ETV Bharat / state

ସରକାର ଲଗାଇଲେ ଏସମା; ଧର୍ମଘଟକୁ ୬ ମାସ ପାଇଁ ନିଷିଦ୍ଧ - ESMA On Vet Strike

author img

By ETV Bharat Odisha Team

Published : Apr 10, 2024, 6:56 AM IST

Etv Bharat
Etv Bharat

ESMA On Vet Strike: ପ୍ରାଣୀ ଚିକିତ୍ସା ସହ ଜଡିତ କର୍ମଚାରୀଙ୍କ ଧର୍ମଘଟ ଓ ଆନ୍ଦୋଳନ ଉପରେ ଲାଗିଲା କଟକଣା । ରାଜ୍ୟରେ ୬ ମାସ ପାଇଁ ଏସମା ଲାଗୁ କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ଭୁବନେଶ୍ୱର: କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗୁ ହେଲା କଟକଣା । ୬ ମାସ ଯାଏଁ ରାଜ୍ୟରେ ଧର୍ମଘଟ କିମ୍ବା ଆନ୍ଦୋଳନ କରିପାରିବେନି ପ୍ରାଣୀ ଚିକିତ୍ସକ । ଏଥିପାଇଁ ରାଜ୍ୟ ସରକାର ଲଗାଇଲେ ଏସମା । ଚୁକ୍ତିଭିତ୍ତିକ କର୍ମଚାରୀ, ପ୍ରାଣୀ ଚିକିତ୍ସକ, ପ୍ରାଣୀ ସମ୍ପଦ ନିରୀକ୍ଷକ, ପାରାଭେଟ, ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଧର୍ମଘଟକୁ ୬ ମାସ ପାଇଁ ନିଷିଦ୍ଧ କରିବା ଲାଗି ରାଜ୍ୟ ସରକାର ଏସମା (ଅତ୍ୟାବଶ୍ୟକ ସେବା ପରିଚାଳନା ଆଇନ) ଲାଗୁ କରିଛନ୍ତି । ଏହି ସମୟରେ ପ୍ରାଣୀ ଚିକିତ୍ସା ସହ ଜଡିତ କୌଣସି କର୍ମଚାରୀ ଧର୍ମଘଟ କିମ୍ବା ଆନ୍ଦୋଳନ କରିପାରିବେ ନାହିଁ । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ଏହି ବଡ଼ ପଦକ୍ଷେପ ।

ପ୍ରାଣୀ ଚିକିତ୍ସାଳୟ ଓ ଡିସ୍ପେନସରିରେ ପ୍ରାଣୀ ଚିକିତ୍ସା ଓ ପଶୁ ପାଳନ ସେବା ରକ୍ଷଣାବେକ୍ଷଣ ସହ ଜଡ଼ିତ କାର୍ଯ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମେତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, ପାରାଭେଟ, ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କାର୍ଯ୍ୟବନ୍ଦ କିମ୍ବା ଅନଧିକୃତ ଅନୁପସ୍ଥିତି ଇତ୍ୟାଦି ଉପରେ ରୋକ ଲଗାଇବା ଜରୁରୀ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଆଦେଶ ଆସନ୍ତା ୧୨ ତାରିଖରୁ ୬ ମାସ ପାଇଁ ବଳବତ୍ତର ରହିବ । ରାଜ୍ୟରେ ପ୍ରାଣୀ ଚିକିତ୍ସା ସେବା ଓ ପଶୁପାଳନ ବ୍ୟବସ୍ଥା ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ଏସମା ଲାଗୁ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଡାକ୍ତର ଅଭାବରୁ ପ୍ରାଣୀ ଚିକିତ୍ସାଳୟରେ ଝୁଲୁଛି ତାଲା, ବିପଦରେ ପଶୁ ସମ୍ପଦ


ରାଜ୍ୟ ସରକାରଙ୍କ ଠାରୁ ପାଣ୍ଠି ପାଉଥିବା ପଶୁପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶାଳୟ ଅଧୀନରେ ଥିବା ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ, ପ୍ରାଣୀ ଚିକିତ୍ସା କେନ୍ଦ୍ର, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ, ପ୍ରାଣୀଧନ ସହାୟତା କେନ୍ଦ୍ର, ରୋଗ ନିଦାନ ପରୀକ୍ଷାଗାର, ସରକାରୀ ପ୍ରାଣୀଧନ ଓ ଗୋଖାଦ୍ୟ ଫାର୍ମ, ଫ୍ରୋଜେନ ସିମେନ ବ୍ୟାଙ୍କ, ଜୈବିକ ଉତ୍ପାଦ ପ୍ରତିଷ୍ଠାନ ଏବଂ ଅନ୍ୟ ସମସ୍ତ ଅନୁଷ୍ଠାନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ଏହି ଆଦେଶ ଲାଗୁ ହେବ ।

ବର୍ତ୍ତମାନ ପ୍ରାଣୀ ଚିକିତ୍ସକମାନେ ଧର୍ମଘଟ କରିପାରିବେ ନାହିଁ । ଅର୍ଥାତ କୌଣସି ଅତ୍ୟାବଶ୍ୟକ ସେବାରେ ନିୟୋଜିତ ବ୍ୟକ୍ତିଙ୍କ ମିଳିତ ଭାବରେ କାର୍ଯ୍ୟ ବନ୍ଦ କରିବା କିମ୍ବା କାର୍ଯ୍ୟ ଜାରି ରଖିବା କିମ୍ବା ଚାକିରି ଗ୍ରହଣ କରିବା ପାଇଁ ନିୟୋଜିତ କିମ୍ବା ମୁତୟନ ଥିବା କୌଣସି ବ୍ୟକ୍ତିଙ୍କ ବିଷୟରେ ସାଧାରଣ ବୁଝାମଣା ଅନୁଯାୟୀ କାର୍ଯ୍ୟ ବନ୍ଦ କରିବା କିମ୍ବା କାର୍ଯ୍ୟରୁ ଅନଧିକୃତ ଅନୁପସ୍ଥିତି ଅନ୍ତର୍ଭୁକ୍ତ ଅଟେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.