ETV Bharat / state

କ୍ୟାବିନେଟ ନିଷ୍ପତ୍ତି; ଡେରାସରେ ୬୯୫୨ ଶଯ୍ୟା ବିଶିଷ୍ଟ ମହିଳା ଶ୍ରମିକ ହଷ୍ଟେଲ

author img

By ETV Bharat Odisha Team

Published : Jan 23, 2024, 9:41 AM IST

Odisha Cabinet Meeting
କ୍ୟାବିନେଟ ନିଷ୍ପତ୍ତି

Odisha Cabinet Meeting: ଶିଳ୍ପ ବିଭାଗର ୩ଟି ପ୍ରସ୍ତାବ ଉପରେ ମୋହର । ଡେରାସରେ ୬୯୫୨ ଶଯ୍ୟା ବିଶିଷ୍ଟ ମହିଳା ଶ୍ରମିକ ହଷ୍ଟେଲ ନିର୍ମାଣ ପାଇଁ ଟେଣ୍ଡରକୁ କ୍ୟାବିନେଟର ଅନୁମୋଦନ । ଅଧିକ ପଢନ୍ତୁ

ରାଜ୍ୟ କ୍ୟାବିନେଟ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ଶିଳ୍ପ ବିଭାଗର ୩ଟି ପ୍ରସ୍ତାବ ଉପରେ ମୋହର ମାରିଛି । ସେଥିମଧ୍ୟରୁ ଡେରାସରେ ୬୯୫୨ ଶଯ୍ୟା ବିଶିଷ୍ଟ ମହିଳା ଶ୍ରମିକ ହଷ୍ଟେଲ ନିର୍ମାଣ ପାଇଁ ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ଦେଇଛି । ସେହିପରି IPR ୨୦୨୨ରେ ସ୍ପଷ୍ଟୀକରଣ ସଂଶୋଧନକୁ କ୍ୟାବିନେଟ ମୋହର ମାରିଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ।

ତେବେ ରାଜ୍ୟରେ ଶିଳ୍ପ ଶ୍ରମିକମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଶିଳ୍ପାଞ୍ଚଳଗୁଡିକରେ ଶ୍ରମଜୀବୀ ହଷ୍ଟେଲ ସ୍ଥାପନ ନିମନ୍ତେ ପଦକ୍ଷେପ ନିଆଯାଇଛି । ଇଡକୋ ତରଫରୁ ଖୋର୍ଦ୍ଧା ଜିଲ୍ଲା ଡେରାସରେ ସ୍ଥାପନ ହୋଇଥିବା Sea Food Parkରେ ମହିଳା ଶ୍ରମିକଙ୍କ ରହିବା ନିମନ୍ତେ ହଷ୍ଟେଲ ନିର୍ମାଣ କରାଯିବ । ୩୬୧.୪୪ କୋଟି ଟଙ୍କା ବ୍ୟୟ ଅଟକଳରେ ୬୯୫୨ ଶଯ୍ୟା ବିଶିଷ୍ଟ ମହିଳା ଶ୍ରମିକ ହଷ୍ଟେଲ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ଉକ୍ତ ପ୍ରକଳ୍ପର Turn-Key Tender ମୂଲ୍ୟ ୩୨୯ କୋଟି ଟଙ୍କା । ଏହି ଟେଣ୍ଡରକୁ ରାଜ୍ୟ ମନ୍ତ୍ରୀମଣ୍ଡଳ ଅନୁମୋଦନ କରିଛନ୍ତି ।

