ETV Bharat / state

ପାରମ୍ପରିକ ବିହନ ସଂରକ୍ଷଣ କ୍ଷେତ୍ରରେ ଜାତୀୟସ୍ତର ପ୍ରତିଯୋଗିତାରେ କୋରାପୁଟର କୁନି ଝିଅ ପ୍ରଥମ - seed conservation

author img

By ETV Bharat Odisha Team

Published : Apr 21, 2024, 1:50 PM IST

Updated : Apr 21, 2024, 7:03 PM IST

ପାରମ୍ପରିକ ବିହନ ସଂରକ୍ଷଣ କ୍ଷେତ୍ରରେ ଜାତୀୟସ୍ତରରେ ପ୍ରଥମ ହେଲେ କୋରାପୁଟର କୁନିଝିଅ
ପାରମ୍ପରିକ ବିହନ ସଂରକ୍ଷଣ କ୍ଷେତ୍ରରେ ଜାତୀୟସ୍ତରରେ ପ୍ରଥମ ହେଲେ କୋରାପୁଟର କୁନିଝିଅ

Traditional seed conservation: ପାରମ୍ପରିକ ବିହନ ସଂରକ୍ଷଣ କ୍ଷେତ୍ରରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହେଲେ କୋରାପୁଟର କୁନି ଗବେଷିକା ହର୍ଷିତା ମହାନ୍ତି । ସମଗ୍ର ଦେଶରୁ ଭର୍ଚ୍ଚୁଆଲି ଅଂଶଗ୍ରହଣ କରିଥିଲେ ପ୍ରାୟ 10 ହଜାର ବିଦ୍ୟାର୍ଥୀ । ଅଧିକ ପଢନ୍ତୁ

Traditional seed conservation

କୋରାପୁଟ: ପାରମ୍ପରିକ ବିହନ ସଂରକ୍ଷଣ ବିଷୟରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି କୋରାପୁଟର କୁନି ଗବେଷିକା ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି । ସର୍ବଭାରତୀୟସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତାକୁ ନେଇ ଗତ କିଛି ଦିନ ଧରି ‘ଏଚଡିଏଫସି ଲାଇଫ’ ଓ 'ରେଡ଼ ଏଫଏମ' ଦ୍ୱାରା ଚାଲିଥିବା ଆଭାସି ପ୍ରତିଯୋଗିତାର ଚୂଡାନ୍ତ ସାକ୍ଷାତକାରରେ ପାରମ୍ପରିକ ଧାନ ଓ ମାଣ୍ଡିଆକୁ ସଂରକ୍ଷଣ ପ୍ରକ୍ରିୟା ପାଇଁ କୋରାପୁଟ ଜିଲ୍ଲାର ଜୟପୁରର ଅଷ୍ଟମ ଶ୍ରେଣୀର ଛାତ୍ରୀ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ପ୍ରଥମ ସ୍ଥାନର ଅଧିକାରୀ ହୋଇଛନ୍ତି । ଆୟୋଜକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅଢେଇ ଲକ୍ଷ ଟଙ୍କାର ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

ଗତକାଲି (ଶନିବାର) ଅନୁଷ୍ଠିତ ଏହି ଭର୍ଚ୍ଚୁଆଲ ସାକ୍ଷାତକାରରେ ତାଙ୍କ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ବିଚାରକ ମଣ୍ଡଳୀର ପ୍ରଶ୍ନର ଉତ୍ତରରେ ହର୍ଷିତା ନିଜକୁ ଏକ ସାମାଜିକ ବିଜ୍ଞାନୀ ଭାବେ ପ୍ରତିଷ୍ଠିତ କରାଇବାର ସଂକଳ୍ପ ନେଇଥିବା ଜଣାଇଥିଲେ । ପରେ ତାଙ୍କ ଦ୍ବାରା ମିଲେଟ, ଧାନ ଓ ଅନ୍ୟାନ୍ୟ ପାରମ୍ପରିକ ବିହନ ସଂରକ୍ଷଣ ବିଷୟରେ ପ୍ରଶ୍ନ କରାଯାଇଥିଲା ଓ ସେ ତା'ର ସଫଳତାର ସହ ଉତ୍ତର ରଖିଥିବା ହର୍ଷିତାଙ୍କ ବାପା ହରେକୃଷ୍ଣ ମହାନ୍ତି କହିଛନ୍ତି । ବିଚାରକଙ୍କ ପ୍ରଶ୍ନର ଉତ୍ତରରେ ହର୍ଷିତା ନିଜର ବିହନ ସଂରକ୍ଷଣ ପ୍ରଣାଳୀ ଓ ଜାତୀୟସ୍ତରରେ ଏହାର ପ୍ରଦର୍ଶନୀ ଜନିତ ଅଭିଜ୍ଞତାକୁ ବର୍ଣ୍ଣନା କରି ବିଚାରକଙ୍କ ଦ୍ବାରା ପ୍ରଥମ ପୁରସ୍କାର ପାଇଁ ଚୟନ ହୋଇଥିଲେ ।


