ETV Bharat / state

ପୂର୍ବ ଶତ୍ରୁତାରୁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ରଣକ୍ଷେତ୍ର ପାଲଟିଲା ଖଣ୍ଡଗିରି‌ ନୂଆ ରୋଡ

author img

By ETV Bharat Odisha Team

Published : Jan 31, 2024, 9:35 AM IST

Updated : Jan 31, 2024, 2:31 PM IST

Group clash in Bhubaneswar
ଭୁବନେଶ୍ବରରେ ଗୋଷ୍ଠୀ ସଂଘର୍ଷ

Group clash in Bhubaneswar: ଭୁବନେଶ୍ୱରରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ । ଅଧିକ ପଢନ୍ତୁ

ପୂର୍ବ ଶତ୍ରୁତାରୁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଭୁବନେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଜଧାନୀରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ । ରଣକ୍ଷେତ୍ର ପାଲଟିଲା ଖଣ୍ଡଗିରି ନୂଆ ରୋଡ । ରାସ୍ତାରେ ବୁଲିଲା ମାରଣାସ୍ତ୍ର । ରାସ୍ତା ଉପରେ ପିଟାପିଟି ହେଲେ ଦୁଇ ଗୋଷ୍ଠୀ । ଏହି ସଂଘର୍ଷରେ ଉଭୟ ଗୋଷ୍ଠୀର ପାଖାପାଖି ୪ ଜଣ ଆହତ ହୋଇଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ଭୁବନେଶ୍ବର ଖଣ୍ଡଗିରି ନୂଆ ରୋଡରେ ଏହି ଘଟଣା ଘଟିଛି । ଏନେଇ ପୋଲିସ ୫ରୁ ୬ ଜଣକୁ ଥାନାରେ ଅଟକ ରଖିଛି ।

ପୋଲିସର ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ସଂଘର୍ଷ ହୋଇଛି । ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଗୋଷ୍ଠୀର ଛାତ୍ରମାନେ ରାସ୍ତାରେ ଯିବାବେଳେ ନୂଆରୋଡ ଠାରେ ଅନ୍ୟ ଏକ ଛାତ୍ରୀ ଗୋଷ୍ଠୀ ସେମାନଙ୍କୁ ଅଟକାଇ ମାରପିଟ୍ କରିଥିଲେ । ଯାହା ପରେ ଉଗ୍ର ରୂପ ଧାରଣ କରିଥିଲା । ଫଳରେ ରଣକ୍ଷେତ୍ର ପାଲଟିଥିଲା ଖଣ୍ଡିଗିରି ନୂଆ ରୋଡ । ଦୁଇ ଗୋଷ୍ଠୀ ଭିତରେ ପ୍ରବଳ ମାରପିଟ୍ ସହ ଗାଡିମଟର ଭଙ୍ଗାରୁଜା ହୋଇଥିଲା । ଏମିତିକି ସେମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇବା ସହ କାରକୁ ଆକ୍ରମଣ କରିଥିଲେ । ଭୟରେ ଲୋକମାନେ ଲୋକେ ନିଜ ନିଜର ଗାଡି ଛାଡି ପଳାଇଥିଲେ । ଏହି ରକ୍ତାକ୍ତ ସଂଘର୍ଷ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ଏହି ଘଟଣାରେ ପୋଲିସ ଉଭୟ ଗୋଷ୍ଠୀର ୫ରୁ ୬ ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟମାନଙ୍କୁ ଖୋଜାଖୋଜି କରୁଛି ।

ଏହା ମଧ୍ୟ ପଢନ୍ତୁ: ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

ଭୁବନେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣା ନୂଆ ନୁହେଁ, କିଛି ଦିନ ତଳେ ଏୟାରପୋର୍ଟ ଛକଠୁ ମାତ୍ର ୧୦୦ ମିଟର ଦୂରରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏଥିରେ ଉତ୍ତେଜନାକାରୀମାନେ ମୁଣ୍ଡ ଫଟାଫଟି ହେବା ସହ ହାତକୁ ହାଣି ଦେଇଥିଲେ। ଏହି ଘଟଣାରେ ପୋଲିସ ଦୁଇଟି କେସ୍ କରି ଉଭୟ ଗୋଷ୍ଠୀର ପିଲାଙ୍କୁ ଗିରଫ କରିଥିଲା । ଦିନକୁ ଦିନ ଭୁବନେଶ୍ଵରର ଏଭଳି ଗୋଷ୍ଠୀ ସଂଘର୍ଷ ଭୟଙ୍କର ରୂପ ନେଉଛି । ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଛାତ୍ର ଗୋଷ୍ଠୀ ଓ ରାଜନୈତିକ ଦଳର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଉଛି ।

ଆଗକୁ ନିର୍ବାଚନ ଆସୁଥିବା ବେଳେ ଏବେଠୁ ରାଜନୈତିକ ଗୋଷ୍ଠୀ ଭିତରେ ଏଭଳି ବିବାଦ ଭୁବନେଶ୍ୱର ଭଳି ସହରର ଶୋଭା କମାଉଛି । ଏନେଇ ଭୁବନେଶ୍ୱର ଡିସିପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ନୂଆ ପୋଲିସ କମିଶନର ଯୋଗ ଦେଇଥିବା ବେଳେ ଏସବୁ ରାଜନୈତିକ ଛକାପଞ୍ଝା ଏକ ଚ୍ୟାଲେଞ୍ଜ ହେବ ବୋଲି ଯୋଗଦାନ ସମୟରେ ସେ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 31, 2024, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.