ETV Bharat / state

ଚମକିଲେ କେନ୍ଦ୍ରାପଡ଼ାର କୁନି ଧାବକ ସାହାଦତ୍ତ, ନେପାଳରେ ଜିତିଲେ ସ୍ବର୍ଣ୍ଣ ପଦକ

author img

By ETV Bharat Odisha Team

Published : Feb 1, 2024, 8:43 PM IST

କୁନି ଧାବକ
କୁନି ଧାବକ

Little Talented Runner Shahadat : କୁନି ବୟସରେ ଲାଗିଛି ରେକର୍ଡର ନିଶା। ମାତ୍ର ଆଠ ବର୍ଷ ବୟସରେ ହାତେଇଛନ୍ତି ଅନ୍ତର୍ଜାତୀୟ ସ୍ତରରେ ସ୍ବର୍ଣ୍ଣ ପଦକ । ଅଧିକ ପଢ଼ନ୍ତୁ,

କୁନି ଧାବକ

କେନ୍ଦ୍ରାପଡ଼ା : କୁନି ବୟସରେ ଲାଗିଛି ରେକର୍ଡର ନିଶା। ମାତ୍ର ଆଠ ବର୍ଷ ବୟସରେ ହାତେଇଛନ୍ତି ଅନ୍ତର୍ଜାତୀୟ ସ୍ତରରେ ସ୍ବର୍ଣ୍ଣ ପଦକ । କେନ୍ଦ୍ରାପଡା ପୌରପାଳିକାର ସୌକତ ଖାନଙ୍କର ପୁଅ ସାହାଦତ୍ତ ଖାନ । ସାହାଦତ୍ତଙ୍କ ବାପା ପେଶାରେ ଜଣେ ଆଥଲେଟିକ କୋଚ ହୋଇଥିବାରୁ, ମାତ୍ର ଚାରି ବର୍ଷ ବୟସରେ ତାଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଥିଲା । ଯେଉଁ ବୟସରେ ପାଠ ପଢି ବିଭିନ୍ନ ଖେଳ ସାମଗ୍ରୀ ଦେଖି ତାହାକୁ ଅନୁସରଣ କରିବା କଥା ସେହି ବୟସରେ ହାସଲ କରିଛନ୍ତି ସ୍ବର୍ଣ୍ଣ ପଦକ।

ଛୋଟ ବୟସରୁ କଠିନ ପରିଶ୍ରମ

ପ୍ରତିଦିନ ସକାଳ 5ଟାରୁ ଅଭ୍ୟାସ ପାଇଁ ବାହାରି ଯାଆନ୍ତି ସାହାଦତ୍ତ । ବାପାଙ୍କ ପାଖରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ସହ ମିଶି ସେ ପ୍ରତିଦିନ ଦୌଡ଼ ଅଭ୍ୟାସ କରିଥାନ୍ତି । ଦିନକୁ ପାଞ୍ଚରୁ ଆଠ କିଲେମିଟର ଅତିକ୍ରମ କରି ଦୌଡ଼ ଆଭ୍ୟାସ କରିଥାନ୍ତି ସାହାଦତ୍ତ । ସେପଟେ ବାପାଙ୍କୁ ଗୁରୁ ରୂପରେ ପାଇଥିବାରୁ ଅତି କମ ବୟସରୁ ତାଲିମ ଆରମ୍ଭ ହେବ ସହ ତାଙ୍କୁ ସଫଳତା ମଧ୍ୟ ମିଳିପାରିଛି । ତାଙ୍କର ଏହି ପ୍ରଚେଷ୍ଟା ଏବଂ କଠିନ ପରିଶ୍ରମ ବଳରେ ସେ ଏତେ ଛୋଟ ବୟସରୁ ସଫଳତା ପାଇପାରିଛନ୍ତି । ଜିଲ୍ଲା ଓ ରାଜ୍ୟସ୍ତରୀୟ ବିଭିନ୍ନ ଦୌଡା ଇଭେଣ୍ଟରେ ଭାଗ ନେଇ ସାହାଦତ୍ତ ଛୋଟ ବୟସରୁ ବଡ଼ ସଫଳତା ପାଇ ପାରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...... ଅସ୍ମିତଙ୍କ ବହୁମୁଖୀ ପ୍ରତିଭା, ବଡ଼ ହୋଇ ଅଭିନେତା ହେବା ଲକ୍ଷ୍ୟ

ରେକର୍ଡର ନିଶା

ନିକଟରେ ନେପାଳରେ ଅନୁଷ୍ଠିତ ହୋଇଥିବା ଇଣ୍ଡୋ ନେପାଳ ଇଣ୍ଟର ନ୍ୟାସନାଲ ଚାମ୍ପିଅନସିପରେ ୫ କିଲୋମିଟର ଦୌଡ଼ି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସାହାଦତ୍ତ । ସେହି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରି ଜିଲ୍ଲାର ପ୍ରଥମ ସବ ଜୁନିୟର ବାଳକ ଭାବେ ଇତିହାସ ରଚିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରି ମେଡାଲ ଆଣିବା ଭୋକ ତାଙ୍କୁ ଦେଇଛି ପ୍ରେରଣା । ନେପାଳରେ ପାଇଥିବା ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ପୁଅକୁ ଜଣେ ସଫଳ ଆଥେଲେଟିକ୍ କରାଇବାରେ ବାପା ସ୍ବପ୍ନ ଦେଖିଥିବା କହିଛନ୍ତି ସୌକତ । ସାହାଦତ୍ତଙ୍କର ଏହି ସଫଳତା ପାଇଁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କୁ ନେଇ ଗର୍ବିତ ଥିବା କହିଛନ୍ତି ତାଙ୍କ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ।

ତେବେ ସାହାଦତ୍ତ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବେଳେ ଏସବୁ ମଧ୍ୟରେ ବାପାଙ୍କ ସ୍ବଳ୍ପ ବେତନ ବାଧା ସାଜିଛି । ତାଙ୍କ ପାଇଁ ସହାୟତାର ଆବଶ୍ୟକତା ରହିଛି । ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯଦି ତାଙ୍କୁ କିଛି ସହଯୋଗ ମିଳିବ ତେବେ, ସେ ଆହୁରି ଅଧିକ ଉତ୍ସାହିତ ହେବା ସହ ଭଳ ସ୍ଥାନରୁ ତାଲିମ ପାଇ ରାଜ୍ୟ ତଥା ଦେଶର ନାମକୁ ଉଜ୍ଜ୍ୱଳ କରିପାରିବେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.