ETV Bharat / state

ରାଜ୍ୟ କ୍ୟାବିନେଟ; ୧୪ ବିଭାଗର ୨୬ ପ୍ରସ୍ତାବରେ ମୋହର

author img

By ETV Bharat Odisha Team

Published : Feb 12, 2024, 10:13 PM IST

20734682
20734682

ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା ୬.୪୫ରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବରୁ ୨୬ଟି କ୍ୟାବିନେଟ ମୋହର ବାଜିଛି । ଯୁବ ବର୍ଗଙ୍କ ଲାଗି ନୂଆ ଯୋଜନା ସ୍ଵୟଂକୁ କ୍ୟାବିନେଟ ମଞ୍ଜୁରି ମିଳିଥିବାବେଳେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା ୬.୪୫ରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବରୁ ୨୬ଟି କ୍ୟାବିନେଟ ମୋହର ବାଜିଛି । ଯୁବ ବର୍ଗଙ୍କ ଲାଗି ନୂଆ ଯୋଜନା ସ୍ଵୟଂକୁ କ୍ୟାବିନେଟ ମଞ୍ଜୁରି ମିଳିଥିବାବେଳେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କରାଯାଇଛି । କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ପଞ୍ଚାୟତିରାଜ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଉପସ୍ଥିତ ଥିଲେ ।

ଯୁବବର୍ଗଙ୍କ ଆକୃଷ୍ଟ କରିବା ଲାଗି ସ୍ବୟଂ ଯୋଜନାକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଗ୍ରାମୀଣ ଛାତ୍ର ଓ ଯୁବକଙ୍କ ଲାଗି ସୁଧ ମୁକ୍ତ ବ୍ୟାଙ୍କ ଋଣ ପ୍ରଦାନ କରାଯିବ । ୧ ଲକ୍ଷ ଟଙ୍କା ସୁଧମୁକ୍ତ ଋଣ ମିଳିବ । ୧୮ରୁ ୩୫ ବର୍ଷ ବୟସ ସୀମା ରହିଛି । ଋଣ ଶୁଝିବା ଅବଧି ୪ ବର୍ଷ ରହିବ । ଏଥିପାଇଁ ୪୪୮ କୋଟି ଟଙ୍କା ବ୍ୟୟବରାଦ ରହିଛି । ସେହିପରି ସହରାଞ୍ଚଳ ଯୁବକଯୁବତୀ ଲାଗି ଯୁବ ଉଦ୍ୟମ ସହରୀ ଯୋଜନା । ରାଜ୍ୟର ସହରାଞ୍ଚଳ ଯୁବକଯୁବତୀଙ୍କ ସୁଧମୁକ୍ତ ଋଣ ପ୍ରଦାନ କରାଯିବ । ଏସସି, ଏସଟି ଓ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ସର୍ବାଧିକ ବୟସ ସୀମା ୪୦ ବର୍ଷ ରହିଛି । ସେହିପରି ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମଧ୍ୟ ଏକ ବଡ ଘୋଷଣା କରାଯାଇଛି । ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା ଓ ୨ଟି ଝୋଟ ବ୍ୟାଗ ମିଳିବ । ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ ଏହି ଟଙ୍କା ଓ ୨୦ ଏବଂ ୧୦ କେଜି ଓଜନର ବ୍ୟାଗ । ରାଜ୍ୟର ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ । ଯୋଜନାରେ ରାଜ୍ୟ ସରକାର ୯୫୯.୫ କୋଟି ଖର୍ଚ୍ଚ କରିବେ ।

ଅଧିକ ପଢନ୍ତୁ- କ୍ୟାବିନେଟ ନିଷ୍ପତ୍ତି: ଯୁବ ବର୍ଗ ପାଇଁ ନୂଆ ସ୍କିମ ‘ସ୍ୱୟମ’, ସୃଷ୍ଟି କରିବ ସ୍ୱତନ୍ତ୍ର ଯୁବ ଉଦ୍ୟମୀ

