ETV Bharat / state

ଜଗତସିଂହପୁରରେ ଗଡ଼ିଲା ଲକ୍ଷ୍ମୀ ବସ

author img

By ETV Bharat Odisha Team

Published : Feb 21, 2024, 10:44 PM IST

ଜଗତସିଂହପୁରରେ ଗଡ଼ିଲା ଲକ୍ଷ୍ମୀ ବସ
ଜଗତସିଂହପୁରରେ ଗଡ଼ିଲା ଲକ୍ଷ୍ମୀ ବସ

Laccmi Bus Service Inaugurated in Jagatsinghpur: ଜଗତସିଂହପୁରରେ ଗଡ଼ିଲା ଲକ୍ଷ୍ମୀ ବସ । ଏହି ଅବସରରେ ଜିଲ୍ଲାରେ 7ଟି ବସର ଶୁଭାରମ୍ଭ କରାଯାଇଛି । ଆଗକୁ ପଢ଼ନ୍ତୁ,

ଜଗତସିଂହପୁରରେ ଗଡ଼ିଲା ଲକ୍ଷ୍ମୀ ବସ

ଜଗତସିଂହପୁର: ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାଲେଶ୍ବର, ଜଗତସିଂହପୁର, ଗଞ୍ଜାମ, ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିଛନ୍ତି। ଜଗତସିଂହପୁର ଜିଲ୍ଲାରେ ଏହି ଅବସରରେ 7ଟି ବସର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଆୟୋଜିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢୀ ଯୋଗ ଦେଇ ଲକ୍ଷ୍ମୀ ବସର ଶୁଭାରମ୍ଭ କରିଛନ୍ତି ।

ଜଗତସିଂହପୁରରେ ଆଜି 7ଟି ଲକ୍ଷ୍ମୀ ବସ ଶୁଭାରମ୍ଭ ହୋଇଛି ଯାହା ନାଉଗାଁ, କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ବିରିଡ଼ି, ଏରସମା ଓ ବାଲିକୁଦା ବ୍ଲକ୍ ମୁଖ୍ୟାଳୟକୁ ଗ୍ରାମ ପଞ୍ଚାୟତ ସହ ସଂଯୋଗ କରିବ । ଆସନ୍ତା କାଲି ଠାରୁ ପ୍ରତ୍ୟେହ ସକାଳ 5 ଟାରୁ ସନ୍ଧ୍ୟା 6 ପର୍ଯ୍ଯନ୍ତ ଏହି ବସ ଚଳାଚଳ ହେବ। ପ୍ରାଥମିକ ସ୍ତରରେ 7ଟି ବସ ଆସିଥିବା ବେଳେ ଆଗକୁ ମୋଟ 40ଟି ବସ ଜିଲ୍ଲାରେ ବ୍ଲକ୍ ମୁଖ୍ୟାଳୟକୁ ଜିଲ୍ଲା ସଦର ମହକୁମା ସହ ଯୋଡ଼ିବାର ବ୍ୟବସ୍ଥା ରହିଛି ଯାହାଦ୍ୱାରା ୧୩୧ଟି ପଞ୍ଚାୟତର ୭ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘‘ଗାଁ ଲୋକମାନେ ଲକ୍ଷ୍ମୀ ବସ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ ଆମର ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ। ଲୋକଙ୍କ ଇଚ୍ଛାକୁ ମୁଁ ସମ୍ମାନ ଦିଏ, ମୋ ସରକାରର ସବୁ କାର୍ଯ୍ୟକ୍ରମ ଲୋକମତ ଭିତ୍ତିରେ ଆଧାରିତ, ଲକ୍ଷ୍ମୀ ଯୋଜନା ମଧ୍ୟ ଲୋକଙ୍କ ଇଚ୍ଛାରୁ କାର୍ଯ୍ୟକାରୀ କରାଯାଇଛି।’’

ଏହା ମଧ୍ୟ ପଢ଼ନ୍ତୁ....ବୌଦ୍ଧରେ ଗଡ଼ିଲା ଲକ୍ଷ୍ମୀ ବସ, ଆଭାସୀ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଏହି ଯୋଜନା ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସୁଲଭ ଓ ନିର୍ଭରଯୋଗ୍ୟ ବସ ସେବା ଯୋଗାଇବ, ମହିଳା, ସ୍ଥାନୀୟ ସମ୍ପ୍ରଦାୟ ଓ ଛାତ୍ରଛାତ୍ରୀମାନଙ୍କର ସଶକ୍ତିକରଣ, ପର୍ଯ୍ୟଟନ ଓ ଆଞ୍ଚଳିକ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ସହ ଯାତ୍ରୀ ଓ ସଡକ ସୁରକ୍ଷାକୁ ଗୁରୁତ୍ଵ ଦେଇ ସ୍ଵଚ୍ଛ ଏବଂ ବୈଷୟିକ ଜ୍ଞାନ କୌଶଳ ଦ୍ଵାରା ପରିଚାଳିତ ସାଧାରଣ ପରିବହନ ସେବା ଯୋଗାଇ ଦେବ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘‘ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି ଓ ଲକ୍ଷ୍ମୀ ବସ୍‌ ଏହି ପରିପ୍ରେକ୍ଷୀରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରି ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସରେ ଯିବା ଆସିବା କରିପାରିବେ ।’’ ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁନନ୍ଦନ ଦାସ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଜିଲ୍ଲାପାଳ ପାରୁଲ ପଟାୱରି ଉପସ୍ଥିତ ରହି ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିଥିଲେ ।

ଇଟିଭି ଭାରତ, ଜଗତସିଂପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.