ETV Bharat / state

ନବଦାସ ହତ୍ୟାକାଣ୍ଡର ଅସଲ ହତ୍ୟାକାରୀ କିଏ, ତାହା ପଦାକୁ ଆସୁ: ବିଧାୟକ ନାଉରୀ ନାଏକ

author img

By ETV Bharat Odisha Team

Published : Jan 29, 2024, 6:43 PM IST

Updated : Jan 29, 2024, 7:16 PM IST

Naba Das murder case
Naba Das murder case

Naba Das first death anniversary: ରାଜ୍ୟର ବହୁଚର୍ଚ୍ଚିତ ନବଦାସ ହତ୍ୟାକାଣ୍ଡକୁ ଆଜି ପୁରିଛି ବର୍ଷେ । ଏହି ଅବସରରେ ସମ୍ବଲପୁରରେ ଆୟୋଜିତ ମିନି ମାରାଥନରେ ଯୋଗ ଦେଇ ହତ୍ୟାକାଣ୍ଡର ଅସଲ ହତ୍ୟାକାରୀ କିଏ ତାହା ପଦାକୁ ଆସିବା ଦରକାର ବୋଲି କହିଲେ ବିଜେପି ବିଧାୟକ ନାଉରୀ ନାଏକ । ଅଧିକ ପଢନ୍ତୁ

ନବଦାସ ହତ୍ୟାକାଣ୍ଡର ଅସଲ ହତ୍ୟାକାରୀ କିଏ, ତାହା ପଦାକୁ ଆସୁ: ବିଧାୟକ ନାଉରୀ ନାଏକ

ସମ୍ବଲପୁର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ଆଜି ବର୍ଷେ ପୁରିଛି । ହେଲେ ହତ୍ୟା କାହିଁକି କରାଗଲା ଓ ଏହା ପଛରେ କିଏ ତାହା ଆଜି ବି ଲୋକଲୋଚନକୁ ଆସିପାରିନାହିଁ । ମନ୍ତ୍ରୀ ନବଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସମ୍ବଲପୁରରେ ନବ ଦାସ ସ୍ମୃତି ପରିଷଦ ପକ୍ଷରୁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହି ହତ୍ୟାକାଣ୍ଡର ଅସଲ ହତ୍ୟାକାରୀ କିଏ ତାହା ପଦାକୁ ଆସୁ ବୋଲି କହିଛନ୍ତି ରେଙ୍ଗାଲି ବିଧାୟକ ନାଉରୀ ନାଏକ ।

ଏ ନେଇ ବିଜେପି ବିଧାୟକ ନାଉରୀ ନାଏକ କହିଛନ୍ତି, "ସ୍ବର୍ଗତ ନବ କିଶୋର ଦାସ ଆମ ଅଞ୍ଚଳର ଜଣେ ଟାଣୁଆ ନେତା ଥିଲେ । କେବଳ ପଶ୍ଚିମ ଓଡ଼ିଶା ନୁହେଁ ସାରା ଓଡ଼ିଶାର ଲୋକେ ତାଙ୍କୁ ଜାଣୁଥିଲେ । ସେ ଏକ ଅଞ୍ଚଳର ନେତୃତ୍ବ ନେଉଥିଲେ । ବିଚାର ଧାରା ଦୃଷ୍ଟି କୋଣରେ ସେ ଆମଠୁ ଭିନ୍ନ ଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଆମ ଅଞ୍ଚଳର ନେତୃତ୍ବ ନେଉଥିଲେ । ତାଙ୍କ ଅବର୍ତ୍ତମାନରେ ଏକ ଶୂନ୍ୟ ସ୍ଥାନ ପରିଲକ୍ଷିତ ହୋଇଛି । ନବ ଦାସ ହତ୍ୟାକାଣ୍ଡର ଅସଲ ହତ୍ୟାକାରୀ ସାମ୍ନାକୁ ଆସିବା ଦରକାର । ଏନେଇ ପୂର୍ବରୁ ମଧ୍ୟ ବାରମ୍ବାର ଦାବି କରି ଆସୁଥିଲୁ ଓ ବର୍ତ୍ତମାନ ମଧ୍ୟ ଦାବି କରିବୁ ।"

ଏହା ବି ପଢନ୍ତୁ- ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ, ସ୍ମୃତିରେ ଦୌଡିଲା ଝାରସୁଗୁଡା