ଅନ୍ୟପକ୍ଷରେ ଜମିଜମା ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟ ୬ଟି ନିଷ୍ପତ୍ତି ନେଇଛନ୍ତି । ଜମି ସେଟଲମେଣ୍ଟ ଆଇନରେ ସଂଶୋଧନ ହୋଇଛି । ଅଗ୍ରଗ୍ରାମୀ ଅଘରିଆ ସମାଜକୁ ମାଗଣା ଜମି ପ୍ରଦାନ ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ । ଗଣ୍ଡ ଭବନ ପାଇଁ ଭୁବନେଶ୍ବରରରେ ମାଗଣା ଜମି ପ୍ରଦାନ କରିବେ ସରକାର । ଭୀମ ଭୋଇ ଅଲେଖ ଟ୍ରଷ୍ଟକୁ ମଧ୍ୟ ମାଗଣା ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଭୁବନେଶ୍ବର ୨ଟି ମସଜିଦ ପାଇଁ ମଧ୍ୟ ମାଗଣା ଜମି ପ୍ରଦାନ କରିବେ ରାଜ୍ୟ ସରକାର । ରିଜର୍ଭ ପୋଲିସ ଲାଇନ ମସଜିଦକୁ ମାଗଣା ଜମି ମିଳିବ । ସେହିପରି କ୍ୟାପିଟାଲ ମସଜିଦ କମିଟିକୁ ମଧ୍ୟ ମାଗଣା ଜମି ପ୍ରଦାନ କରାଯିବ । ନିର୍ମାଣ ହେବ ସ୍ଵଭାବ କବି ଗଙ୍ଗାଧର ମେହେର ଭବନ । ସେଥିପାଇଁ ମେହେର ସମାଜକୁ ଭୁବନେଶ୍ବରରେ ମାଗଣା ଜମି ପ୍ରଦାନ କରାଯିବ । ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ସହ ସୋନପୁର ଜିଲ୍ଲାର ବୀର ମହାରାଜପୁରକୁ ସଂଯୋଗ ପାଇଁ ମହାନଦୀ ଉପରେ ଦ୍ବତୀୟ ଉଚ୍ଚ ସେତୁ ନିର୍ମାଣ ପାଇଁ କ୍ୟାବିନେଟ ମୋହର ମାରିଛି ।

ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାକୁ କ୍ୟାବିନେଟ ଆଜି ଅନୁମୋଦନ କରିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ୪୪୮ କୋଟି ଟଙ୍କା କାର୍ଯ୍ୟକାରୀ ହେବ । ଯୋଜନାରେ ୧୧ ହଜାର ମହିଳା ଏସଏଜଜିଙ୍କ ସମେତ ୫୦ ହଜାର ମତ୍ସ୍ୟଜୀବୀ ଉପକୃତ ହେବେ । ସେହିପରି ମାଆ ସମଲେଶ୍ବରୀ ମନ୍ଦିରର ଯୋଜନା କାର୍ଯ୍ୟକାରିତା ବୃଦ୍ଧିକୁ କ୍ୟାବିନେଟ ମୋହର ମାରିଛି । ଏହା ୨୦୨୧-୨୨ରୁ ବଢି ୨୦୨୪-୨୫ ପର୍ଯ୍ୟନ୍ତ ଜାରି ରହିବ । ସେହିପରି ପ୍ରଭୁ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏକାମ୍ର ପ୍ରକଳ୍ପର ଅବଧି ୨୦୨୪-୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମାଳତି ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନାକୁ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିରେ ୩ରୁ ୬ ବର୍ଷ ଶିଶୁଙ୍କୁ ପୋଷାକ, ଜୋତା, ମୋଜା ଓ ସ୍ବିଟର ଦିଆଯାଉଛି । ସେହିପରି ସ୍କୁଲରେ ପ୍ରଚଳିତ ଖୁସି ଯୋଜନାକୁ ଖୁସି ପ୍ଲସକୁ ବିସ୍ତାର କରାଯାଇଛି । ଏହା ଦ୍ବାରା ରାଜ୍ୟର ୩୦ଟି ଜିଲ୍ଲାରେ ସାନିଟାରୀ ନାପକିନକୁ ମାଗଣାରେ ମହାଳାମାନଙ୍କୁ ପ୍ରସବ ଓ ଗର୍ଭପାତ ନିମନ୍ତେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.