ETV Bharat / state

କାମରେ ଆସୁନି ମାଙ୍କଡ଼ା ଚେକ ଡ୍ୟାମ ପ୍ରକଳ୍ପ, ନିରାଶ ଚାଷୀ

author img

By ETV Bharat Odisha Team

Published : Mar 10, 2024, 10:39 AM IST

Updated : Mar 10, 2024, 12:23 PM IST

Mankada Check Dam Project
Mankada Check Dam Project

Mankada Check Dam Project : ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଟାଇଁସର ପଞ୍ଚାୟତ ନୂଆଁଭୂଇଁ ଗ୍ରାମର ମାଙ୍କଡ଼ା ଚେକ ଡ୍ୟାମ ପ୍ରକଳ୍ପ । ଦୀର୍ଘ ୧୨ ବର୍ଷ ଧରି ଚାଷୀଙ୍କ ଉପକାରରେ ଆସୁନି ଏହି ପ୍ରକଳ୍ପ । ଅଧିକ ପଢନ୍ତୁ

Mankada Check Dam Project

ଦେବଗଡ: ଚାଷଜମିକୁ ଜଳ ଯୋଗାଇବା ଲକ୍ଷ୍ୟରେ ସରକାର ଅଜସ୍ର ଅର୍ଥ ବ୍ୟୟ କରି ନିର୍ମାଣ କରିଥିଲେ ଜଳସେଚନ ପ୍ରକଳ୍ପ । ମାତ୍ର ନିର୍ମାଣରେ ବୈଷୟିକ ତ୍ରୁଟି ଓ ନିମ୍ନମାନର କାର୍ଯ୍ୟ ଯୋଗୁଁ ଦୀର୍ଘ 12 ବର୍ଷ ହେଲା ଚାଷୀଙ୍କ ଉପକାରରେ ଆସୁନି ମାଙ୍କଡ଼ା ଚେକ ଡ୍ୟାମ ପ୍ରକଳ୍ପ । ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଟାଇଁସର ପଞ୍ଚାୟତ ଅନ୍ତର୍ଗତ ନୂଆଁଭୂଇଁ ଗ୍ରାମର ଏହି ଚେକ ଡ୍ୟାମ ପ୍ରକଳ୍ପ ।

ନୂଆଁଭୂଇଁ ଗ୍ରାମରେ ବସବାସ କରନ୍ତି 100ରୁ ଊର୍ଦ୍ଧ୍ବ ଚାଷୀ ପରିବାର । ଗ୍ରାମର ସମସ୍ତ ପରିବାର ମୁଖ୍ୟତଃ କୃଷିକାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ଧାନ ଫସଲ ପରେ ପରେ ତୈଳବୀଜ ଓ ପନିପରିବା ଚାଷକରି ଜୀବିକା ନିର୍ବାହ କରିଥାନ୍ତି । ତେବେ ଗ୍ରାମ ନିକଟରେ ପ୍ରବାହିତ ହେଉଥିବା ମାଙ୍କଡ଼ା ନାଳ ତଟବର୍ତ୍ତୀ ଅଞ୍ଚଳରେ ଚାଷଜମି ରହିଥିବାରୁ ଲୋକେ ଏହି ନାଳରୁ ମୋଟର ଯୋଗେ ଜଳ ସଂଗ୍ରହ କରି କୃଷିକାର୍ଯ୍ୟ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜକୁ 12 ବର୍ଷ ପୂର୍ବରୁ ଅର୍ଥାତ 2011-12 ମସିହା ଆର୍ଥିକ ବର୍ଷରେ ଲୋକଙ୍କ ଚାଷଜମିକୁ ସହଜରେ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ପ୍ରାୟ 40 ଲକ୍ଷ ଟଙ୍କା ବ୍ୟୟରେ ମାଙ୍କଡ଼ା ନାଳ ଉପରେ ନିର୍ମାଣ କରିଥିଲେ ଏକ ଚେକ ଡ୍ୟାମ ପ୍ରକଳ୍ପ ।

ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ( Minor Irrigation Project ) ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯାଇଥିଲା । ଏଥିରେ ନୂଆଭୂଇଁ ଗ୍ରାମ ତଥା ଆଖପାଖ ଅଞ୍ଚଳର ମୋଟ 200 ଏକର ଚାଷ ଜମିକୁ ଜଳ ଯୋଗାଇଦେବା ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ପ୍ରକଳ୍ପ ନିର୍ମାଣରେ ଉପଯୁକ୍ତ ସ୍ଥାନ ନିରୂପଣ କରାନଯିବା ତଥା ବୈଷୟିକ ତ୍ରୁଟି ଓ ଅତ୍ୟନ୍ତ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ଚେକ ଡ୍ୟାମ ପ୍ରକଳ୍ପଟି ଚାଷୀଙ୍କ କାର୍ଯ୍ୟରେ ଆସିପାରୁନାହିଁ ।

ଏହା ମଧ୍ୟ ପଢନ୍ତୁ- କମି ଗଲାଣି ସତୀଗୁଡ଼ା ଜଳଭଣ୍ଡାର ଜଳସ୍ତର, ପୁନରୁଦ୍ଧାର ଦାବି କଲେ ବୁଦ୍ଧିଜୀବୀ

ଅତି ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ମାତ୍ର ଗୋଟିଏ ବର୍ଷ ପରେ ଏହା ଭାଙ୍ଗିରୁଜି ନଷ୍ଟ ହୋଇଗଲା । ଡ୍ୟାମରେ ଆବଶ୍ୟକ ପରିମାଣ ଜଳ ଗଚ୍ଛିତ ରହୁନାହିଁ । କେନାଲଗୁଡିକ ସମତଳ ସ୍ଥାନରେ ନଥିବାରୁ ଚାଷଜମିକୁ ବୁନ୍ଦାଏ ଜଳ ମଧ୍ୟ ପହଞ୍ଚି ପାରୁନାହିଁ । ଫଳରେ ଏଥିରୁ ଚାଷୀମାନେ ଉପକୃତ ହୋଇପାରିଲେ ନାହିଁ । ଜଳ ଅଭାବରୁ ଚାଷୀକୂଳ ଚାଷକାର୍ଯ୍ୟ କରିପାରୁନାହାନ୍ତି । ଆଜକୁ ଦୀର୍ଘ 12 ବର୍ଷ ହେଲା ଏହି ଚେକ ଡ୍ୟାମ ପ୍ରକଳ୍ପଟି ଭାଙ୍ଗିରୁଜି ପରିତ୍ୟକ୍ତ ଭାବେ ପଡିରହିଛି । ତେବେ ବିଡ଼ମ୍ବନାର ବିଷୟ ଯେ, ଜିଲ୍ଲାରେ ପ୍ରତିବର୍ଷ ନୂତନ ଡ୍ୟାମ ନିର୍ମାଣ ଓ ପୁରୁଣା ଚେକ ଡ୍ୟାମଗୁଡିକର ମରାମତି ଓ ପୁନରୁଦ୍ଧାର ନିମନ୍ତେ କ୍ଷୁଦ୍ର ଜଳସେଚନ ବିଭାଗ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ସୁଦ୍ଧା ଏହି ଚେକ ଡ୍ୟାମର ମରାମତି କିମ୍ବା ପୁନରୁଦ୍ଧାର ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଉନାହାନ୍ତି ।

ଏହାର ପୁନରୁଦ୍ଧାର ନିମନ୍ତେ ଚାଷୀକୂଳ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି । ହେଲେ ଚାଷୀଙ୍କ ସମସ୍ୟା ବୁଝିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ସମୟ ନାହିଁ । ଗୋଟିଏ ପକ୍ଷରେ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଅଜସ୍ର ଅର୍ଥ ବୁହାଇ ଚାଲିଛନ୍ତି । ହେକ୍ଟର ହେକ୍ଟର ଚାଷ ଜମି ଜଳସେଚିତ ହୋଇଥିବା ନେଇ ସରକାରୀ ରେକର୍ଡ଼ରେ ଦର୍ଶାଯାଉଛି । ହେଲେ ସରକାରଙ୍କ ଅଧିନସ୍ଥ ଅଧିକାରୀଙ୍କ ଅପାରଗତା ଓ ଦାୟିତ୍ୱହୀନତା କାରଣରୁ ବାସ୍ତବରେ ଏହାର ସୁଫଳ ଚାଷୀକୁଳ ପାଇବାରୁ ବଞ୍ଚିତ ହେଉଛନ୍ତି ।

ଇଟିଭି ଭାରତ, ଦେବଗଡ଼

Last Updated :Mar 10, 2024, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.