ETV Bharat / state

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ଦାବି କଲେ ଅନୁଭବ

author img

By ETV Bharat Odisha Team

Published : Feb 10, 2024, 7:58 AM IST

Updated : Feb 10, 2024, 9:11 AM IST

ବିଜୁ ପଟ୍ଟନାୟକ
Biju Patnaik

Bharat Ratna Demand For Biju Patnaik: ସଂସଦରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି କଲେ ସାଂସଦ ଅନୁଭବ । ଏଥିପ୍ରତି ଧ୍ୟାନ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ୱର: ପୁଣି ଉଠିଲା ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ଦାବି । ସଂସଦରେ ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଶୁକ୍ରବାର ଭାରତର ତିନି ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯିବା ନେଇ ଘୋଷଣା ପରେ ଏହାକୁ ସ୍ୱାଗତ କରିବା ସହ ସଂସଦରେ ଏହି ଦାବି କରିଥିଲେ ଅନୁଭବ ।

ଶୁକ୍ରବାର ଅନୁଭବ ମହାନ୍ତି ସଂସଦରେ ନିଜ ଅଭିଭାଷଣରେ କହିଥିଲେ ଯେ, ଦେଶର ତିନି ଜଣ ବିଶିଷ୍ଟ ବ୍ୟକ୍ତି ପି.ଭି ନରସିଂହ ରାଓ, ଏମଏସ୍ ସ୍ୱାମୀନାଥନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ମୁଁ ଧନ୍ୟବାଦ ଜଣାଉଛି । କିନ୍ତୁ ଦୀର୍ଘ ବର୍ଷ ହେଲାଣି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରପୁତ୍ର ବିଜୁ ବାବୁଙ୍କୁ ଭାରତ ରତ୍ନ ଦାବି କରାଯାଉଥିଲେ ସୁଦ୍ଧା କେନ୍ଦ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କେବଳ ଗୋଟିଏ ରାଜନୈତିକ ଦଳରେ ସୀମିତ ନଥିଲେ । ସେ ହେଉଛନ୍ତି ଦେଶର ହିରୋ, ତାଙ୍କୁ ସାରା ବିଶ୍ୱବାସୀ ଭଲପାଆନ୍ତି ।

ମୃତ୍ୟୁ ବେଳକୁ ତାଙ୍କ ପାର୍ଥିବ ଶରୀର ଉପରେ ତିନୋଟି ଦେଶର ଜାତୀୟ ପତାକା ରଖାଯାଇଥିଲା । ଏପରି ଜଣେ ମହାନ୍ତ ବ୍ୟକ୍ତିଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ କେବେ ମିଳିବ ସେଦିନକୁ ପ୍ରତିଟି ଓଡ଼ିଆ ଅପେକ୍ଷା କରିଛନ୍ତି । ଯେଉଁ ଦଳ ବି ସରକାରରେ ରହିଛନ୍ତି କେହି ଏଥିପ୍ରତି ଧ୍ୟାନ ଦେଇନାହାନ୍ତି । ଏ ଦିଗରେ ଧ୍ୟାନ ଦେବାକୁ ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି । ବିଜୁ ବାବୁଙ୍କୁ ଭାରତ ରତ୍ନ ସମ୍ମାନ ମିଳିଲେ କେବଳ ଓଡ଼ିଶା କି ଭାରତ ନୁହଁ ବରଂ ପୁରା ବିଶ୍ୱ ଗୌରବ ଅନୁଭବ କରିବ ବୋଲି କହିଛନ୍ତି କେନ୍ଦ୍ରାପଡା ସାଂସଦ ।

ଏହା ମଧ୍ୟ ପଢନ୍ତୁ-Bharat Ratna For Biju Babu Demand: ଗୀତ ଜରିଆରେ ଦାବି ଉପସ୍ଥାପନ

ଅନେକ ଥର ବିଜେଡି ସାଂସଦମାନେ ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ସଂସଦରେ ଦାବି କରିଆସିଛନ୍ତି । କିନ୍ତୁ ଏଥି ପ୍ରତି କେନ୍ଦ୍ର ସରକାର ଧ୍ୟାନ ଦେଉନାହାନ୍ତି । କେବେ ବିଜୁ ବାବୁଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯିବ ତାହାକୁ ଅପେକ୍ଷା କରିଛନ୍ତି ପ୍ରତିଟି ଓଡିଆ । ଡିସେମ୍ବର 2015 ଓଡିଶା ବିଧାନସଭାରେ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପାଇଁ 'ଭାରତ ରତ୍ନ' ଦାବି ନେଇ ଏକ ସଂକଳ୍ପ ହୋଇଥିଲା । ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଏପ୍ରିଲ 2015ରେ ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated :Feb 10, 2024, 9:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.