ETV Bharat / state

ଜଗା ଦର୍ଶନ ସହ ପରିକ୍ରମା ପ୍ରଦକ୍ଷିଣ ନେଇ ସ୍ବତନ୍ତ୍ର ବ୍ୟବସ୍ଥା, ପ୍ରତି ପଞ୍ଚାୟତରୁ ଆସିବେ ଲୋକେ

author img

By ETV Bharat Odisha Team

Published : Jan 29, 2024, 4:43 PM IST

Devotees to come Puri from Panchayat
Devotees to come Puri from Panchayat

Devotees to come Puri from Panchayat: ଜଗନ୍ନାଥ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବା ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ସ୍ଵତନ୍ତ୍ର ବ୍ୟବସ୍ଥା । ଏକ ମାସ ଧରି ପ୍ରତି ପଞ୍ଚାୟତରୁ ଆସିବେ ଲୋକେ । ଅଧିକ ପଢନ୍ତୁ

ଜଗା ଦର୍ଶନ ସହ ପରିକ୍ରମା ପ୍ରଦକ୍ଷିଣ ନେଇ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ: ଜଗନ୍ନାଥ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଦେଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରୁ ଲୋକଙ୍କୁ ବସ ଯୋଗେ ଅଣାଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ମାର୍ଗ ବୁଲି ଦେଖାଇବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ପ୍ରତି ପଞ୍ଚାୟତରୁ ଲୋକଙ୍କୁ ଅଣାଯାଉଥିବା ବେଳେ ଯାତ୍ରା ସମୟରେ ସେମାନଙ୍କ ରହିବା, ଖାଇବା ଏବଂ ବିଶ୍ରାମ ନେବା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର ।

ପୁରୀକୁ ବସ ଯୋଗେ ଆସୁଥିବା ଲୋକମାନେ ଶ୍ରୀସେତୁ ନିକଟ ସମଙ୍ଗ ପାର୍କିଂରେ ଗାଡ଼ି ରଖିବାର ବ୍ୟବସ୍ଥା ହୋଇଛି । ଦୂରଦୂରାନ୍ତରୁ ଆସୁଥିବା ଲୋକଙ୍କ ପାଇଁ ସମଙ୍ଗ ପାର୍କିଂଠାରେ ସ୍ନାନ ଶୌଚ ବ୍ୟବସ୍ଥା ସହ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନର ସମସ୍ତ ବ୍ୟବସ୍ଥା ହୋଇଛି । ସମଙ୍ଗ ପାର୍କିଂରେ ଲୋକମାନେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ବେଚ୍ଛାସେବୀଙ୍କ ସହାୟତାରେ ଶ୍ରୀମନ୍ଦିର ନିଆଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ।‌ ତେବେ ପ୍ରଥମ ପର୍ଯ୍ୟାୟରେ ପାଞ୍ଚୋଟି ଜିଲ୍ଲା ତଥା କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାର ଲୋକଙ୍କୁ ଅଣାଯାଇଛି ।

ଏହା ବି ପଢନ୍ତୁ- ପରିକ୍ରମା ମାର୍ଗ ପ୍ରଦକ୍ଷିଣ; ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ପୁରୀ ଆସିବେ ଦୈନିକ ୧୦ ହଜାର ଭକ୍ତ

ପ୍ରାୟ ଏକମାସ ପର୍ଯ୍ୟନ୍ତ ଦୈନିକ ଦଶ ହଜାର ଲୋକଙ୍କୁ ପୁରୀ ଅଣାଯିବାର ବ୍ୟବସ୍ଥା ହୋଇଛି । ସେପଟେ ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ମାର୍ଗ ଦେଖି ଭକ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି । ପୁରୀର ଯେଭଳି ନବକଳେବର ହୋଇଛି ତାହା ଆମକୁ ଗର୍ବିତ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଓଡ଼ିଶାର ନେତୃତ୍ବ ନେବେ ବୋଲି ପୁରୀ ଆସିଥିବା ଲୋକମାନେ କହିଛନ୍ତି । ତେବେ ସରକାରଙ୍କ ଏହି ମହତ୍ବ କାକ୍ଷୀ କାର୍ଯ୍ୟ ଯେଭଳି ସଫଳ ହୋଇପାରିବ ସେନେଇ ବିଭିନ୍ନ ଅଧିକାରୀ, କର୍ମଚାରୀ, ସ୍ବେଚ୍ଛାସେବୀଙ୍କ ସହ ସୁରକ୍ଷା କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପଞ୍ଚାୟତିରାଜ ବିଭାଗ‌ ଓ ଜିଲ୍ଲା ପ୍ରଶାସନ ସହ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ସେପଟେ ଶ୍ରୀକ୍ଷେତ୍ରରୁ ଫେରୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ଶୁଖିଲା ମହାପ୍ରସାଦ ଦିଆଯାଉଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁରୀ ଆସୁଥିବା ଲୋକଙ୍କର ଯେଭଳି କିଛି ଅସୁବିଧା ନହୁଏ ସେଥିପାଇଁ ସମସ୍ତ ବ୍ୟବସ୍ଥା ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଗତ ଜାନୁଆରୀ ୧୭ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର‌ ଉଦଘାଟନ କରିଥିଲେ । ପ୍ରକଳ୍ପ ଲୋକାର୍ପଣ ପରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରକଳ୍ପ ବୁଲି ଖୁସି ବ୍ୟକ୍ତ କରୁଛନ୍ତି । ଲୋକାର୍ପଣ ପୂର୍ବରୁ ଶ୍ରଦ୍ଧାଳୁମାନେ ଅର୍ପଣ ରଥରେ ଅକ୍ଷତ ଏବଂ ଗୁଆ ଦେଇ ଶ୍ରଦ୍ଧା ଓ ଭକ୍ତି ନିବେଦନ କରିଥିବାବେଳେ ସେମାନଙ୍କୁ ପ୍ରକଳ୍ପ ବୁଲାଇ ଦେଖାଇବାର ସମସ୍ତ ବନ୍ଦୋବସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.