଉପକୂଳ ମହାରାଷ୍ଟ୍ରକୁ ତାପଜ କୋଇଲା ପଠାଇବା ଆରମ୍ଭ କରିଛି । ଏହି ଯୋଜନାକୁ ସମଗ୍ର ବିଶ୍ୱରେ ବିସ୍ତାର କରିବା ପାଇଁ ପାରାଦ୍ୱୀପ ବନ୍ଦର ପ୍ରୟାସ କରିବ ବୋଲି ବନ୍ଦର ଅଧକ୍ଷ ଏକ ପ୍ରେସ ରିଲିଜ ମାଧ୍ୟମରେ ପ୍ରକାଶ କରିଛନ୍ତି । ଏହି ସଫଳତା ପରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ପାରାଦ୍ୱୀପ ବନ୍ଦରକୁ ଆହୁରି ବିକଶିତ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଥିବା ନେଇ କହିଛନ୍ତି । ଏହିଭଳି କାମ କଲେ ପାରାଦ୍ୱୀପ ବନ୍ଦର ଦେଶ ନୁହେଁ ବରଂ ସାରା ବିଶ୍ୱରେ ଏକ ନମ୍ବର ବନ୍ଦର ଭାବେ ପରିଚୟ ପାଇପାରିବ ବୋଲି ଆଶାପ୍ରକାଶ କରିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.