ଅନ୍ୟପଟେ ଏହି ମିନି ମରାଥନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସ୍ବର୍ଗତ ନବ ଦାସଙ୍କ ପତ୍ନୀ ମିନତୀ ଦାସ ମଧ୍ୟ କହିଛନ୍ତି, "ନ୍ୟାୟ ମିଳିବ ବୋଲି ଆଶା ।" ସୂଚନା ଥାଉ କି ଗତ ବର୍ଷ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ନଗର ଗାନ୍ଧୀ ଛକ ନିକଟରେ ଜଣେ ପୋଲିସ କର୍ମଚାରୀ ଗୁଳି କରି ହତ୍ୟା କରିଥିଲେ । ସେ ଏକ ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ନିଜ କାରରୁ ବାହାରିବା କ୍ଷଣି ତାଙ୍କୁ ତାଙ୍କୁ ଗୁଳି କରାଯାଇଥିଲା । ରାଜ୍ୟର ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାକୁ ବର୍ଷେ ପୂରିଛି ।

ଏହି ସମୟ ମଧ୍ୟରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରି ସାରିଛି । ତେବେ ନବଙ୍କୁ ଗୋପାଳ କାହିଁକି ହତ୍ୟା କଲା ତାହା ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇପାରିନ ଥିବା ଅଭିଯୋଗ ହୋଇ ଆସୁଛି । କ୍ରାଇମବ୍ରାଞ୍ଚ ଏହି ମାମଲାରେ ଷଡ଼ଯନ୍ତ୍ର ଦିଗକୁ ସାମିଲ କରି ନଥିବା ମଧ୍ୟ ଅଭିଯୋଗ ହୋଇ ଆସୁଛି । ଗୋପାଳ ଦାସ ପୂର୍ବ ଶତ୍ରୁତା ତଥା ନିଜ ଜୀବନ ପ୍ରତି ବିପଦ ଥିବା ଅନୁଭବ କରି ନବ ଦାସଙ୍କୁ ହତ୍ୟା କରିଥିବା କ୍ରାଇମ୍ବ୍ରାଞ୍ଚ ଚାର୍ଜସିଟରେ ଉଲ୍ଲେଖ କରିଛି ।

ଏହା ବି ପଢନ୍ତୁ- ନବ ଦାସ ହତ୍ୟାକାଣ୍ଡ: ବିଧାନସଭାରେ ଉଠାଇବୁ କହିଲେ ବିରୋଧୀ, ବିଜେଡି କହିଲା ବିରୋଧୀଙ୍କ ପାଖରେ କିଛି କାମ ନାହିଁ

ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀ ଭୟଭୀତ କରିଥିବା ନେଇ ଗୋପାଳ ନିଜେ ପଲିଗ୍ରାଫ ଟେଷ୍ଟରେ କହିଥିବା ବେଳେ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ପ୍ରସଙ୍ଗକୁ ଅଭିଯୋଗ ପର୍ବରେ ସାମିଲ କରିଛି, କିନ୍ତୁ ହତ୍ୟା ପାଇଁ ପ୍ରେରିତ କରିଥିବା ଉକ୍ତ କର୍ମଚାରୀକୁ ପୋଲିସ ଧରିନାହିଁ କି ତା' ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ଚର୍ଚ୍ଚା ହୋଇ ଆସୁଛି ।

ତଦନ୍ତ ସମୟରେ ଅଭିଯୁକ୍ତ ଗୋପାଳ ଦାସର ପରିବାରବର୍ଗ ତା'ର ମାନସିକ ରୋଗ (ବାଇପୋଲାର ଡିଜିଜ୍) ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚକୁ ସୂଚନା ଦେଇଥିଲେ । ଏହି ଦାବିର ସତ୍ୟତା ଯାଞ୍ଚ କରିବାକୁ ଯାଇ ଡିଏମଇଟିଙ୍କ ଦ୍ଵାରା ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଥିଲା । ତଦନ୍ତ ସମୟରେ ଗୋପାଳ ସମସ୍ତ ସହଯୋଗ କରିଥିବା ବେଳେ ସବୁ ପ୍ରଶ୍ନର ଉତ୍ତର ବୁଝି ବିଚାରି ଦେଉଥିବାର ଚର୍ଚ୍ଚା ହୁଏ । ଯାହାକି ତା'ର ମାନସିକ ସ୍ଥିତି ସ୍ଥିର ରହିଥିବା ତଥା ସେ ସୁସ୍ଥ ମସ୍ତିଷ୍କରେ ଏହି ହତ୍ୟାକାଣ୍ଡ ଘଟାଇଥିବା ରିପୋର୍ଟରେ ଉଲ୍ଲେଖ ରହିଥିବା ସୂଚନା ରହିଛି । ଏଭଳି ଭାବେ ଏହି ହାଇ ପ୍ରୋଫାଇଲ ମର୍ଡରର ଅନେକ ପ୍ରଶ୍ନର ଉତ୍ତର ଏବେ ବି ଅସମାହିତ ହୋଇ ରହିଯାଇଛି ।

ଇଟିଭି ଭାରତ, ସମ୍ବଲପୁର

Last Updated :Jan 29, 2024, 7:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.