ETV Bharat / state

ଆଜି ମହାପ୍ରଭୁଙ୍କ ଗଜୋଦ୍ଧାରଣ ବେଶ

author img

By ETV Bharat Odisha Team

Published : Feb 24, 2024, 9:07 AM IST

ଗଜୋଦ୍ଧାରଣ ବେଶ
ଗଜୋଦ୍ଧାରଣ ବେଶ

Gaja Uddharana Besha: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ଏହି ବେଶ ଅନୁଷ୍ଠିତ ହେବ ।

ଗଜୋଦ୍ଧାରଣ ବେଶ

ପୁରୀ: କୋଟି ଓଡ଼ିଆର ମଉଡମଣି କାଳିଆ ସାଆନ୍ତଙ୍କ ଆଜି ଗଜ ଉଦ୍ଧାରଣ ବେଶ । ଶ୍ରୀମନ୍ଦିରରେ ଭକ୍ତଙ୍କୁ ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ଏହି ବେଶ ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପରେ ମହାପ୍ରଭୁଙ୍କୁ କ୍ଷୀରି ଓ ଅମାଲୁ ଭୋଗ ଅର୍ପଣ କରାଯିବ । ଏହି ବେଶର ଜଗନ୍ନାଥ ଓ ବଳଭଦ୍ର ଚତୁଃହସ୍ତ ରୁପେ ଓ ସୁଭଦ୍ରା ଦ୍ୱିଭୁଜ ବିଶିଷ୍ଟା ହୁଅନ୍ତି । ଗଜ ଉଦ୍ଧାରଣ ବେଶ ଦର୍ଶନ କରି ଅପାର ପୂଣ୍ୟ ଲାଭ କରନ୍ତି ଭକ୍ତ ।

ପବିତ୍ର ମାଘ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଚର୍ତୁଭୂଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାଆନ୍ତି । ଗରୁଡ଼ ଉପରେ ବସିବା ଭଙ୍ଗୀରେ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିଥାନ୍ତି । ଠାକୁରଙ୍କ ସମୀପରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମକଢ଼ି ଧରି ଦଣ୍ଡାୟମାନ ରହିଥାନ୍ତି । ସିଂହାସନ ତଳକୁ ହାତୀ ଓ କୁମ୍ଭୀର ସଜ୍ଜା ହୋଇଥାନ୍ତି । କୁମ୍ଭୀର ହାତୀକୁ ଆକ୍ରମଣ କରିଥିବ। ଗଜରାଜ ଉଦ୍ଧାର ପାଇଁ ଭଗବାନଙ୍କ ଶରଣ ପଶିବା ଭଙ୍ଗୀରେ ଥିବେ । ସେହିପରି ଶ୍ରୀବଳଭଦ୍ର ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିଜେ ହେବେ । ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦଛନ୍ଦି ଏକ ପଦ୍ମ କଢ଼ଧରି ଦଣ୍ଡାୟମାନ ଥିବେ। ଶ୍ରୀବିଗ୍ରହଙ୍କ ଏହି ବେଶ ବଡ଼ ମନଲୋଭା । ସୋଲ, ଜରି, ଜମ୍ୱୁରା, କନା, କଇଁଥ ଅଠାରେ କୁଶଳୀ କାରିଗରଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ଅଳଙ୍କାର ମାନ ଠାକୁରଙ୍କୁ ଲାଗି ହୋଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ସନ୍ଧ୍ୟାରୁ 3 ଘଣ୍ଟା ବନ୍ଦ ରହିବ ଦର୍ଶନ

ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ଏହି ବେଶ ଆରମ୍ଭ ହେବ । ବେଶରେ ଥାଇ ଠାକୁରଙ୍କୁ ସନ୍ଧ୍ୟା ଧୂପରେ କ୍ଷୀରି ଓ ଅମାଲୁ ଭୋଗ ଅର୍ପଣ କରାଯିବ । ଭିତରଚ୍ଛ, ତଳିଚ୍ଛ, ପାଳିଆ ପୁଷ୍ପାଳକ, ଖୁଣ୍ଟିଆ ଓ ମେକାପ ଆଦି ସେବକଙ୍କ ସହଯୋଗରେ ବେଶ ସମ୍ପନ୍ନ ହେବ । ମହାପ୍ରଭୁଙ୍କୁ ଗଜୋଦ୍ଧାରଣ ବେଶରେ ଦେଖି ଭକ୍ତମାନେ ଧନ୍ୟ ହେବେ । ପୁରାଣ ଯୁଗର କଥା ଅନୁସାରେ, ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ କୁମ୍ଭୀର ଆକ୍ରମଣ କରିଥିଲା । କ୍ଷତବିକ୍ଷତ ଅବସ୍ଥାରେ ଗଜରାଜ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ।

ଭଗବାନ ଭକ୍ତର ଡାକଶୁଣି କୁମ୍ଭୀର କବଳରୁ ଗଜରାଜକୁ ଉଦ୍ଧାର କରିଥିଲେ । ଏହି କଥାବସ୍ତୁ ଆଧାରରେ ଶହ ଶହ ବର୍ଷ ଧରି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଏହି ବେଶ ଅନୁଷ୍ଠିତ ହୋଇଆସୁଛି । ପୂର୍ବରୁ ମହାରାଣୀ ଓ ପରେ ଜଜମାନମାନେ ଠାକୁରଙ୍କ ଏହି ବେଶର ଦାୟିତ୍ୱ ନେଉଥିଲେ । ୧୯୭୯ ମସିହାରୁ ଶ୍ରୀମନ୍ଦିର ପ୍ରଶାସନ ତତ୍ୱାବଧାନରେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହେଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.