ETV Bharat / state

ମହାରାଷ୍ଟ୍ରର ଯୁବକଙ୍କ ସାଇକେଲ ଯାତ୍ରା, ବାଣ୍ଟୁଛନ୍ତି ଛତ୍ରପତି ଶିବାଜୀଙ୍କ ଆଦର୍ଶ ଓ ରାଷ୍ଟ୍ରପ୍ରେମର ବାର୍ତ୍ତା - Maharashtra Youth Cycle Journey

author img

By ETV Bharat Odisha Team

Published : May 8, 2024, 10:00 PM IST

Maharashtra Man's Cycle Journey: ଛତ୍ରପତି ଶିବାଜୀଙ୍କ ଆଦର୍ଶ, ରାଷ୍ଟ୍ରପ୍ରେମ ଓ ସନାତନ ଧର୍ମର ପ୍ରଚାର କରିବା ପାଇଁ ସାଇକେଲ ଧରି ବାହାରିଛନ୍ତି ମୟୂର । ଅଧିକ ପଢ଼ନ୍ତୁ,

Maharashtra Man's Cycle Journey
Maharashtra Man's Cycle Journey (ETV Bharat Odisha)

Maharashtra Man's Cycle Journey (ETV Bharat Odisha)

ପୁରୀ: ସାଇକେଲରେ ଭାରତ ଯାତ୍ରା ଆରମ୍ଭ କରିଛନ୍ତି ମହାରାଷ୍ଟ୍ରର ଯୁବକ ମୟୂର ମହାଦେବ । ତାଙ୍କ ଲକ୍ଷ୍ୟ ହେଉଛି ଛତ୍ରପତି ଶିବାଜୀଙ୍କ ଆଦର୍ଶ, ରାଷ୍ଟ୍ରପ୍ରେମ ଓ ସନାତନ ଧର୍ମ ପ୍ରଚାର କରିବା । ଏଥି ପାଇଁ ମୟୂର ସାଇକେଲ ଧରି ବାହାରି ପଡ଼ିଛନ୍ତି ଯାତ୍ରାରେ । ତେବେ 2024 ଜାନୁଆରୀ ମାସରୁ ଆରମ୍ଭ କରିଥିବା ଏହି ଯାତ୍ରା ତାଙ୍କୁ ଆଜି ନେଇ ଆସିଛି ଜଗନ୍ନାଥଙ୍କ ଧାମ ପୁରୀ । ସାଇକେଲ ଯାତ୍ରା କରି ସାରା ଦେଶରେ ରାଷ୍ଟ୍ରପ୍ରେମ, ସନାତନ ଧର୍ମର ମହତ୍ତ୍ଵ ସହ ଛତ୍ରପତି ଶିବାଜୀ ମହାରାଜାଙ୍କ ବିଚାର ଧାରାକୁ ନେଇ ପ୍ରଚାର ସହିତ ସଚେତନ କରୁଛନ୍ତି 23 ବର୍ଷୀୟ ମହାରାଷ୍ଟ୍ରର ଚନ୍ଦ୍ରପୁରର ବାସିନ୍ଦା ମୟୂର ମହାଦେବ ।

ମୟୂରଙ୍କ ଏଭଳି ଅଭିନବ ସଚେତନ କାର୍ଯ୍ୟକ୍ରମକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଆଜିର ଯୁବପିଢ଼ି ବିଭିନ୍ନ ଖରାପ କାର୍ଯ୍ୟରେ ଲିପ୍ତ ହୋଇ ପଥଭ୍ରଷ୍ଟ ହେଉଥିବା ବେଳେ ଯୁବପିଢ଼ିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମୟୂର ମହାଦେବ । ମୟୂର ମହାଦେବ କହିଛନ୍ତି ଯେ, ସେ 12ଟି ଜ୍ୟୋର୍ତିଲିଙ୍ଗ ଓ 4 ଧାମ ଦର୍ଶନ ପାଇଁ ଗତ ଜାନୁଆରୀରେ ସାଇକେଲ ଯାତ୍ରାରେ ବାହାରି ଥିଲେ । ତାଙ୍କର ଏହି ଅଭିନବ ସାଇକେଲ ଯାତ୍ରା କେଦାରନାଥ ଧାମରେ ଶେଷ ହେବ । ସେ ସ୍ନାତକ ପଢ଼ି ସାରିଥିବା ବେଳେ ସେ ଆଗାମୀ ଦିନରେ ଜଣେ ସମାଜସେବୀ ସହିତ କ୍ରୀଡାବିତ୍ ହେବାକୁ ଲକ୍ଷ୍ୟ ରଖିଛନ୍ତି । ସେ ମରାଠା ସାମ୍ରାଜ୍ୟର ଅଧିପତି ଛତ୍ରପତି ଶିବାଜୀ ମହାରାଜାଙ୍କ ଆଦର୍ଶ, ବିଚରା ଧାରାରେ ଅନୁପ୍ରାଣିତ ହୋଇଥିଲେ । ଏଣୁ ତାଙ୍କର ସାଇକେଲ ଯାତ୍ରାରେ ସେ ଶିବାଜୀ ମହାରାଜାଙ୍କ ଶାସନ ପ୍ରଣାଳୀ, ଲୋକଙ୍କୁ ଭଲ ପାଇବା, ଦେଶକୁ ଭଲ ପାଇବା, ଧର୍ମର ସୁରକ୍ଷା କରିବା ଆଦି ବାର୍ତ୍ତାକୁ ସେ ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ବିମାନ ବନ୍ଦରରୁ ଜବତ ହେଲା 3.77 କେଜି ସୁନା, ମଳଦ୍ୱାର ଦେଇ ହେଉଥିଲା ଚାଲାଣ - Gold Seized Bhubaneswar Airport

ସେହିପରି ସାଇକେଲ ଆଗରେ ତ୍ରିରଙ୍ଗାକୁ ସ୍ଥାନ ଦେଇ ସେ ରାଷ୍ଟ୍ର ପ୍ରେମର ବାର୍ତ୍ତା ମଧ୍ୟ ଦେଉଛନ୍ତି । ସେପଟେ ଶ୍ରୀକ୍ଷେତ୍ର ପୁରୀରେ ପ୍ରଥମ ଥର ପାଇଁ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବା ଭାଗ୍ୟର ବିଷୟ ବୋଲି ମୟୂର କହିଛନ୍ତି । ତେବେ ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା ମୟୂର ମହାଦେବ କହିଛନ୍ତି । ଏହି ଯାତ୍ରା ଆରମ୍ଭ କଲା ବେଳେ ତାଙ୍କ ଘର ଲୋକେ ପ୍ରଥମେ ରାଜି ନଥିବା ବେଳେ ମୟୂରଙ୍କ ଦୃଢ଼ ଇଚ୍ଛା ଶକ୍ତି ଆଗରେ ଘର ଲୋକ ହାର ମାନିଥିଲେ । ତେବେ ସାଇକେଲ ଯାତ୍ରାରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଅନେକ ଲୋକ ତାଙ୍କୁ ସାହାଯ୍ୟ ସହଯୋଗ କରିଥିବା ମୟୂର ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.