IPR ୨୦୨୨ରେ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡିକୁ ଉତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଇଛି । ଯେଉଁଥିରେ ଅନ୍ତର୍ନିହିତ ଭାବରେ ନିଯୁକ୍ତିକୁ ଅଧିକ ସୁଯୋଗ ମିଳିବ । ଯେଉଁ କ୍ଷେତ୍ରଗୁଡିକରେ ରାଜ୍ୟ ଅତୀତରେ ପର୍ଯ୍ୟାପ୍ତ ପୁଞ୍ଜି ବିନିଯୋଗ ପାଇନାହାଁନ୍ତି । ନିବେଶକ ସମ୍ପ୍ରଦାୟ ଦ୍ଵାରା IPR ୨୦୨୨କୁ ବହୁତ ଭଲ ଭାବରେ ଗ୍ରହଣ କରାଯାଇଛି । କ୍ଷେତ୍ରଭିତ୍ତିକ ପ୍ରୟୋଗ ସମୟରେ ଏହା ପରିଲକ୍ଷିତ ହୋଇଛି ଯେ ଅସ୍ପଷ୍ଟତାକୁ ହଟାଇବା ପାଇଁ କିଛି ବ୍ୟବସ୍ଥାକୁ ଅଧିକ ସ୍ପଷ୍ଟ କରିବାକୁ ପଡିବ । IPR ୨୦୨୨ କାର୍ଯ୍ୟକାରିତାକୁ ସୁଦୃଢ କରିବା ପାଇଁ କିଛି ଛୋଟ ସଂଶୋଧନ ଆବଶ୍ୟକ । ଏ ବିଷୟକୁ ବିଚାର କରି ରାଜ୍ୟ କ୍ୟାବିନେଟ IPR ୨୦୨୨ରେ ନିମ୍ନଲିଖିତ ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-କ୍ୟାବିନେଟ ନିଷ୍ପତ୍ତି; ୬ ଜିଲ୍ଲାରେ ୧ ଲକ୍ଷ ଏକରକୁ ସଂପ୍ରସାରଣ ହେବ କଫି ଚାଷ, ଖର୍ଚ୍ଚ ହେବ ୧୧୪୪ କୋଟି

ଯେପରିକି ଷ୍ଟାମ୍ପ ଡ୍ୟୁଟି ଛାଡ ପାଇଁ ଥିବା ବ୍ୟବସ୍ଥା ବ୍ୟତୀତ, ଷ୍ଟାମ୍ପ ଡ୍ୟୁଟିର ଫେରସ୍ତ ପାଇଁ ବିକଳ୍ପ ପ୍ରଦାନ କରାଯିବ । ଯାହାଦ୍ବାରା ଶିଳ୍ପଗୁଡିକ ଜମି ଶୀଘ୍ର ପଞ୍ଜୀକରଣ ପାଇଁ ଷ୍ଟାମ୍ପ ଡ୍ୟୁଟି ଦେବାର ସୁବିଧା ପାଇବେ । ପରବର୍ତ୍ତୀ ସମୟରେ ଶିଳ୍ପ ଉତ୍ପାଦନକ୍ଷମ ହେବା ପରେ ଦାବି କରି ଫେରସ୍ତ ପାଇପାରିବେ । ଏହା ସେହି ନିବେଶକମାନଙ୍କୁ ଏକ ବିକଳ୍ପ ପ୍ରଦାନ କରିବ । ସେହିପରି କିସମ ପରିବର୍ତ୍ତନ ପାଇଁ ଦେୟ ଫେରସ୍ତ ପାଇଁ ବିକଳ୍ପ ପ୍ରଦାନ କରାଯିବ । ଯାହାଦ୍ବାରା ଶିଳ୍ପଗୁଡିକ ତ୍ଵରିତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିପାରିବେ । ପରବର୍ତ୍ତୀ ସମୟରେ ଶିଳ୍ପ ଉତ୍ପାଦନକ୍ଷମ ହେବା ପରେ କିସମ ପରିବର୍ତ୍ତନ ପାଇଁ ପୂର୍ବରୁ ଜମା କରିଥିବା ଦେୟ ଦାବି କରି ଫେରସ୍ତ ପାଇପାରିବେ ।

ଶିଳ୍ପ ନୀତି ୨୦୨୨ ଅଧୀନରେ ପ୍ରୋତ୍ସାହନ ଯୋଗାଣ SEZ ଅଞ୍ଚଳକୁ ବୃଦ୍ଧି କରାଯାଇଛି । ଏହା SEZଗୁଡ଼ିକରେ ଖାଲି ଅଞ୍ଚଳର ଶୀଘ୍ର ବ୍ୟବହାରରେ ସାହାଯ୍ୟ କରିବ । ଯାହାଦ୍ଵାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଶିଳ୍ପ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.