ପିଲାବେଳୁ ବିଭିନ୍ନ ଦେଶରେ ପ୍ରଚଳିତ ମୁଦ୍ରା ସଂଗ୍ରହ କରିବାର ପ୍ରକ୍ରିୟା ଜାରି ରଖି ଏପର୍ଯ୍ୟନ୍ତ ସେ ଦୁଇ ହଜାରରୁ ଅଧିକ ମୁଦ୍ରା ସଂଗ୍ରହ କରିସାରିଛନ୍ତି । ସେହିପରି ବର୍ତ୍ତମାନ ପାରମ୍ପରିକ ଖାଦ୍ୟଶସ୍ୟର ସଂରକ୍ଷଣ ତାଙ୍କୁ ଏକ ନୂତନ ପରିଚୟ ମଧ୍ୟ ଦେଇଛି । ଧାନର ଉତ୍ପତ୍ତିସ୍ଥଳୀ ଓ ମାଣ୍ଡିଆ ଭଳି ବିଭିନ୍ନ ମିଲେଟ ଜାତୀୟ ଶସ୍ୟର ଗନ୍ତାଘର ଭାବେ ପରିଚିତ କୋରାପୁଟ ଜିଲ୍ଲାରେ ପାରମ୍ପରିକ ବିହନ ସଂରକ୍ଷଣ କ୍ଷେତ୍ରରେ ସେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି । ପାଠପଢାରୁ ସମୟ ବାହାର କରି ଛୁଟି ଦିନରେ ବାପାଙ୍କ ସହ ହର୍ଷିତା ଗାଁ’ ଗଣ୍ଡାରେ ଚାଷୀଙ୍କ ନିକଟକୁ ଯାଉଥିଲେ । ସେମାନେ କରୁଥିବା ବିବିଧ ଚାଷ ପ୍ରଣାଳୀ ଏବଂ ସେମାନେ ବ୍ୟବହାର କରୁଥିବା ପାରମ୍ପରିକ ଧାନ, ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ ଜାତୀୟ ଫସଲର ବିହନ ସମ୍ପର୍କରେ ପଚାରି ବୁଝିବା ଆରମ୍ଭ କରିଥିଲେ । ସେହି ଚାଷୀଙ୍କଠାରୁ ପାରମ୍ପରିକ ବିହନ ସଂଗ୍ରହ କରି ନିଜ ଘରେ ଛୋଟ ଛୋଟ ଡବା ଓ ପ୍ୟାକେଟରେ ଭର୍ତ୍ତି କରି ସାଇତି ରଖିଛନ୍ତି ।

ନିଜ ସଂରକ୍ଷଣ ପ୍ରଣାଳୀ ପାଇଁ ଗବେଷଣାଗାର ଆବଶ୍ୟକତାକୁ ପୁରଣ କରିବା ପରେ ସେଥିମଧ୍ୟରୁ ବଳକା ରହିଯାଇଥିବା ବିହନକୁ ଅନ୍ୟ ଚାଷୀଙ୍କୁ ହର୍ଷିତା ବାଣ୍ଟି ଦିଅନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହର୍ଷିତା ପ୍ରାୟ 150 ପ୍ରକାରର ପାରମ୍ପରିକ ଧାନ, 53 କିସମର ମାଣ୍ଡିଆ ଓ 7 କିସମର ବିଭିନ୍ନ ଅନ୍ୟ ମିଲେଟ ଜାତୀୟ ଶସ୍ୟର ପାରମ୍ପରିକ ବିହନ ସଂରକ୍ଷଣ କରିପାରିଛନ୍ତି । ଭବିଷ୍ୟତରେ ଜଣେ ସାମାଜିକ ବିଜ୍ଞାନୀ ହୋଇ ଏହି ଅଞ୍ଚଳର କୃଷି ଉପରେ ଅଧିକ ଗବେଷଣା କରିବାର ଲକ୍ଷ୍ୟ ରହିଥିବା ହର୍ଷିତା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଡିଭାଇଡରରେ ପିଟି ହେଲା କାର: ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ମୃତ, ଭଉଣୀ ଗୁରୁତର - Car Accident

ହର୍ଷିତାଙ୍କ ଏହି ସଫଳତା ସମ୍ପର୍କରେ ଅବଗତ ହେବା ପରେ ଭୁବନେଶ୍ୱର ସ୍ଥିତ ସାମାଜିକ ଅନୁଷ୍ଠାନ ‘ସ୍ୱାବଲମ୍ବୀ ଫାଉଣ୍ଡେସନ’ର ପ୍ରତିଷ୍ଠାତା ଶିଶିର ସାହୁ ଗତକାଲି (ଶନିବାର) ହର୍ଷିତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏକ ଲାପଟପ ଉପହାର ଭାବେ ପ୍ରଦାନ କରିଛନ୍ତି । ଏହି ଇଣ୍ଟରନେଟଯୁକ୍ତ ଲାପଟପ ବ୍ୟବହାର କରି ହର୍ଷିତା ତାଙ୍କ ଗବେଷଣାକୁ ଆହୁରି ଅଧିକ ପ୍ରଭାବଶାଳୀ କରିବା ସହ ନିଜ ଲକ୍ଷ୍ୟକୁ ହାସଲ କରିବା ଦିଗରେ ଅଗ୍ରସର ହୋଇପାରିବେ ବୋଲି ଶିଶିର ଆଶାବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated :Apr 21, 2024, 7:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.